ଭୁବନେଶ୍ୱର ୨୮।୫: ଆସନ୍ତା ମେ ୩୧ ତାରିଖ ସୁଦ୍ଧା ମୌସୁମୀ ଛୁଇଁପାରେ କେରଳ ଉପକୂଳ । ଏମିତି ଆକଳନ ଦେଖାଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) । ସାଧାରଣତଃ ଜୁନ ୧ ତାରିଖରେ ମୌସୁମୀ କେରଳ ପହଞ୍ଚିଥାଏ । ଏବେଠାରୁ କେରଳରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି ।
ମାତ୍ର ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଭିନ୍ନ । ଡକ୍ଟର ସାହୁ କହିଛନ୍ତି, ଏଥର ମୌସୁମୀ ଡେରିରେ ଆସିବ। କେରଳ ପହଞ୍ଚିଲାବେଳକୁ ସ୍ୱାଭାବିକ ସମୟଠାରୁ ୨/୩ ଦିନ ବିଳମ୍ବ ହୋଇପାରେ । ଓଡ଼ିଶାକୁ ମୌସୁମୀ ଜୁନ୍ ୧୫ ପୂର୍ବରୁ ଆସିବା ସମ୍ଭାବନା କ୍ଷୀଣ । ଅର୍ଥାତ୍ ଏଥର ରାଜ୍ୟରେ ରଜ ପାଗ ତତଲା ରହିପାରେ ।
ଡକ୍ଟର ସାହୁ କହିଛନ୍ତି, ବଙ୍ଗୋପସାଗରରେ ବାତ୍ୟା ରେମାଲ ଯୋଗୁ ମୌସୁମୀ ଆଗମନ ପ୍ରକ୍ରିୟା ବିଗିଡ଼ିଛି । ଏଥିଯୋଗୁ ମୌସୁମୀ ଆଗମନ ବିଳମ୍ବ ହେବ । ଏଭଳି ସ୍ଥିତି ୨୦୦୯-୨୦୧୦ ସମୟରେ ହୋଇଥିଲା । ସେତେବେଳେ ମୌସୁମୀ ଜୁନ୍ ୨୦ କିମ୍ବା ତା’ପରେ ଆସିଥିଲା । ବର୍ତ୍ତମାନ ମୌସୁମୀ ବିଳମ୍ବ ଯୋଗୁ ରାଜ୍ୟରେ ଗ୍ରୀଷ୍ମ ସ୍ଥିତି ଜାରି ରହିବ । ଆସନ୍ତା ଦିନେ ଦୁଇଦିନରେ ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇପାରେ । ମାତ୍ର ତା’ପରେ ପାଗ ପୂରା ଶୁଖିଲା ରହିବ । ବର୍ଷା ସମ୍ଭାବନା କମ୍ । ତେଣୁ ଗରମ ଓ ଗୁଳୁଗୁଳି ଜାରି ରହିବ ।
ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା ୩-୪ ଦିନ ଭିତରେ ରାଜ୍ୟରେ ଦିନ ତାପମାତ୍ରା ପ୍ରାୟ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ସେଲସିୟସ୍ ବଢ଼ିପାରେ । ସୋମବାର ଝାରସୁଗୁଡ଼ା ତାପମାତ୍ରା ୪୨ ଡିଗ୍ରୀ ଟପିଥିବାବେଳେ ସୋନପୁର, ସମ୍ବଲପୁର, ଭବାନୀପାଟଣା, ବଲାଙ୍ଗୀର, ନୂଆପଡ଼ାରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ଉପକୂଳରେ ତାପମାତ୍ରା ୩୫-୩୭ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୭୦-୮୦% ଥିବାରୁ ଭୀଷଣ ଗୁଳୁଗୁଳି ନାକେଦମ୍ କରୁଛି । ବର୍ତ୍ତମାନ ବଡ଼ଧରଣର କାଳବୈଶାଖୀ ସମ୍ଭାବନା କମ୍ ।
ଆଇଏମ୍ଡି ଆକଳନ ଅନୁସାରେ ଦେଶରେ ଭଲ ବର୍ଷା ଆଣିବ ମୌସୁମୀ । ଜୁନ-ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଏହି ସମୟ ଭିତରେ ପ୍ରାୟ ୧୦୬ ପ୍ରତିଶତ ବର୍ଷା ହେବାର ଆକଳନ କରାଯାଇଛି । ଅବଶ୍ୟ ଏଥିରେ ୪ ପ୍ରତିଶତ କମ୍-ବେଶି ହୋଇପାରେ ।
ମାତ୍ର ଆଇଏମଡି ଜାରି କରିଥିବା ମୌସୁମୀ ବର୍ଷା ଆକଳନ ଚିତ୍ର ଅନୁସାରେ, ଓଡ଼ିଶାକୁ ଦେବ ଧୋକା ମୌସୁମୀ । ରାଜ୍ୟରେ ବର୍ଷା ନିଅଣ୍ଟିଆ ରହିବ ରାଜ୍ୟରେ । ଜୁନରୁ ସେପ୍ଟେମ୍ବର ଯାଏଁ ଯେତିକି ବର୍ଷା ହେବା କଥା, ତା’ଠାରୁ ଢେର କମିଯିବ । ଆଇଏମଡିର ସମ୍ଭାବ୍ୟ ମାନଚିତ୍ରରେ ଦକ୍ଷିଣ ଓଡ଼ିଶା, ଉତ୍ତର ଏବଂ ଉତ୍ତର ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳକୁ ହଳଦିଆ ରଙ୍ଗରେ ଚିହ୍ନିତ କରାଯାଇଛି । ଏହା ଦର୍ଶାଉଛି ଏସବୁ ଅଞ୍ଚଳରେ ବର୍ଷା ପରିମାଣ (ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ) କମ୍ ହେବ । କେନ୍ଦ୍ରୀୟ ଓଡ଼ିଶାର କିଛି ଜାଗାରେ ବର୍ଷା ଭଲ ହୋଇପାରେ ।
ମାତ୍ର ଜୁନ୍ ମାସ ପାଇଁ ଜାରି ହୋଇଥିବା ସମ୍ଭାବ୍ୟ ମାନଚିତ୍ର କହୁଛି, ଦେଶରେ ଭଲ ବର୍ଷା ହେବ। ଓଡ଼ିଶାର ବି ଭଲ ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି। କେନ୍ଦ୍ରୀୟ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହୋଇପାରେ । ଉତ୍ତର ଏବଂ ଉତ୍ତର ଆଭ୍ୟନ୍ତରୀଣର କିଛି ଜାଗାରେ ବର୍ଷା କମିପାରେ। ଡକ୍ଟର ଶରତ ସାହୁଙ୍କ କହିବାନୁସାରେ ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଲେ ମଧ୍ୟ ଏ ବର୍ଷ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି ।
You Can Read :