ଭାରତୀୟ କ୍ରିକେଟର ଯୁବରାଜ, ସବୁ ଫର୍ମାଟରେ ରାଜ୍ କରନ୍ତି ସିକ୍ସର କିଙ୍ଗ...

NEWS7
msme-has-become-the-second-engine-of-development

ନୂଆଦିଲ୍ଲୀ ୧୨/୧୨: ଛକା..ଛକା...ଥକ୍କା । ଏକାଥରକେ ୬ଟା ଛକ୍କା । ସେ ସିକ୍ସର କିଙ୍ଗ, ସେ ବିଶ୍ୱବିଜେତା । ଏତିକି କହିଲେ ବି ମନକୁ ଆସେ ଗୋଟିଏ ନାମ । ପଞ୍ଜାବ ଦା ପୁତର । କ୍ରିକେଟ ଇତିହାସରେ ଅଲୋଡା ରେକର୍ଡ । ଯୁବରାଜ ସିଂହ । ଦିନିକିଆ ହେଉ କି ଟି-୨୦ ବ୍ୟାଟ୍ ଧରିଲେ ସେ ସବୁ ଫର୍ମାଟରେ କରନ୍ତି ରାଜ୍ । ଟିମ ଇଣ୍ଡିଆ ପାଇଁ ସେ ଥିଲେ ସଙ୍କଟ ମୋଚକ । ବାମହାତୀ ବ୍ୟାଟରଙ୍କ ବ୍ୟାଟିଂ ଷ୍ଟାଇଲ୍ ହଜାଇଦିଏ ବୋଲରଙ୍କ ନିଦ । ଆଜି ହେଉଛି ସେହି ଲିଜେଣ୍ଡ କ୍ରିକେଟରଙ୍କ ଜନ୍ମଦିନ ।

ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ।୧୨ ଡିସେମ୍ବର ୧୯୮୧ ମସିହାରେ ଚଣ୍ଡୀଗଡରେ ଜନ୍ମ । ୪୪ ବର୍ଷରେ ପାଦ ଥାପିଛନ୍ତି ୟୁବି । ଯୁବରାଜ ସେହି ଖେଳାଳି ଯିଏ ଟି-୨୦ ଆଉ ଦିନିକିଆ ବିଶ୍ୱ ବିଜେତା ଦଳର ଥିଲେ ସଦସ୍ୟ । କେବଳ ସଦସ୍ୟ ନୁହେଁ ଭାରତକୁ ଚାମ୍ପିଅନ କରାଇବାରେ ଥିଲା ଅତୁଳନୀୟ ଅବଦାନ । ଏହି ଦୁଇ ବିଶ୍ୱକପରେ ଟିମ ଇଣ୍ଡିଆ ପାଉଁ ତାଙ୍କ ଅବଦାନ ଏବେ ବି ଦର୍ଶକଙ୍କ ହୃଦୟରେ ଜୀବୀତ ।

୨୦୦୭ ସେହି ଅବିସ୍ମରଣୀୟ ମ୍ୟାଚ୍ । ଟି-୨୦ ବିଶ୍ୱକପର ଇଂଲଣ୍ଡ ବିପକ୍ଷରେ ଥିଲା ମୁକାବିଲା । ଯେଉଁ ମ୍ୟାଚରେ ସାରା ବିଶ୍ୱକୁ ଦେଇଥିଲେ ସିକ୍ସର କିଙ୍ଗର ଟ୍ରେଣ୍ଡ । ପ୍ରମାଣ କରିଥିଲେ ତାଙ୍କୁ କାହିଁକି କୁହାଯାଏ ସିକ୍ସର କିଙ୍ଗ । ମ୍ୟାଚରେ ଯୁବରାଜ ଇଂଲଣ୍ଡର ଦୁର୍ଦ୍ଦଶ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ୬ଟି ବଲରେ ୬ଟି ଛକା ମାରି ତାଙ୍କ ନିଦ ହଜାଇ ଦେଇଥିଲେ । ଆଉ ଏହି ୬ଟି ଛକା ସହ ସେ ବିଶ୍ୱ ରେକର୍ଡ ବି କରିଥିଲେ । କେବଳ ସେତିକି ନୁହେଁ ସେ ଏହି ମ୍ୟାଚରେ ଦ୍ରୁତତମ ଅର୍ଦ୍ଧ ଶତକ ମଧ୍ୟ ହାସଲ କରିଥିଲେ । ୧୨ଟି ବଲରୁ କରିଥିଲେ ୫୦ ରନ । ଏଭଳି ରେକର୍ଡ କରିବାରେ ସେତେବେଳେ ସେ ବିଶ୍ୱର ପ୍ରଥମ ଖେଳାଳି ଥିଲେ ।

ସେହିପରି ୨୦୧୧ ବିଶ୍ୱକପରେ ଯୁବରାଜଙ୍କ ଅବଦାନ ଥିଲା ଅତୁଳନୀୟ । ଏହି ବିଶ୍ୱକପରେ ଭାରତ ବିଶ୍ୱ ବିଜେତା ବନିଥିଲା । ଆଉ ଯୁବରାଜ ହୋଇଥିଲେ ମ୍ୟାନ ଅଫି ଦି ସିରିଜ । ତାଙ୍କୁ ବିଶ୍ୱକପ ବିଜେତାର ଯୋଦ୍ଧା ବି କୁହାଯାଏ । କାରଣ କ୍ୟାନ୍ସରରେ ପୀଡିତ ହୋଇ ବି ସେ ଦଳ ପାଇଁ ଖେଳିବାକୁ ଗୁରୁତ୍ୱ ଦେଇଥିଲେ । ମ୍ୟାଚ୍ରେ ଦେହ ଖରାପ ପରେ ବି ସେ ମୈଦାନରେ ଦେଖାଇଥିଲେ ଦମ୍ । ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ମିଡିଲ ଅର୍ଡର ବେଶ ଶକ୍ତିଶାଳୀ ଥିଲା । ଏହାର କାରଣ ଥିଲେ ଯୁବରାଜ ସିଂ । କାରଣ ସେ ୨୦୧୧ ବିଶ୍ୱକପରେ ଜବରଦସ୍ତ ଫର୍ମରେ ରହିଥିଲେ ।

ପରେ କ୍ୟାନ୍ସର ଯୋଗୁଁ ୨୦୧୧ ବିଶ୍ୱକପ ପରେ ସେ ଦଳଠୁ ଦୂରରେ ରହିଥିଲେ । ସୁସ୍ଥ ହୋଇ ସିନା ଫେରିଲେ, କିନ୍ତୁ ତାଙ୍କ ଫର୍ମ ଆଉ ଫେରିନଥିଲା । ଖରାପ ଫର୍ମ ଯୋଗୁଁ ସେ ଟିମରେ ବହୁତ ସଂଘର୍ଷ କରିଥିଲେ । ଆଉ ୨୦୧୯ ଜୁନ ୧୦ ତାରିଖରେ କ୍ରିକେଟକୁ ସବୁଦିନ ପାଇଁ ଗୁଡ ବାଏ କହିଥିଲେ । ଏହାପର ଠୁ ନା ଦେଖିବାକୁ ମିଳୁଛି ଯୁବରାଜ ସିଂଙ୍କ ବଡ ବଡ ଛକା ନା ଷ୍ଟାଇଲିସ ବ୍ୟାଟିଂ । ଆଜି ଏହି କିମ୍ବଦନ୍ତି କ୍ରିକେଟରଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଦେଶ ।