ୱକଫ ବିଲକୁ ନେଇ ଏକ ହେଲେ ମୁସଲମାନ ସମୂଦାୟ, ଜନ୍ତରମନ୍ତରରେ କଲେ ଶକ୍ତି ପ୍ରଦର୍ଶନ

Published By : Prameya-News7 Bureau | March 17, 2025 IST

ନୂଆଦିଲ୍ଲୀ ୧୭।୩: ଦିଲ୍ଲୀ ଜନ୍ତରମନ୍ତରରେ ସୋମବାର ଅଲ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡ (ଏଆଇଏମପିଏଲବି) ୱକଫ ସଂଶୋଧନ ବିଧେୟକ ୨୦୨୪ ବିରୋଧରେ ଜୋରଦାର ପ୍ରଦର୍ଶନ କରିଛି। ଏହି ଧାରଣା ପ୍ରଦର୍ଶନରେ ବିଭିନ୍ନ ରାଜନୈତିକ ଦଳର ମୁସଲମାନ ନେତାମାନେ ଯୋଗ ଦେଇଛନ୍ତି। ଏଆଇଏମପିଏଲବି କେନ୍ଦ୍ର ସରକାର ବିରୋଧରେ ଅଭିଯୋଗ କରି କହିଛି ଯେ ଏହି ବିଧେୟକ ମୁସଲମାନ ସମୂଦାୟର ଅଧିକାର ଉପରେ ଆକ୍ରମଣ। ଯଦି ଏହାକୁ ପ୍ରତ୍ୟାହାର କରାନଯାଏ ତେବେ ବଡ଼ ଧରଣର ଆନ୍ଦୋଳନ ହେବ।

ଏଆଇଏମପିଏଲବି ଅଧ୍ୟକ୍ଷ ଖାଲିଦ ସୈଫୁଲ୍ଲା ରହମାନୀ ଏହି ବିରୋଧ ପ୍ରଦର୍ଶନକୁ ସମ୍ବିଧାନ ଓ ନ୍ୟାୟ ରକ୍ଷା ଲାଗି ଲଢେଇ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷ ୱକଫ ସମ୍ପତ୍ତିର ସୁରକ୍ଷା ସହିତ ଦେଶର ସମ୍ବିଧାନ ଓ ସୁରକ୍ଷା ଲାଗି ସଂଘର୍ଷ। ରହମାନୀ ଚେତାବନୀ ଦେଇଛନ୍ତି ଯେ ଯଦି ଜୋରଜବରଦସ୍ତ ଆଇନ ଗୃହୀତ କରାଯାଏ ତେବେ ଏହାର ଜବାବ ମଧ୍ୟ ସେହି ଅନ୍ଦାଜରେ ଦିଆଯିବ। ସେ କହିଛନ୍ତି ଯେ ଏହି ଲଢେଇ ଦୀର୍ଘ ଚାଲିବ ଓ ନ୍ୟାୟ ଲାଗି ସଂଘର୍ଷ ଜାରି ରହିବ। 


ବିକ୍ଷୋଭକାଳରେ ଏଆଇଏମପିଏଲବି ପଦାଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ସରକାର ଧାର୍ମିକ ମାମଲାରେ ଦଖଲ ଦେଉଛନ୍ତି। ଓଡିଶାର ବିଜେଡି ସାଂସଦ ମହିବୁଲ୍ଲାହ ନଦବୀ (ମୁନ୍ନା ଖାନ) କହିଛନ୍ତି ଯେ ସରକାର ଧାର୍ମିକ ବ୍ୟାପାରରେ ହସ୍ତକ୍ଷେପ କରୁଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ। ପ୍ରଦର୍ଶନ ମାଧ୍ୟମରେ ମୁସଲମାନ ସମାଜ ନିଜର ଏକତା ଦେଖାଇ କଡା ବିରୋଧ କରିଛନ୍ତି। 


ତେବେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବିରୋଧୀଙ୍କ ଉପରେ ଗୁଜବ ରଟାଉଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ୱକଫ ସଂଶୋଧନ ବିଧେକକୁ ନେଇ ମୁସ୍ଲିମ ସମାଜରେ ଭ୍ରମ ସୃଷ୍ଟି କରାଯାଉଛି। ସେ ସ୍ପଷ୍ଟ ରୂପେ କହିଛନ୍ତି ଯେ ବିଧେୟକର ଉଦ୍ଦେଶ୍ୟ ୱକଫ ସମ୍ପତ୍ତି ଛଡାଇବା ନୁହେଁ କି କବର ଦଖଲ ନୁହେଁ । ରିଜିଜୁ କହିଛନ୍ତି ଭାରତ ଆଇନରେ ଚାଲେ, କୌଣସି ବ୍ୟକ୍ତି କାହାର ସମ୍ପତ୍ତିକୁ ଜୋରଜବରଦସ୍ତ ନେଇଯାଇ ପାରିବନି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.