କଟକ ୧୭।୧: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଦାୟର ହେଲା ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ତରଫରୁ ଏହି ମାମଲା ଦାୟର କରାଯାଇଛି । ଦାୟର ପିଟିସନରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ନବ ଦାସଙ୍କୁ ହତ୍ୟା କରାଯିବା ଏକ ଆକସ୍ମିକ ଘଟଣା ନୁହେଁ ବରଂ ଏହା ପଛରେ ଗଭୀର ଷଡଯନ୍ତ୍ର ରହିଛି । ଯେଉଁଥିରେ ରାଜନେତା ଏବଂ ବ୍ୟୁରୋକ୍ରାଟ ସାମିଲ ଅଛନ୍ତି । ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତ ହେଉଛନ୍ତି ଜଣେ ପୋଲିସ ଅଧିକାରୀ, ତେଣୁ କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତ ପୋଲିସ ଅଧିକାରୀ ବିରୁଦ୍ଧରେ ସ୍ବଚ୍ଛତାର ସହ ତଦନ୍ତ କରିପାରିବ ନାହିଁ । ହତ୍ୟା ଘଟଣାର ୨ ବର୍ଷ ପରେ ବି କୌଣସି ସନ୍ତୋଷଜନକ ତଥ୍ୟ ସାମ୍ନାକୁ ଆସିଲା ନାହିଁ । ତେଣୁ ସିବିଆଇ ତଦନ୍ତ ହେଲେ ସମସ୍ତ ରହସ୍ୟ ଉପରୁ ପର୍ଦ୍ଦା ଉଠିପାରିବ ବୋଲି ଆବେଦନକାରୀ କୋର୍ଟଙ୍କୁ ଜଣାଇଛନ୍ତି । ଏହି ମାମଲାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ସେପଟେ ନବ ଦାସଙ୍କ ପୁଅ ଓ ଝିଅ ତାଙ୍କ ବାପାଙ୍କ ହତ୍ୟା ମାମଲାର ତଦନ୍ତ CBI କରୁ ବୋଲି କହିବା ପରେ ଆରମ୍ଭ ହୋଇଥିଲା ରାଜନୀତି । ବୁଧବାର ନବ ଦାସଙ୍କ ହତ୍ୟା ମାମଲା CBI କରୁ ବୋଲି କହିଥିଲେ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଲ ଦାସ । ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଥିଲେ, CBI ତଦନ୍ତ ପାଇଁ ଲେଖିକି ଦିଅନ୍ତୁ ନବ ଦାସଙ୍କ ପରିବାର । ଲିଖିତ ଭାବେ ନଦେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ତାର କିଛି ମାନେ ନାହିଁ । ଲିଖିତ ଭାବେ ଦାବି କଲେ ସେ ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିବେ ।
ଆଇନ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ନବ ଦାସଙ୍କୁ କାହିଁକି ଗୁଳି କରାଯାଇଥିଲା ତାର ତଦନ୍ତ କ’ଣ ହେଲା ସେନେଇ ବିଜେପି ପୂର୍ବରୁ ପ୍ରଶ୍ନ ଉଠାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ବାଟ ବୁଲାଇ ଦେଇଛି । ବିଳମ୍ବରେ ହେଲେ ବି ଦୀପାଳି ଦାସଙ୍କ ମନରେ ଆସିଛି ପୂର୍ବ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ଭୂଆଁ ବୁଲାଇଥିଲେ । ଏବେ ତାହା ଉପଲବ୍ଧି କରିବାରୁ ମୁହଁ ଖୋଲିଛନ୍ତି ଦୀପାଳି ବୋଲି ଆଇନ ମନ୍ତ୍ରୀ କହିଥିଲେ ।
ସେପଟେ କଂଗ୍ରେସ କହିଥିଲା ସିବିଆଇ ତଦନ୍ତ ଦୁଇ ବର୍ଷ ପୂର୍ବରୁ ହେବାର ଥିଲା । ବିଳମ୍ବରେ ହେଲେ ବି ନବ ଦାସଙ୍କ ପରିବାରର ଜ୍ଞାନ ଉଦୟ ହେଇଛି । ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେହଜନକ ଥିଲା । କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଥିଲେ, ସେହି ସମୟରେ କଂଗ୍ରେସ ବିଧାନସଭାରେ ସିବିଆଇ ତଦନ୍ତ ନଚେତ ଜୁଡିସିଆରୀ ତଦନ୍ତ ଦାବି କରିଥିଲା । ସେତେବେଳର ସରକାର ଏକମତ ହେଲେ ନାହିଁ ଏବଂ ତାଙ୍କ ପରିବାର ନୀରବ ରହିଲେ । ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ସନ୍ତୋଷ ସିଂ ସାଲୁଜା କହିଥିଲେ ।
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ନେଇ ମୁହଁ ଖୋଲିଲେ ଝିଅ ଦୀପାଳି
ଏ ପ୍ରସଙ୍ଗରେ ବିଜେଡି କହିଥିଲେ, ନବ ଦାସଙ୍କ ହତ୍ୟାକାଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ତାକୁ ସିବିଆଇ କିମ୍ବା କାହାକୁ ଦେଲେ ମୁଖ୍ୟ ଆସାମୀ ଧରାପଡ଼ିବ ସେଇଟା ସରକାର ନିଷ୍ପତ୍ତି ନେବା ଦରକାର । ଯେହେତୁ ତାଙ୍କ ପରିବାର ଅର୍ଥାତ ତାଙ୍କ ଝିଅ ଦାବି କରୁଛନ୍ତି ତେଣୁ ସିବିଆଇ ତଦନ୍ତ ହେଲେ ଭଲ ହେବ । ସେବେ କ୍ରାଇମବ୍ରାଞ୍ଚ ତଦନ୍ତରେ ଯିଏ ଧରାପଡିଥିଲା ସେ ଏବେ ଜେଲ୍ରେ ଅଛି । ତାଙ୍କ ପରିବାରର ଦାବି ଉଚିତ ଅଛି ସରକାର ନିଷ୍ପତ୍ତି ନିଅନ୍ତୁ । ସିବିଆଇ ହେଉଛି ଗୋଟେ ଭଲ ତଦନ୍ତକାରୀ ସଂସ୍ଥା । ବାପା ହତ୍ୟାକାଣ୍ଡ ପାଇଁ ପରିବାର ଯାହା ବି ହେଲେ ଚାହିଁବେ ମୁଖ୍ୟ ଆସାମୀ କିମ୍ବା ଆଉ କିଏ ଯଦି ରହିଯାଇଛନ୍ତି ସେମାନେ ଧରାପଡ଼ନ୍ତୁ । ମୋର ବିଶ୍ୱାସ ଅଛି ସିବିଆଇ ତଦନ୍ତ ହେଲେ ମୁଖ୍ୟ ଆସାମୀ ଧରାପଡ଼ିବ ବୋଲି ବିଜେଡି ନେତା ମନୋହର ରନ୍ଧାରୀ କହିଥିଲେ ।
ନବ ଦାସଙ୍କ ହତ୍ୟା ମାମଲାରେ ତାଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଉଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଥିଲେ ଝିଅ ଦୀପାଳି ଦାସ । କହିଲେ, କିଛି ଗଣମାଧ୍ୟମରେ ଏକତରଫା ଖବର ପରିବେଷଣ କରାଯାଉଛି । ସେମାନେ ମୋ ଉପରେ, ମୋ ପରିବାର ଉପରେ ଆକ୍ଷେପ କରୁଛନ୍ତି । ଗୋଟେ ଝିଅ ହିସାବରେ ଏହା ମୋତେ ବାଧୁଛି । ଆମ ବିଷୟରେ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଟିପ୍ପଣୀ ଆମକୁ ମାନସିକ ଆଘାତ ଦେଉଛି । ବିଜେପି ନେତାମାନେ ଆଜି ବି ମୋ ବାପାଙ୍କ ମୃତ୍ୟୁ ପ୍ରସଙ୍ଗକୁ ଗଣମାଧ୍ୟମରେ ଉଠାଉଛନ୍ତି । ସେମାନେ କହୁଛନ୍ତି ଯେ, ସିବିଆଇ ତଦନ୍ତ କାହିଁକି ହୋଇନି । ମୁଁ କାହିଁକି ସିବିଆଇ ତଦନ୍ତ ପାଇଁ କହୁନି । ମୋର ଓ ମୋ ପରିବାର ପକ୍ଷରୁ ସରକାରଙ୍କୁ ପ୍ରଶ୍ନ ଯେ, ଆଗାମୀ ଦିନରେ ଆପଣ କ’ଣ ମୋ ବାପାଙ୍କର ସିବିଆଇ ତଦନ୍ତକୁ ଆଗକୁ ବଢ଼ାଇବେ କି ? ବିଜେପିର ନେତାମାନେ ଆମ ସହିତ ଠିଆ ହୋଇ ତଦନ୍ତକୁ ଆଗକୁ ନେବେ କି ? ମୋ ଭାଇକୁ ଯେତେବେଳେ ଛତିଶଗଡ଼ରେ ବିନା କୌଣସି ଅଭିଯୋଗ, ଏଫଆଇଆରରେ ଅଟକ ରଖାଯାଇଥିଲା ସେତେବେଳେ ସେମାନେ ମୋ ବାପାଙ୍କ ସିବିଆଇ ତଦନ୍ତ କଥା କହି ମୋଠୁ ଲେଖା ମାଗୁଛନ୍ତି କାହିଁକି ? ଯଦି ସରକାର ସିବିଆଇ ତଦନ୍ତ କରିବାକୁ ଚାହୁଁଛନ୍ତି ତାହେଲେ ଆମ ପରିବାରକୁ ଡାକି ଆମ ସହ ଆଲୋଚନା କରି ପଦକ୍ଷେପ ନିଅନ୍ତୁ ବୋଲି ଦୀପାଳି କହିଥିଲେ ।
You Can Read: