ନବଯୌବନ ଦର୍ଶନ ଦେଲେ ଶ୍ରୀ ଶ୍ରୀ ହରି ବଳଦେବ ଜୀଉ, ମଧ୍ୟରାତ୍ରିରେ ହେଲା ନେତ୍ରୋତ୍ସବ

Published By : Prameya-News7 Bureau | July 07, 2024 IST

ବାରିପଦା ୭।୭: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରି ବଳଦେବ ଜୀଉଙ୍କ ରଥଯାତ୍ରାକୁ ନେଇ ସହର ଚଳଚଞ୍ଚଳ ହୋଇଉଠିଛି । ସ୍ନାନ ପୂର୍ଣ୍ଣିମା ପରେ ଚତୁର୍ଦ୍ଧା ମୂରତି ଜ୍ବରରେ ପୀଡିତ ଥିବା ବେଳେ ସୁସ୍ଥ ହେବା ପରେ ଶନିବାର ମଧ୍ୟରାତ୍ରରେ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ରବିବାର ଚତୁର୍ଦ୍ଧା ମୁରତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। 

ଅଧିବାସ କାର୍ଯ୍ୟ ଶେଷ ହେବା ପରେ ୧୩ ଦିନ ଧରି ଅଣସରରେ ଥିବା ଶ୍ରୀଜୀଉମାନେ ସୁସ୍ଥ ହେବା ପରେ ନାଟ ମନ୍ଦିରକୁ ବିଜେ କରିଥିଲେ । ନାଗରା ବାଜିବା ପରେ ସିଂହଦ୍ୱାର ଖୋଲାଯାଇ ମନ୍ଦିରର ପରିଚ୍ଛା, ପୁରୋହିତ, ପୂଜକ ଓ ସମସ୍ତ ସେବାୟତ ମାନେ ସିଂହଦ୍ୱାର ଓ ଗରୁଡ଼ଙ୍କୁ ପ୍ରଣାମ କରି ମନ୍ଦିରକୁ ପ୍ରବେଶ କରିଥିଲେ । ଜୟା ବିଜୟା ଓ ଗଙ୍ଗା ଯମୁନା କବାଟ ଖୋଲାଯିବା ପରେ ସମସ୍ତେ ଦଅଁଙ୍କୁ ଦର୍ଶନ କରିଥିଲେ । ଏହାପରେ ଘଣ୍ଟ ଘଣ୍ଟା, ଶଙ୍ଖ, କାହାଳୀ ଓ ବାଦ୍ୟ ସହିତ ଗୋଟି ପହଣ୍ଡିରେ ବଳଭଦ୍ର, ସୁଭଦ୍ରା, ସୁର୍ଦଶନ ଓ ଜଗନ୍ନାଥ ମହାପ୍ରଭୁ କ୍ରମାନ୍ୱୟରେ ନାଟ ବା ନେତ୍ର ମଣ୍ଡପକୁ ବିଜେ ହୋଇଥିଲେ । ଏହାପରେ ମନ୍ଦିରର ନୀତି ଅନୁଯାୟୀ ଅଧିବାସ ପୂଜା ନୀତି ସମ୍ପନ୍ନ ହୋଇଥିଲା । ଠାକୁରଙ୍କୁ ଭୋଗଲାଗି ହେବା ପରେ ତିନି ଚିତ୍ରଶିଳ୍ପୀ ମହାପାତ୍ର ସେମାନଙ୍କର ନେତ୍ରନୀତି ସମ୍ପନ୍ନ କରିଛନ୍ତି । ଏଥିପରେ ମନ୍ଦିରର ପରିଚ୍ଛା, ପୁରୋହିତ ଓ ପୂଜକଙ୍କ ଉପସ୍ଥିତିରେ ସେବାୟତ ଗଣ ଶଙ୍ଖ, ଘଣ୍ଟ, ଘଣ୍ଟା ଓ କାହାଳୀ ଧ୍ୱନିରେ ନୀତି ତୁଲାଇଥିଲେ। ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ମୁତାବକ, ଶନିବାର ସଂଧ୍ୟା ଆଳତୀ ପରେ ମହାପ୍ରଭୁଙ୍କୁ ନାଟମଣ୍ଡପରେ ବିଜେ କରାଯାଇଥିଲା। ଶନିବାର ରାତି ୭ଟା ୫୦ମିନିଟ ସମୟରେ ଅଧିବାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମଧ୍ୟ ରାତ୍ର ୧୨ଟା ପର ଠାରୁ ରାତ୍ର ୨ଘଟିକା ଚକାଛଡ଼ା ନୀତି ସମ୍ପନ୍ନ ହୋଇଛି। ଏହା ପରେ ଛେରା ପହଁରା, ପହଣ୍ଡି ବିଜେ ନୀତି, ସିଂହ ଦ୍ଵାର ଫିଟା ନୀତି ସହିତ ନୋତ୍ରୋତ୍ସବ ପୂଜା ନୀତି ଆରମ୍ଭ ହୋଇଛି। ଆଜି ରବିବାର ସକାଳ ୯ଟା ୩୦ ଠାରୁ ଦିନ ୧୧ଟା ମଧ୍ୟରେ ଅବକାଶ ଓ ନେତ ବନ୍ଧନ ପରେ ଦିନ ସାଢେ ୧୧ଟାରୁ ୧ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ନବ ଯୌବନ ବେଶ ଦର୍ଶନ, କଳସ ପ୍ରତିଷ୍ଠା ଓ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି । ୧ଟା ୩୦ଠାରୁ ୨ଟା୩୦ ପର୍ଯ୍ୟନ୍ତ ପରମ୍ପରା ମୁତାବକ ମା’ ଅମ୍ବିକାଙ୍କ ଦାସୀ ଆଜ୍ଞାମାଳ ଧରି ରଥ ପ୍ରଦକ୍ଷିଣ କରିଛନ୍ତି । ଦିନ ୨ଟା ୩୦ ଠାରୁ ୩ଟା ୩୦ ପର୍ଯ୍ୟନ୍ତ ଚକାଛଡା ନୀତି ପରେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ଵାରା ସାଢେ ୩ଟାରୁ ୪ଟା ମଧ୍ୟରେ ଛେରା ପହଁରା ନୀତି ସଂପନ୍ନ ହେବ । 

ଅପରାହ୍ନ ୪ ଘଟିକାରୁ ଗୋଟି ପହଣ୍ଡିରେ ଶ୍ରୀଜିଉ ତିନି ରଥ ଉପରେ ରଥାରୁଢ ହେବେ । ରବିବାର ରଥାରୁଢ ହେବା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତଙ୍କୁ ତିନି ରଥ ଉପରେ ଶ୍ରୀ ଜିଉ ଦର୍ଶନ ଦେବେ । ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଦିନ ୨ଟା ୩୦ ମିନିଟ୍‌ରୁ ରଥ ଟଣା ଆରମ୍ଭ ହେବ। ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ କାରିଗରମାନେ ଶେଷ ସ୍ପର୍ଶ ଦେଉଛନ୍ତି । 

You Can Read:

ସମ୍ବଲପୁର ହୋମିଓପାଥି ମହାବିଦ୍ୟାଳୟରେ ରାଗିଂ : ଅଭିଯୁକ୍ତ ଛାତ୍ରଛାତ୍ରୀ ଆଣିଲେ ପାଲଟା ଅଭିଯୋଗ, ଅଡୁଆରେ କର୍ତ୍ତୃପକ୍ଷ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.