ହିମସ୍ଖଳନ ଯୋଗୁଁ ଟ୍ରେନ୍ ଲାଇନଚ୍ୟୁତ, ଏଥିରେ ଥିଲେ ୮୦ ଜଣ ଯାତ୍ରୀ

NEWS7
naga-chaitanya-and-sobhita-dhupala-wedding-in-hyderabad

ନୂଆଦିଲ୍ଲୀ: ଗତି ବଢ଼ାଇ ଆଗକୁ ଆଗକୁ ମାଡ଼ି ଚାଲିଥିଲା ଟ୍ରେନ୍ । ଏଥିରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଥିଲେ ୮୦ ଜଣ ଯାତ୍ରୀ । କିନ୍ତୁ କେହି କିଛି ବୁଝିବା ଆଗରୁ ଟ୍ରେନ୍ ବଗିସବୁ ଲାଇନଚ୍ୟୁତ ହୋଇଯାଇଥିଲା । ହିମସ୍ଖଳନ ଯୋଗୁଁ ଘଟିଥିଲା ଏଭଳି ବଡ଼ ଦୁର୍ଘଟଣା । ବରଫ ଖଣ୍ଡ ସବୁ ମାଡ଼ ହେବା ଫଳରେ ଚଳନ୍ତା ଟ୍ରେନଟି ଲାଇନଚ୍ୟୁତ ହୋଇଥି । ଏହି ଘଟଣା ସୋମବାର ସକାଳେ ଦକ୍ଷିଣ ସ୍ୱିଜରଲ୍ୟାଣ୍ଡର ଗୋପେନଷ୍ଟାଇନ୍ ଗାଁ ନିକଟରେ ଘଟିଥିଲା ।

ଆଜି ସ୍ଥାନୀୟ ସମୟ ସକାଳ ୭ଟାରେ ଏହି ଘଟଣା ଘଟିଥିଲା ବୋଲି ଜଣେ ରେଳ କର୍ତ୍ତୃପକ୍ଷ କହିଛନ୍ତି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ୩ ଘଣ୍ଟା ମଧ୍ୟରେ ୩୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ଜଣାପଡ଼ିଛି । ଏଏଫପି ଅନୁଯାୟୀ, ଆମ୍ବୁଲାନ୍ସ ଏବଂ ହେଲିକପ୍ଟର ଘଟଣାସ୍ଥଳରେ ମୁତୟନ ହୋଇଥିଲା ।

ଷ୍ଟକଗ୍ରାବେନ୍ ଅଞ୍ଚଳରେ ହିମସ୍ଖଳନ ଯୋଗୁଁ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା ବୋଲି ସ୍ୱିସ୍ ରେଳ କମ୍ପାନୀ BLSର ଜଣେ ମୁଖପାତ୍ର କହିଛନ୍ତି । ‘ଦି ଇଣ୍ଡିପେଣ୍ଡେଣ୍ଟ’ ରିପୋର୍ଟ ଅନୁଯାୟୀ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । ସକାଳ ୬.୧୨ ରେ ସ୍ପିଜ୍ ଛାଡିଥିବା ଟ୍ରେନ୍ ଟି ବ୍ରିଗେଡ୍ ଅଭିମୁଖେ ଯାଉଥିଲା । ଏହି ସମୟରେ ଗୋପେନଷ୍ଟାଇନ୍ ଗାଁ ନିକଟରେ ହିମସ୍ଖଳନ ହୋଇଥିଲା ଏବଂ ବରଫ ଖଣ୍ଡସବୁ ଟ୍ରେନ୍ ଉପରେ ମାଡ଼ ହୋଇଥିଲା । ଏବେ ଗୋପେନଷ୍ଟାଇନ୍ ଏବଂ ବ୍ରିଗେଡ୍ ମଧ୍ୟରେ ରେଳ ଚଳାଚଳ ବନ୍ଦ କରାଯାଇଛି । ରେଳ ସେବା ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡ଼ିଛି ।

ସ୍ୱିଜରଲ୍ୟାଣ୍ଡର ରେଳ ନେଟୱାର୍କ ଏହାର ବ୍ୟାପକ କଭରେଜ୍ ଏବଂ ସମୟାନୁବର୍ତ୍ତିତା ପାଇଁ ଜଣାଶୁଣା । ଏହି ରେଳ ନେଟଓ୍ବର୍କ ସହର ଏବଂ ଦୂରଦୂରାନ୍ତ ଗ୍ରାମଗୁଡ଼ିକୁ ସଂଯୋଗ କରୁଛି । ସ୍ବିଜରଲ୍ୟାଣ୍ଡର ଲୋକଙ୍କ ବ୍ୟତୀତ ଦେଶବିଦେଶରୁ ସେଠାକୁ ଯାଉଥିବା ପର୍ଯ୍ୟଟକମାନେ ମଧ୍ୟ ଏହି ସବୁ ରେଳରେ ଯାତ୍ରା କରିବାକୁ ଖୁବ ଭଲ ପାଆନ୍ତି । ରେଳରେ ଯାତ୍ରା ସମୟରେ ସ୍ବିଜରଲ୍ୟାଣ୍ଡର ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ପାଆନ୍ତି ପର୍ଯ୍ୟଟକ ।

ବରଫରେ ଆଚ୍ଛାଦିତ ପାହାଡ଼ ଯେତିକି ମନୋରମ, ସେତିକି ଘାତକ ମଧ୍ୟ । ବେଳେ ବେଳେ ହିମସ୍ଖଳନ ବିପଦ ବଢ଼ାଇଥାଏ । ହିମସ୍ଖଳନ ହେବା ଫଳରେ, ରେଳ ଯାତ୍ରା ବାଧାପ୍ରାପ୍ତ ହୋଇଥାଏ । ଏପରିକି ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରେ ଆଭାଲାଞ୍ଚେ ବା ହିମସ୍ଖଳନ । ଆଜି ହୋଇଥିବା ଏହି ରେଳ ଦୁର୍ଘଟଣାରେ, ୫ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଥିବା ଜଣାପଡ଼ିଛି ।