ଶରୀରରେ ଦେଖାଦେଉଛି କି ପାଣି ଫୋଟକା , ସାବଧାନ! ହୋଇଥାଇପାରେ ହର୍ପିସ୍

Published By : Prameya-News7 Bureau | October 13, 2024 IST

ନୂଆଦିଲ୍ଲୀ 13/10 :  ଶରୀର ଅଛି ତ ରୋଗ ବି ଅଛି। କିନ୍ତୁ ଏଥିପାଇଁ ଆମେ ବ୍ୟସ୍ତ ନ ହୋଇ, ସଚେତନ ରହିବା ଜରୁରୀ। ତଥାପି ଏଭଳି ଅନେକ ରୋଗ ଅଛି ଯାହା ବିଷୟରେ ହୁଏତ ଅଜ୍ଞ। ସେହିଭଳି ଏକ ରୋଗ ହେଉଛି ହର୍ପିସ୍। National Herpes Awareness Day ଅବସରରେ ଆସନ୍ତୁ ଜାଣିବା ସେହି ରୋଗ ବିଷୟରେ।  ବେଳେବେଳେ ଶରୀରରେ ଛୋଟ ଛୋଟ ଦାଗ ବା ପାଣି ଫୋଟକା ପରି କିଛି ଦେଖାଯାଏ। ଆମେ ଏହାକୁ ସାମାନ୍ୟ ଆଲର୍ଜି ଭାବି ଅଣଦେଖା କରିଥାଉ। କିନ୍ତୁ ମନେ ରଖୁନ୍ତୁ ଠିକ୍ ସମୟରେ ଏହାକୁ ଚିହ୍ନଟ ନକଲେ, ଏହା ନେଇପାରେ ସାଙ୍ଘାତିକ ରୂପ । ଶରୀରରେ ଦେଖାଯାଉଥିବା ଏହି ପାଣି ଫୋଟକା ହର୍ପିସ୍ ର ଲକ୍ଷଣ ହୋଇପାରେ।  ଏହା ଏପରି ଏକ ରୋଗ ଯାହା  ଶରୀରର ଅନ୍ୟ ଅଂଶକୁ ବ୍ୟାପିପାରେ ଏବଂ ତାହର ଆକାର ମଧ୍ୟ ବଢିଥାଏ । ତେବେ ଏହି ହର୍ପିସ୍ ରୋଗ କଣ ଆସନ୍ତୁ ଜାଣିବା ସେହି ବିଷୟରେ। 

ହର୍ପିସ୍ ଏକ ସଂକ୍ରାମକ ରୋଗ। ତେଣୁ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ଆଉ  ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହି ରୋଗ ଭୟଙ୍କର ହୋଇପାରେ। ହର୍ପିସ୍ ରୋଗର କାରକ ଭାରିସେଲା ଜୋଷ୍ଟର ଜୀବାଣୁ । ଏହାର ଭାଇରସ୍ ସେହି ଲୋକମାନଙ୍କୁ ଅଧିକ ପ୍ରଭାବିତ କରିଥାଏ, ଯେଉଁମାନଙ୍କୁ ପୂର୍ବରୁ ଚିକେନ୍ ପକ୍ସ ବା ହାଡପୁଟି ହୋଇଥାଏ। ଯଦି ଆପଣଙ୍କ ଶରୀରରେ ଚିକେନ୍ ପକ୍ସ ଭାଇରସ୍ ଥାଏ ତେବେ ହର୍ପିସ୍ ରୋଗ ହୋଇପାରେ । ଏହି ରୋଗର ସଂକ୍ରମଣ ସାଧାରଣତଃ ପାଟି କିମ୍ବା ଯୌନାଙ୍ଗରେ ହୋଇଥାଏ ।

ଏହା ଏତେ ବିପଜ୍ଜନକ ଯେ ଯଦି ଏହା ଶରୀରର କୌଣସି ସ୍ଥାନରେ ହୋଇଯାଏ, ପୂରା ଶରୀରରେ ବ୍ୟାପିବାର ଆଶଙ୍କା ଥାଏ । ଯଦି ଶରୀରରେ ପାଣି ଫୋଟକା ପରି କିଛି ଦେଖାଯାଏ, ତାହାକୁ ଆଦୌ ଫୁଟାନ୍ତୁ ନାହିଁ କିମ୍ବା ବାରମ୍ବାର ହାତରେ ସ୍ପର୍ଶ କରନ୍ତୁ ନାହିଁ । ଡାକ୍ତରଙ୍କ ଅନୁଯାୟୀ ଏହି ଫଟୋକା ଫାଟିଯିବା ଦ୍ୱାରା ସେଥିରୁ ନିର୍ଗତ ତରଳ ଶରୀରର ଅନ୍ୟ ଅଂଶରେ କିମ୍ବା ପୋଷାକରେ ମଧ୍ୟ ଲାଗିପାରେ। ଯେଉଁଥିପାଇଁ ଶରୀରରେ ବିସ୍ତାର ହେବାର ଭୟ ରହିଥାଏ। ଏପରିକି ହର୍ପିସ୍ ରୋଗୀଙ୍କ ପୋଷାକ, ବାସନ ଏବଂ ଅନ୍ୟାନ୍ୟ ସାଧାରଣ ଜିନିଷକୁ ମଧ୍ୟ ଅଲଗା ରଖିବା ଉଚିତ୍ ।

ହର୍ପିସ୍ ରୋଗର ଲକ୍ଷଣ :

ହର୍ପିସ୍ ରୋଗରେ ପ୍ରଥମେ ଆପଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲାଲ ରଙ୍ଗର ଦାଗ ଦେଖାଯାଏ । ଶରୀରରେ ଯନ୍ତ୍ରଣା ଅନୁଭବ ହୁଏ ଓକୁଣ୍ଡେଇ ବି ହୋଇଥାଏ।  ପରେ ଏହି ଲାଲ ଦାଗ ପାଣିରେ ଭରିଯାଏ। ଏହା ବ୍ୟତୀତ  ଜ୍ୱର, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା, ତଣ୍ଟି ଦରଜ ଏବଂ ଥକାପଣ ମଧ୍ୟ ହୋଇପାରେ। ଯଦି ଆପଣ ଏହି ସମସ୍ତ ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ।  କାହିଁକିନା ଯଦି ଆରମ୍ଭରୁ ଆପଣ ସଚେତନ ନ ରହୁଛନ୍ତି ତାହେଲେ ବିଦରେ ପଡ଼ି ପାରନ୍ତି। 

ହର୍ପିସ୍ ହୋଇଥିବା ସମୟରେ ଏସବୁ କରନ୍ତୁନି

ହର୍ପିସ୍ ରୋଗ ହୋଇଥିବା ସମୟରେ ଯୌନ ସମ୍ପର୍କ ନରଖିବା ଭଲ। ନଚେତ ଜୀବାଣୁ ଖୁବ୍  ସହଜରେ ସ୍ଥାନାନ୍ତର ହୋଇପାରେ। ହର୍ପିସ୍ ଘା’କୁ ଛୁଇଁବା ପରେ ସାବୁନ୍ ଏବଂ ପାଣିରେ ହାତ ଭଲକି ଧୋଇବେ ନଚେତ ଏହା ଅନ୍ୟ ସ୍ଥାନକୁ ବି ବ୍ୟାପିଥାଏ। ପାଟିରେ ଘା ’ ହୋଇଥିବାବେଳେ କାହାକୁ ଚୂମ୍ବନ ଦିଅନ୍ତୁ ନାହିଁ ନଚେତ୍ ଏହି ରୋଗ ସହଜରେ ବ୍ୟାପିଥାଏ।

Also Read- Breast Cancer Awarness Day : ସ୍ତନ କର୍କଟର ଏହା ହେଉଛି ସବୁଠାରୁ ବଡ କାରଣ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.