ଲୋକଙ୍କ ସହ ସବୁବେଳେ ରହିବାକୁ ପରାମର୍ଶ ଦେଲେ ଦଳ ମୁଖିଆ : ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ

Published By : Prameya-News7 Bureau | June 07, 2024 IST

ବ୍ରହ୍ମପୁର ୭।୬: ୨୦୨୪ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ବିଜେପିକୁ ମିଳିଛି ଅଦ୍ଭୁତ ସଫଳତା । ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ବିଜେପି ୧୧ଟି ଆସନ ଅକ୍ତିଆର କରିଥିବା ବେଳେ କଂଗ୍ରେସ ଓ ବିଜେଡି ଗୋଟିଏ ଲେଖାଏଁ ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ବିଜେପି ଜିଲ୍ଲାର ୧୩ଟି ବିଧାନସଭା ଆସନରେ ୯୦୨୫୦୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ୭୫୦୫୯୩ ଏବଂ କଂଗ୍ରେସ ୧୩୨୬୩୪ ଖଣ୍ଡ ଭୋଟ୍ ପାଇଥିବା ଜଣାପଡିଛି । ବିଜେଡି ପ୍ରାର୍ଥୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଆସନରୁ ବିଜୟୀ ହୋଇଥିବା ବେଳେ ସାନଖେମୁଣ୍ଡି ଆସନରୁ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ବିଜୟୀ ହୋଇଛନ୍ତି । ଜିଲ୍ଲାରେ ବିଜେଡିର ଏଭଳି ବିପର୍ଯ୍ୟୟକୁ ସହଜରେ ଗ୍ରହଣ କରିପାରୁନି ବିଜେଡି ।  ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତି ଯୋଗୁଁ ବିଜେଡି ବିପର୍ଯ୍ୟୟର ସମ୍ମୁଖୀନ ହେଲା ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ତେବେ ଜନମତକୁ ସମ୍ମାନ ଜଣାଇଛି ଦଳ । ଗୁରୁବାର ଦିନ ଦଳୀୟ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଦଳର ବିପର୍ଯ୍ୟୟ ନେଇ ସମୀକ୍ଷା କରିଛନ୍ତି । ଲୋକଙ୍କ ସହ ସବୁବେଳେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି । ଦଳୀୟ ଆଲୋଚନା, ସଂଗଠନ ବିଷୟରେ ସିଧାସଳଖ ରାଜ୍ୟ ସଭାପତିଙ୍କ ସହ ସାକ୍ଷାତ କରିବାକୁ ଦଳୀୟ ନେତାଙ୍କୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । କାହା ଦ୍ୱାରା କିମ୍ବା ଭାୟା ମିଡ଼ିଆ ହୋଇ ନଆସି ସିଧା ସଳଖ ଆସି ମିଶି ପାରିବେ ବୋଲି ଦଳୀୟ ମୁଖିଆ ନବୀନ ପଟ୍ଟନାୟକ କହିଛନ୍ତି ବୋଲି ଚ୍ୟାଉ ପଟ୍ଟନାୟକ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ଦିନରେ ଦଳୀୟ ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିବୁ ବୋଲି ଚ୍ୟାଉ ପଟ୍ଟନାୟକ କହିଛନ୍ତି । 

You Can Read :

ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବରଗଡ ଓ ଅତାବିରାର ନବ ନିର୍ବାଚିତ ବିଧାୟକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.