ନୂଆଦିଲ୍ଲୀ: ଘରୋଇ ଚିକିତ୍ସାରେ କ୍ୟାନ୍ସର ଦୂର ହେବା ନେଇ ଦାବି କରିବା ନବଜୋତ ସିଂହ ସିଦ୍ଧୁଙ୍କୁ ମହଙ୍ଗା ପଡ଼ିଛି। ସିଦ୍ଧୁ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରି ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠା ଯାଇଛି। ଛତିଶଗଡ଼ ସିଭିଲ ସୋସାଇଟି(ସିସିଏସ୍) ଏହି ନୋଟିସ୍ ପଠାଇଛି। କ୍ୟାନସର ମୁକ୍ତି ଖାଦ୍ୟଶାରଣୀ ବିଷୟରେ ସିଦ୍ଧୁଙ୍କ ଦାବିରେ କେତେ ସତ୍ୟତା ରହିଛି ତାହା ପ୍ରମାଣ କରିବାକୁ ନୋଟିସ୍ରେ ଉଲ୍ଲେଖ ରହିଛି। ଯଦି ସତ୍ୟ ପ୍ରମାଣିତ ନ ହୋଇପାରିଲା ତେବେ ଏଭଳି ଭ୍ରମାତ୍ମକ ତଥ୍ୟ ଦେଇଥିବାରୁ ୮୫୦ କୋଟି ଟଙ୍କା କ୍ଷତି ପୂରଣ ଦେବାକୁ ସିସିଏସ୍ ଦାବି କରିଛି।
ନଭେମ୍ବର ୨୫ ତାରିଖରେ ସିଦ୍ଧୁ ମିଡିଆ ସାମ୍ନାରେ ଏଭଳି ଦାବି କରିଥିଲେ। ତାଙ୍କ ପତ୍ନୀ କ୍ୟାନସରର ଚତୁର୍ଥ ପର୍ଯ୍ୟାୟରେ ଥିଲେ। ସେ ମାତ୍ର ଆଉ ୪୦ ଦିନ ବଞ୍ଚିବେ ବୋଲି କହିଥିଲେ। କ୍ୟାନସରକୁ ଏକ ଫୁଲାରୋଗ ସହ ତୁଳନା କରି ସିଦ୍ଧୁ କହିଥିଲେ ଯେ ଏଭଳି ଫୁଲା ରୋଗ କ୍ଷୀର, ଗହମ(କାର୍ବୋହାଇଡ୍ରେଡ),ମଇଦା ଏବଂ ଚୀନରୁ ବଢ଼ିଥାଏ। ସିଦ୍ଧୁ କହିଥିଲେ ଯେ କ୍ୟାନସର ସୁଗାର ପାଇଲେ ବଢ଼େ। ତେଣୁ ଏହା କ୍ୟାନସର ଲାଇଫ୍ ଲାଇନ। ମୁଁ ଏନେଇ ଆୟୁର୍ବେଦ ପଢ଼ିଲି, ଆମେରିକା ଡାକ୍ତରଙ୍କ ସହ ଆଲୋଚନା କଲି, ଭାରତରେ ହୋଇଥିବା ସମସ୍ତ ଗବେଷଣା ୧୦ ଘଣ୍ଟା କାଳ ପଢ଼ିଲି। ଏହାପରେ ମୁଁ ପତ୍ନୀଙ୍କ ଖାଇବାରୁ ମିଠା, ଅଟ୍ଟା, ମଇଦା, କୋଲ୍ଡଡ୍ରିଙ୍ଗ୍ସ, ସବୁ ହଟାଇ ଦେଲି। ସିଂଗଡ଼ା ଓ ଜିଲାପି ସବୁ ବନ୍ଦ କରିଦେଲି ବୋଲି ସିଦ୍ଧୁ କହିଥିବା ଏଏନ୍ଆଇରେ ଖବର ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ସିସିଏସ ନବଜୋତ କୌରଙ୍କୁ ପ୍ରଶ୍ନ କରିଛି।
ପ୍ରଶ୍ନଗୁଡ଼ିକ ହେଲା-
୧.ଆପଣ ସୁସ୍ଥ ହେବା ସମ୍ପର୍କରେ ଆପଣଙ୍କ ସ୍ୱାମୀ ଯେଉଁ ଦାବି କରୁଛନ୍ତି ତାକୁ ଆପଣ ସମର୍ଥନ କରୁଛନ୍ତି କି ?
୨. ଚିକିତ୍ସା ପାଇଁ ଆପଣ ଯେଉଁ ଏଲୋପ୍ୟାଥିକ ଔଷଧ ଖାଉଥିଲେ ତାହା କାମ ଦେଉ ନଥିଲା ବୋଲି ଆପଣ ଭାବୁଛନ୍ତି କି?
୩.ସୁସ୍ଥ ହେବା ପାଇଁ କଣ ଆପଣ କେବଳ ନିମପତ୍ର, ଲେମ୍ବୁପାଣି, ତୁଳସୀ ଏବଂ ହଳଦୀ ଖାଉଥିଲେ ନା ତା ସହିତ ଏଲୋପ୍ୟାଥିକ ଔଷଧ ନେଉଥିଲେ।
ସିଦ୍ଧୁଙ୍କ ଦାବି ଲୋକଙ୍କ ମନରେ ଏଲୋପ୍ୟାଥିକ ଔଷଧ ଓ ଚିକିତ୍ସା ପ୍ରତି ନକାରାତ୍ମକ ମନଭାବ ତିଆରି କରିଛି। କ୍ୟାନ୍ସର ରୋଗୀମାନେ ଚିକିତ୍ସା ମଝିରେ ଔଷଧ ଛାଡ଼ି ଦେଉଛନ୍ତି। ଯେଉଁ ଥିରେ ତାଙ୍କ ଜୀବନ ପ୍ରତି ବିପଦ ବଢ଼ି ଯାଉଛି। ନୋଟିସ୍ରେ ସିସିଏସ କହିଛି ଯେ ସିଦ୍ଧୁ ତାଙ୍କ ଦାବିକୁ ଯଦି ସପ୍ତାହକ ମଧ୍ୟରେ ସତ୍ୟ ପ୍ରମାଣ ନ କରନ୍ତି ତେବେ ନବଜୋତ କୌରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ମିଛ ସୂଚନା ରୋଗୀଙକ୍ ଜୀବନକୁ ବିପଦ ଘେରକୁ ଟାଣି ନେଉଛି। ତେଣୁ ସ୍ୱାମୀଙ୍କ ବୟାନରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସିସିଏସ୍ ନବଜୋତ କୌରଙ୍କୁ ନୋଟିସ୍ କରିଛି।