ଜଗତସିଂହପୁର: ମହିଳା ହୋମଗାର୍ଡ ଏବଂ କୁଜଙ୍ଗ ଥାନା ପୂର୍ବତନ ଅଧିକାରୀଙ୍କ ପ୍ରେମ ସମ୍ପର୍କ ଘଟଣାରେ ନୂଆମୋଡ଼। ଆଜି ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି ପୀଡ଼ିତା। ଘଟଣାରେ ଗତକାଲି ସମ୍ପୃକ୍ତ ଥାନା ଅଧିକାରୀ ତପନ ନାହାକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଆଳିପିଙ୍ଗଳ ଜେଲ୍କୁ ପଠାଇ ଦିଆଯାଇଛି। ଅନ୍ୟପଟେ ପୀଡ଼ିତାଙ୍କୁ ମାମଲା ରଫାଦଫା କରିବାକୁ ଚାପ ପଡୁଛି ଏବଂ ତାଙ୍କ ପରିବାରକୁ ଧମକ ମିଳୁଛି ବୋଲି ଅଭିଯୋଗ କରିଛନ୍ତି।
ତାହାଲେ ଗିରଫ ପୂର୍ବତନ ଥାନା ଅଧିକାରୀଙ୍କୁ ଘଣ୍ଟ ଘୋଡାଉଛି କିଏ ? କିଏ ଦେଉଛି ପୀଡ଼ିତା ଓ ତାଙ୍କ ପରିବାରକୁ ଧମକ ? ଏପରିକି ଗଣମାଧ୍ୟମରେ ମୁହଁ ଖୋଲିଲେ ଚାକିରିରୁ ବାହାର କରିଦେବା ଧମକ ମଧ୍ୟ ମିଳୁଛି ବୋଲି ପୀଡ଼ିତା ବିସ୍ଫୋରକ ବୟାନ ଦେଇଛନ୍ତି। କେବଳ ତାଙ୍କୁ ନୁହେଁ, ତାଙ୍କ ପରିବାରକୁ ମଧ୍ୟ ଧମକ ମିଳିବା ସହ ତାଙ୍କୁ ଓ ତାଙ୍କ ବାପା ମାଙ୍କୁ ଜୀବନରେ ମାରିଦେବାକୁ ଧମକ ଆସିଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ଜଣେ ପୋଲିସ ଉଚ୍ଚ ଅଧିକାରୀ ମଧ୍ୟ ଜଣେ କନେଷ୍ଟବଳଙ୍କ ମାଧ୍ୟମରେ ଷ୍ଟାଡିୟମକୁ ଡାକି ୨୫ ଲକ୍ଷ ଟଙ୍କା ନେଇ ମାମଲା ରଫାଦଫା କରିବାକୁ ପୂର୍ବରୁ ତାଙ୍କୁ ବାଧ୍ୟ କରି ଆସୁଥିଲେ।ଏ ବାବଦରେ ସେ ସଦର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଥିଲେ।ହେଲେ ସମ୍ପୃକ୍ତ ଅଧିକାରୀଙ୍କୁ କାହିଁକି ତଦନ୍ତ ପରିସରକୁ ଅଣାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।ପୀଡ଼ିତାଙ୍କ ଏପରି ସଙ୍ଗୀନ ଅଭିଯୋଗ ପରେ ଘଟଣା ପୁଣି ନୂଆ ମୋଡ଼ ନେଇଛି।
ତେବେ ଏ ସଂପର୍କରେ ସମ୍ପୃକ୍ତ ଉଚ୍ଚ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏହି ଅଭିଯୋଗର କିଛି ସତ୍ୟତା ନାହିଁ ଏବଂ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ନାଁରେ ପୀଡ଼ିତା କରିଥିବା ଅଭିଯୋଗ ମିଛ ବୋଲି ଏସପି କହିଛନ୍ତି। ଘଟଣାରେ ପାରାଦୀପରେ କାର୍ଯ୍ୟରତ ଜଣେ ମହିଳା ଏଏସଆଇଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଇଛି।ମାମଲାର ତଦନ୍ତ ଦାୟିତ୍ବ ଭାର ନେଇଥିବା ଜଗତସିଂହପୁର ଥାନା ଅଧିକାରୀ ପୀଡିତାଙ୍କ ସହ ସମ୍ପୃକ୍ତ ଏଏସଆଇଙ୍କୁ ଡାକି ଜେରା କରୁଛନ୍ତି। ଏହି ଘଟଣାରେ ଆଗକୁ କି ଆକ୍ସନ ନିଆଯାଉଛି ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର।