ନୂଆଦିଲ୍ଲୀ ୮।୩: ଦିଲ୍ଲୀ-ଏନସିଆରରେ ଆଜିକାଲି ଏକ ଭାଇରାଲ ଫ୍ଲୁ ବ୍ୟାପୁଥିବାର ଜଣାପଡିଛି, ଯାହା ଏବେ ଚିନ୍ତାଜନକ ପରିସ୍ଥିତିକୁ ପହଞ୍ଚିଛି। ଏହି ଫ୍ଲୁ ଗତବର୍ଷ ଅଗଷ୍ଟମାସରେ ସାମ୍ନାକୁ ଆସିଥିଲା। ସେତେବେଳେ ଏହା ଏତେ ବିପଦଜନକ ମନେ ହୋଇନଥିଲା। ହେଲେ ଏବେ ଏହା ଲୋକଙ୍କୁ ଦ୍ରୁତ ସଂକ୍ରମିତ କରୁଛି। ଏହି ଭାଇରାଲ ଇନଫେକ୍ସନ ମାମଲା ଦିଲ୍ଲୀ-ଏନସିଆରର ୫୪% ଘରେ ରହିଛି। ସ୍ଥାନୀୟ ହସ୍ପିଟାଲ ଡାକ୍ତରମାନେ ଏହା ସାମାନ୍ୟ ଭାଇରାସ ଠାରୁ ଟିକେ ଅଧିକ ବିପଦପୂର୍ଣ୍ଣ ବୋଲି କହୁଛନ୍ତି।
ସ୍ଥାନୀୟ ହସ୍ପିଟାଲ ଡାକ୍ତରଙ୍କ ସୂଚନା ଅନୁସାରେ ଟାଇମସ୍ ଅଫ ଇଣ୍ଡିଆ ରିପୋର୍ଟରେ କୋଭିଡ ଏକ ବ୍ୟାପୁଥିବା ଭୂତାଣୁ ଥିଲା, ଯାହାର ତଥ୍ୟ ସାରା ବିଶ୍ୱର ଲୋକଙ୍କୁ ଚମକାଉଥିଲା। ଦିଲ୍ଲୀ ଓ ଆଖପାଖର ଲୋକଙ୍କ ମଧ୍ୟରେ ଏହି ଭାଇରାସ ଏବେ ଦ୍ରୁତ ବ୍ୟାପୁଛି। ଏହାର ଲକ୍ଷଣ ମଧ୍ୟ କୋଭିଡ ଭଳି, ଯେଉଁଥିରେ କାଶ, ଜ୍ୱର, ତଣ୍ଟିଦରଜ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି। ଏହି ଭୂତାଣୁ ଦ୍ୱାରା ପାଖାପାଖି ୧୩ ହଜାରରୁ ଅଧିକ ଲୋକେ ଏ ପର୍ଯ୍ୟନ୍ତ ସଂକ୍ରମିତ ହେଲେଣି। ଯେଉଁଥି ପାଇଁ ଏବେ ସାବଧାନତା ଅବଲମ୍ବନ କରାଯାଉଛି।
ସଂକ୍ରମିତଙ୍କ ମଧ୍ୟରୁ ୬୩ ପ୍ରତିଶତ ପୁରୁଷ ହୋଇଥିବା ବେଳେ ୩୭ ପ୍ରତିଶତ ମହିଳା ଅଛନ୍ତି। ଏହି ଭୂତାଣୁ ଯୋଗୁ ୯ ପ୍ରତିଶତ ଲୋକଙ୍କ ଘରେ ୪ ଜଣରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଡାକ୍ତରଙ୍କ ଅନୁସାରେ ଫ୍ଲୁର ଲକ୍ଷଣରେ ବ୍ରୋଙ୍କାଇଟିସ୍, ନିମୋନିଆ ଓ ତରଳ ଝାଡା ହେଉଛି। ଏଣୁ ଭୂତାଣୁ ସଂକ୍ରମିତ ଅଧିକାଂଶ ଲୋକେ ହସ୍ପିଟାଲରେ ଆଡମିଟ ହେଉଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ଏତେ ଅଧିକ ଯେ ଏହି ବୃଦ୍ଧି ଏବେ ଗୁରୁତର ରୋଗର ସୂଚନା ଦେଉଛି।
ଏହି ଭୂତାଣୁ ୫୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକ, ଛୋଟ ପିଲା, ଉଚ୍ଚ ରକ୍ତଚାପ, ମଧୁମେହ, କୋଲେଷ୍ଟ୍ରଲ ରୋଗୀଙ୍କ ଲାଗି ଅଧିକ ବିପଦଜନକ। ଏହା ଛଡା ଆଜମା ରୋଗୀ, ଦୁର୍ବଳ ଇମ୍ୟୁନିଟି ଥିବା ଲୋକଙ୍କ ଲାଗି ମଧ୍ୟ ଏହି ସଂକ୍ରମଣ ବିପଦଜନକ ହୋଇପାରେ। ଏଣୁ ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଡାକ୍ତର ଲୋକଙ୍କୁ ଜନଗହଳି ପୂର୍ଣ୍ଣ ଅଞ୍ଚଳକୁ ନ ଯିବା, ବାରମ୍ବାର ହାତ ଧୋଇବା ଓ ମାସ୍କ ବ୍ୟବହାର ଦ୍ୱାରା ସଂକ୍ରମଣରୁ ବର୍ତ୍ତି ରହି ପାରିବେ ବୋଲି କୁହାଯାଇଛି। ସେହିପରି ଖାଦ୍ୟରେ ଭିଟାମିନ, ପ୍ରୋବାୟୋଟିକ୍ସ ଓ ଆଣ୍ଟିଏକ୍ସିଡେଣ୍ଟ ଯୁକ୍ତ ଖାଦ୍ୟ ସାମିଲ କରିବାରୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିରେ ଯଦି ଲକ୍ଷଣ ଗୁରୁତର ହୁଏ ତେବେ ତୁରନ୍ତ ହସ୍ପିଟାଲ ଯିବାକୁ କୁହାଯାଇଛି।