ଭୁବନେଶ୍ୱର ୩୧।୦୭ : ଝାଡ଼ଖଣ୍ଡ ଉପରେ ମଙ୍ଗଳବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨ ତାରିଖ ସୁଦ୍ଧା ଏହା ଲଘୁଚାପ ରୂପ ନେବ। ୩ ତାରିଖରେ ଏହା ମଧ୍ୟପ୍ରଦେଶକୁ ମୁହାଁଇବ । ପୁଣି ମୌସୁମୀ ଟ୍ରଫ୍ ସକ୍ରିୟ ହୋଇ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ଆସନ୍ତା ୫ଦିନ ନିର୍ଧୁମ ବର୍ଷିବ। ଛତିଶଗଡ଼ରେ ବି ପ୍ରବଳ ବର୍ଷିପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।
ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି, ୫ଦିନ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ମଧ୍ୟମ ଧରଣର ବର୍ଷା ହେବ । ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ପୁରୀରେ ସବୁଠୁ କମ୍ ବର୍ଷା ହେବ । ଏହି ୫ ଦିନରେ ସୁନ୍ଦରଗଡ଼ରୁ ବଲାଙ୍ଗିର ଯାଏ ଅଧିକ ବର୍ଷା ହେବ । ପଶ୍ଚିମ ଓଡ଼ିଶାରେ ମୋଟ ୧୦୦ରୁ ୧୫୦ମିମି ବର୍ଷା ହୋଇପାରେ । ସମ୍ବଲପୁରରେ ସବୁଠୁ ଅଧିକ ବର୍ଷା ହେବ । ମହାନଦୀ ଉପରମୁଣ୍ଡରେ ଥିବା ଛତିଶଗଡ଼ରେ ୧ରୁ ୪ ତାରିଖ ଯାଏ ପ୍ରବଳ ବର୍ଷା ହେବ । ମହାନଦୀ ଉପରମୁଣ୍ଡରେ ଅଧିକ ବର୍ଷା ହେବାର ଥିବାରୁ ଜଳସ୍ତର ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି । ୪ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା ଛାଡ଼ିଯିବ । କିନ୍ତୁ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିବ ।
ବୁଧବାର କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁରରେ ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏସବୁ ସ୍ଥାନରେ ୭୦ମିମିରୁ ନେଇ ୨୦୦ମିମି ଯାଏ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ ଓ ଝାରସୁଗୁଡ଼ାରେ ଅଧିକ ବର୍ଷା ହୋଇପାରେ । ଚାଷୀଙ୍କୁ ପରାମର୍ଶ ଦେଇ ପ୍ରଫେସର ପଶୁପାଳକ କହିଛନ୍ତି, ଜଳ ନିଷ୍କାସନର ସୁବିଧା କରନ୍ତୁ । ଉପକୂଳ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶାରେ ବର୍ଷାକୁ ଦେଖି ପାଣି ବାନ୍ଧି ରଖନ୍ତୁ । ଭାରୀ ବର୍ଷା ହେବା ସ୍ଥାନରେ ଫସଫରସ୍ ଓ ପୋଟାସ ସାର ପକାଇ ଧାନ ରୁଅନ୍ତୁ । ପରବର୍ତ୍ତୀ ସମୟରେ ଯବକ୍ଷାରଜାନ ସାର ପକାଇବାକୁ ସେ ପରାମର୍ଶ ଦେଇଛନ୍ତି । ପଶ୍ଚିମ ଓଡ଼ିଶାକୁ ଛାଡ଼ି ବାକି ଅଞ୍ଚଳରେ ମୁଗ, ବିରି ଲଗାନ୍ତୁ । ବର୍ଷା ପରେ ପାଗ ଦେଖି ଏହା ଲଗାଇ ପାରିବେ ବୋଲି ସେ କହିଛନ୍ତି । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜର ସାରଗୋବିନ୍ଦପୁରରେ ୧୨୮ମିମି ବର୍ଷା ହୋଇଛି । ବାଲେଶ୍ୱର ରାଜଘାଟରେ ୧୧୪ ଓ ଭୋଗରାଇରେ ୭୯ମିମି ବର୍ଷା ହୋଇଛି।