ଛୁଇଁଲା ମୌସୁମୀ, ହେଲେ ଆଗକୁ ବଢୁନି..୧୫ ପୂର୍ବରୁ ନାହିଁ ବର୍ଷା

Published By : Prameya-News7 Bureau | June 11, 2024 IST

ଭୁବନେଶ୍ୱର ୧୧।୦୬: ଆଣ୍ଠେଇଛି ମୌସୁମୀ । ଆଗକୁ ବଢ଼ୁନି । ଏପଟେ ନିଆଁ ମାଡ଼ ଆହୁରି ବିସ୍ଫୋରକ ରୂପ ନେଉଛି । ପଶ୍ଚିମ ଜଳୁଛି, ଉପକୂଳ ସିଝୁଛି ।  ପୂର୍ବାନୁମାନ କହୁଛି, ଏ ସ୍ଥିତିରୁ ଏବେ ନିସ୍ତାର ନାହିଁ । ରଜ ବି ଜଳିବ ହୁତ୍‌ହୁତ୍‌ ତାତିରେ । ପହିଲି ରଜରେ ତାତିରୁ ନିସ୍ତାର ଆଶା କମ୍‌ । ୧୫ରୁ ପାଗ ବଦଳିବ, ବର୍ଷା ଆରମ୍ଭ ହୋଇପାରେ। ୧୫ ତାରିଖ ପୂର୍ବରୁ ମୌସୁମୀ ବର୍ଷା ସମ୍ଭାବନା କମ୍‌।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୫ ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୩-୪୪ ଡିଗ୍ରୀ ରହିବ । ୧୫ରୁ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ, ୧୬ରୁ ଉତ୍ତରରେ ପାଗ ବଦଳିବ । ମେଘୁଆ ପାଗ ସହ ତାତି କମିବ । ୧୫ ତାରିଖ ପୂର୍ବରୁ ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା ନାହିଁ । ୧୪ରୁ ସର୍ବାଧିକ ତାପମାତ୍ରା ଅନେକ ସ୍ଥାନରେ ୩୨ ଡିଗ୍ରୀ ରହିବ ।  ୧୯ ତାରିଖ ପରେ କେତେକ ଜାଗାରେ ତାପମାତ୍ରା ୩୦ ଡିଗ୍ରୀ ତଳେ ରହିପାରେ । 

ଡ. ପଶୁପାଳକ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାରମ୍ଭରେ ମୌସୁମୀ ବର୍ଷା ଦୁର୍ବଳ ରହିବ । ଉପକୂଳରେ ୧୬ରୁ ୧୮ ମଧ୍ୟରେ ହାରାହାରି ୩୫ ମିଲିମିଟର, ଆଭ୍ୟନ୍ତରୀଣରେ ୪୦ ମିମି, ଉତ୍ତର ଆଭ୍ୟନ୍ତରୀଣ ଓ ବାଲେଶ୍ୱରରେ ୧୭ରୁ ୧୯ ତାରିଖ ଭିତରେ ୬୫ ମିମି ବର୍ଷା ହୋଇପାରେ । 

ପଶ୍ଚିମବଙ୍ଗରୁ ବିହାର ଓ ପୂର୍ବ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରଫ ସୃଷ୍ଟି ହେବ । ଏହା ସ୍ୱାଭାବିକଠାରୁ ଉତ୍ତରରେ ରହିବା ଯୋଗୁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ । ମାତ୍ର କ୍ରମଶଃ ଏହା ବିସ୍ତୃତ ହେବ । ଜୁନ୍‌ ଚତୁର୍ଥ ସପ୍ତାହରେ ରାଜ୍ୟରେ ବର୍ଷା ବଢ଼ିବ । ତଥାପି ଜୁନରେ ଚଳିତ ବର୍ଷ ବର୍ଷା ପରିମାଣ ୩୦% ନିଅଣ୍ଟିଆ ରହିପାରେ । ଚାଷୀମାନେ ବର୍ତ୍ତମାନ ବୁଣାବୁଣି କରନ୍ତୁ ନାହିଁ । ଖରଡ଼ି ବୁଣା ୧୬ ପରେ ଓ ବତୁରା ବୁଣା ୧୮ ତାରିଖ ପରେ ବର୍ଷା ଦେଖି କରନ୍ତୁ । 

ପାଣିପାଗ ବିଭାଗ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳରେ ଗ୍ରୀଷ୍ମ ପ୍ରବାହ ଓ ସମଗ୍ର ଉପକୂଳରେ ଭୀଷଣ ଗରମ ଓ ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରିଛି । ମଙ୍ଗଳବାର ପାଇଁ ବାଲେଶ୍ୱର, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ନୂଆପଡ଼ା, ବଲାଙ୍ଗୀର, ଗଜପତି, ଗଞ୍ଜାମ ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ କଟକରେ ଗରମ ଓ ଗୁଳୁଗୁଳି ଜାରି ରହିବ । ୧୨ ତାରିଖ (ବୁଧବାର) ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲା ଗରମ ଓ ଗୁଳୁଗୁଳିରେ ସିଝିବ । ୧୩ ଓ ୧୪ରେ ବି ଏଭଳି ସ୍ଥିତି କଲବଲ କରିବ ବିଭିନ୍ନ ଜିଲ୍ଲାରେ ।

ମଙ୍ଗଳବାର ପଶ୍ଚିମ ଓଡ଼ିଶା ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ଓ ଉପକୂଳ ୪୦ ଡିଗ୍ରୀ ପାଖାପାଖୀ ରହିପାରେ । ୧୨ ତାରିଖରେ ପଶ୍ଚିମ ଓଡ଼ିଶା ୪୪ ଡିଗ୍ରୀ ଓ ଉପକୂଳ ୪୧ ଡିଗ୍ରୀ ଛୁଇଁପାରେ । ଅନ୍ୟପଟେ ବର୍ତ୍ତମାନ ସବୁ ଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.