ନିୟମ ବଦଳାଇଲା ତେହରାନ, ଏବେ ଆମେରିକା ଉପରେ କରିବ କଡ଼ା ପ୍ରହାର

NEWS7
nomination-of-dharmasala-bjp-mla-candidate-smrutirekha-pahi

ନୂଆଦିଲ୍ଲୀ: ଗୋଟିଏ ପଟେ ଭେନେଜୁଏଲା ଉପରେ ହମଲା ନେଇ ବିଶ୍ଵରେ ଉତ୍ତେଜନାମୂଳକ ମାହୋଲ ଲାଗି ରହିଥିବା ବେଳେ ଅନ୍ୟପଟେ ଇରାନ ଓ ଆମେରିକା ନୂଆ ସଂଘର୍ଷ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏବେ ଆମେରିକାକୁ ମୁହଁତୋଡ ଜବାବ ଦେବାକୁ ଅଣ୍ଟା ଭିଡ଼ିଛି ଇରାନ। ସେଥିପାଇଁ ତେହରାନ ନିଜର ରଣନୀତି ସହ ନିୟମରେ ପରିବର୍ତ୍ତନ ଆଣିଛି। କୌଣସି ବି ସମୟରେ ଇରାନ ହମଲା କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ ଚାଲିଥିବା ପ୍ରଦର୍ଶନ ଉଲ୍ଲେଖ କରି କହିଥିଲେ ଯେ, ଶାନ୍ତିପୂର୍ବକ ପ୍ରଦର୍ଶନ କରୁଥିବା ଲୋକଙ୍କୁ ମାରିବା ବନ୍ଦ ନ କଲେ ଆମେରିକା ସାହାଯ୍ୟ କରିବାକୁ ମଇଦାନକୁ ଓହ୍ଲାଇବ। ଇରାନକୁ ଜବାବ ଦେବା ପାଇଁ ଆମେରିକା ଲକ୍ଡ ଓ ଲୋଟେଡ ରଣନୀତିରେ କାମ କରିବ। ଟ୍ରମ୍ପଙ୍କ ଏହି ବୟାନ ଉପରେ ଉପରୋକ୍ତ ଜବାବ ଦେଇଛି ଇରାନ।

ଆମେରିକାର ଧମକକୁ ଦୃଷ୍ଟିରେ ରଖି ଇରାନ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଇରାନର ସର୍ବୋଚ୍ଚ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ବୟାନ ଜାରି କରି କହିଛି ଯେ, ଆମେରିକା କିମ୍ବା ଇସ୍ରାଏଲ ଏଠାରେ ଚାଲିଥିବା ପ୍ରଦର୍ଶନର ଫାଇଦା ଉଠାଇ ଇରାନର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରନ୍ତି ତେବେ ଇରାନ ନିଶ୍ଚୟ ହମଲା କରିବ। ଆଉ ସବୁଠୁ ବଡ଼ କଥା ଇରାନ ହମଲା ହେବାକୁ ଅପେକ୍ଷା କରିବ ନାହିଁ। ବରଂ ଏହା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେଥିପାଇଁ ଇରାନ ସେନାକୁ ଷ୍ଟାଣ୍ଡବାଇରେ ରଖାଯାଇଛି। ଏପରିକି ଆମେରିକା ବେସକୁ ଟାର୍ଗେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେହରାନ ଟାଇମ୍ସର ଜାନୁଆରୀ ୬ର ରିପୋର୍ଟରେ କୁହାଯାଇଛି ଯେ, ଇରାନ ଏବେ ଷ୍ଟ୍ରାଟେଜିକ ପେସେନ୍ସ(ଧୈର୍ଯ୍ୟପୂର୍ଣ୍ଣ ନୀତି)ରୁ ହଟୁଛି। ଯଦି ଆମେରିକା କିମ୍ବା ଇସ୍ରାଏଲ କିଏ ଆକ୍ରମଣ କରିବାକୁ ଦୁଃସାହସ କରେ ତେବେ ଇରାନ ମୁହଁତୋଡ ଏବଂ ପ୍ରଭାବୀ ଢଙ୍ଗରେ ଜବାବ ଦେବ। ପୂର୍ବପରି ସୀମିତ ଜବାବ ଦେବ ନାହିଁ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଇରାନ ସ୍ଥିର କରିଛି ଯେ, କୌଣସି ବି ନୂଆ ହମଲାକୁ ଦେଶ ଚୂଡ଼ାନ୍ତ ଯୁଦ୍ଧ ଭାବେ ଗ୍ରହଣ କରିବ। ଏଥିପାଇଁ ଶକ୍ତିଶାଳୀ ବିକଳ୍ପ ପ୍ରସ୍ତୁତ କରାଯାଇଛି।

ତେହରାନ ଟାଇମ୍ସ ଲେଖିଛି ଯେ, ଟ୍ରମ୍ପଙ୍କୁ ଲାଗୁଛି ବିକ୍ଷୋଭ ପ୍ରଦର୍ଶନ ଇରାନକୁ ଦୁର୍ବଳ କରୁଛି। ମାତ୍ର ବାସ୍ତବରେ ଏହି ପ୍ରଦର୍ଶନର ଆକାର ବହୁତ ଛୋଟ ରହିଛି, ଯାହାକୁ ସରକାର ନିୟନ୍ତ୍ରଣ କରି ନେଇଛନ୍ତି। ଯଦି ଶତ୍ରୁ ତ୍ରୁଟି କରେ ତେବେ ସେମାନଙ୍କ ପାଇଁ ନର୍କର ଦ୍ଵାର ଖୋଲିଯିବ। ଇରାନର ସର୍ବୋଚ୍ଚ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ମଧ୍ୟ ଶତ୍ରୁ ଉପରେ ଆଗୁଆ ହମଲା ଉପରେ ମୋହର ମାରିଛି।ଇରାନ ନିକଟରେ ବାଲିଷ୍ଟିକ ମିସାଇଲ ଓ ଡ୍ରୋନ୍ସ ରହିଛି, ଯାହା ମଧ୍ୟପ୍ରାଚ୍ୟରେ ଆମେରିକା ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ପାରିବ। ୨୦୨୫ରେ ଆମେରିକାର ଏୟାର ଷ୍ଟ୍ରାଇକ ଜବାବରେ ଇରାନ ମିସାଇଲର ସୀମିତ ଉପଯୋଗ କରିଥିଲା। ଇରାନ ପୂର୍ଣ୍ଣ ଯୁଦ୍ଧ ନୀତି ଆପଣେଇ ନ ଥିଲା।