କଡା କଟକଣା ସତ୍ତ୍ବେ କେମିତି ରଥର ଚଢିଲେ ଅଣସେବାୟତ ?ତଦନ୍ତ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Published By : Prameya-News7 Bureau | July 15, 2024 IST

ପୁରୀ ୧୫/୭:  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶକୁ ଫୁ’ । ପୁଣି ରଥରେ ଚଢିଲେ ଅଣସେବାୟତ । ସେବାୟତ ବେଶରେ ଜଣେ ବ୍ୟକ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ପହଣ୍ଡି ପୂର୍ବରୁ ଚଢିଥିବା ଅଭିଯୋଗ ହୋଇଥିଲା । ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଅଣସେବାୟତଙ୍କ ହାତ ଧରି ଟାଣି ଟାଣି ରଥ ତଳକୁ ଆଣିଥିବା ଦେଖିବାକୁ ମିଳିଛି । ବେକରେ ସେବାୟତଙ୍କ ପରିଚୟ ପତ୍ର ପକାଇ ଅଣ ସେବାୟତ ସେବାୟତଙ୍କ ସହ ବସିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ଘଟଣା ବିଷୟରେ ଅବଗତ ହେବା ପରେ ସଙ୍ଗେ ସଙ୍ଗେ ରଥ ପାଖକୁ ଯାଇ ଅଣ ସେବାୟତଙ୍କୁ ରଥ ଉପରୁ ତୁରନ୍ତ ତଳକୁ ଓହ୍ଲାଇ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଣ ସେବାୟତ ଜଣଙ୍କ ପରିଚୟ ମିଳିନଥିବା ବେଳେ ନିଜ ବେକରେ ସେ ସେବାୟତ ପରିଚୟ ପତ୍ର ପକାଇଥିଲେ। ଅଣ ସେବାୟତଙ୍କ ବେକରୁ ମୁଖ୍ୟ ପ୍ରଶାସକ ପରିଚୟ ପତ୍ର ଜବତ କରିଥିଲେ। ବରିଷ୍ଠ ଦଇତାପତି ସେବାୟତ ଦେବାନନ୍ଦ ଦାସମହାପାତ୍ରଙ୍କ ସହଯୋଗରେ ଏହି ଅଣ ସେବାୟତ ଜଣକ ଦର୍ପଦଳନ ରଥ ଉପରେ ଚଢିଥିବା ଜଣାପଡିଛି। ତେବେ ମହାପ୍ରଭୁଙ୍କ ଘୋଷଯାତ୍ରାରେ ରଥ ଉପରେ କୌଣସି ଅଣ ସେବାୟତ ଯେଭଳି ନଚଢିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ୍ ଏବଂ ଅନୁରୋଧ କରାଯାଉଥିଲେ ମଧ୍ୟ କିଛି ଖଳ ପ୍ରକୃତିର ସେବାୟତ ବାରମ୍ବାର ରଥ ଉପରେ ଅଣ ସେବାୟତଙ୍କୁ ଚଢାଉଛନ୍ତି। ଯାହା ଫଳରେ ରଥ ଉପରେ ମହାପ୍ରଭୁଙ୍କ ନୀତି କାନ୍ତି ସହ ବଡ଼ ସମସ୍ୟା ଉପୁଜୁଛି।

ଗତ ଆଡପ ମଣ୍ଡପ ପହଣ୍ଡି ସମୟରେ ମାଳ ମାଳ ଅନଧିକୃତ ସେବାୟତ ରଥ ଥିବାବେଳେ ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଥିଲେ। ଯାହାକୁ ନେଇ ଭକ୍ତ, ସେବାୟତ, ଗବେଷକ ଏବଂ ଜଗନ୍ନାଥ ପ୍ରେମୀ ସମସ୍ତେ ମର୍ମାହତ ଓ ଦୁଃଖିତ ହେବା ସହ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏତେ ବଡ଼ ଅଘଟଣ ଘଟିଯିବା ପରେ ମଧ୍ୟ କିଛି ଅସାଧୁ ସେବାୟତଙ୍କ ଯୋଗୁ ରଥଯାତ୍ରାରେ ଚରମ ବିଶୃଙ୍ଖଳା ସୃଷ୍ଟି ହେଉଛି। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଦୁଇଜଣ ଅଣ ସେବାୟତ ନନ୍ଦିଘୋଷ ରଥ ଉପରେ ଚଢିଥିଲେ। । ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.