କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? କେବଳ ଫଡନବୀଶ ନୁହନ୍ତି CM ଚେହେରା ପାଇଁ ଉଠିଲାଣି ଏହି ୨ ନେତାଙ୍କ ନାମ

Published By : Prameya-News7 Bureau | November 29, 2024 IST

ମୁମ୍ବାଇ ୨୯।୧୧: ମହାରାଷ୍ଟ୍ର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ୨ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଏବଂ ଅଜିତ ପାୱାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ମଧ୍ୟ ସରକାର ଗଠନକୁ ନେଇ ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହେଉ ନାହିଁ। ଏଣୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେବି କଳ୍ପନାଜଳ୍ପନା ଲାଗି ରହିଛି। ବିଧାନସଭା ନିର୍ବାଚନରେ ବିଜେପି ୧୩୨ ଆସନ ଜିତି ବଡ଼ ଦଳ ଭାବେ ଉଭା ହୋଇଛି। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ବିଧାୟକ ଦଳ ନେତା ଚୟନ ହୋଇପାରିନି। 

ଶୁକ୍ରବାର ଦିନ ତମାମ ବିଧାୟକମାନେ  ଦଳର ନେତା ଚୟନ ପାଇଁ ଅପେକ୍ଷା କରି ରହିଥିଲେ, ହେଲେ ସେମାନଙ୍କୁ କଲ ଆସିନଥିଲା। ଏଥିରୁ ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଜେପିର ବିଧାୟକ ଦଳ ନେତା ନିର୍ବାଚନ ହୋଇ ପାରିବନି ତାହା ସ୍ପଷ୍ଟ ହୋଇଯାଇଛି। ତେବେ ପ୍ରକ୍ରିୟାରେ ହେଉଥିବା ବିଳମ୍ବ ଯୋଗୁ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ କୌଣସି ନୂଆ ଚେହେରା ଉପସ୍ଥାପନ କରାଯାଇ ପାରେ ବୋଲି ଏବେ ଆକଳନ କରାଯାଉଛି। 

ଗୁରୁବାର ବିଳମ୍ବିତ ରାତ୍ରିରେ ଅମିତ ଶାହଙ୍କ ସହିତ ମହାରାଷ୍ଟ୍ର ନେତାମାନଙ୍କ ବୈଠକରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କୌଣସି ସ୍ପଷ୍ଟ ସଂକେତ ମିଳିନଥିଲା। କୁହାଯାଉଛି ବୈଠକରେ କେବଳ ଏତିକି କୁହାଯାଇଥିଲା ମୁଖ୍ୟମନ୍ତ୍ରୀ କେହି ବିଜେପିରୁ ହେବେ। ଏଥିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦେବେନ୍ଦ୍ର ଫଡନବୀଶଙ୍କ ନାମ ମଧ୍ୟ ସୁନିଶ୍ଚିତ କରାଯାଇ ନାହିଁ।  ବୈଠକରେ କେବଳ ଏତିକି ନିଷ୍ପତ୍ତି ହୋଇଥିଲା ଯେ ବିଜେପି, ଶିବସେନା (ସିନ୍ଦେ) ଓ ଏନସିପି(ଅଜିତ) ମୁମ୍ବାଇ ଫେରି ସରକାର ଗଠନ ପ୍ରକ୍ରିୟା ଉପରେ ଆଲୋଚନା କରିବେ। 

ତେବେ ଦିଲ୍ଲୀରୁ ଫେରିବା ପରେ ଶିବସେନା ନେତା ଏକନାଥ ସିନ୍ଦେ ଶୁକ୍ରବାର ସକାଳେ ନିଜ ଗାଁକୁ ଚାଲିଯାଇଛନ୍ତି। ଏବେ ଶିବସେନା (ସିନ୍ଦେ)ର ମୁମ୍ବାଇ ନେତାମାନେ ବିଜେପି ପକ୍ଷରୁ ବିଧାୟକ ଦଳ ନେତା ଚୟନ ପରେ ହିଁ ଯାଇ ସରକାର ଗଠନ ନିମନ୍ତେ କୌଣସି କଥାବାର୍ତ୍ତା ଆଗକୁ ବଢିପାରିବ ବୋଲି କହୁଛନ୍ତି। ଯେବେ ଏହି କଥା ଆଗକୁ ବଢିବା ସ୍ଥିତିକୁ ଆସିବ ସିନ୍ଦେ ସେବେ ତାଙ୍କ ଗାଁରୁ ଫେରିବେ ବୋଲି  ଶିବସେନା ନେତାମାନେ କହୁଛନ୍ତି। 

ସେପଟେ ବିଜେପିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦେବେନ୍ଦ୍ର ଫଡନବୀଶଙ୍କ ବ୍ୟତୀତ ଏବେ କିଛି ଅନ୍ୟ ନେତାଙ୍କ ନାମ ମଧ୍ୟ ଆସିଲାଣି।  ଏଥିରେ ଅନ୍ୟାନ୍ୟ ପଛୁଆ ବର୍ଗରୁ ଆସୁଥିବା ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଭନକୁଲେ ଓ ମରାଠା ସମୂଦାୟରୁ ଆସୁଥିବା ପୁଣେର ସାଂସଦ ତଥା କେନ୍ଦ୍ର ସରକାରରେ ମନ୍ତ୍ରୀ ମୂରଲୀଧର ମୋହୋଲଙ୍କ ନାମ ବି ଚର୍ଚ୍ଚା ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.