ଟ୍ରମ୍ପଙ୍କ ତଣ୍ଟିରେ ଲାଗିବ ‘ଇରାନ୍ କଣ୍ଟା’ ! ଆମେରିକା ଶକ୍ତିଶାଳୀ, କିନ୍ତୁ କମଜୋର୍ ନୁହେଁ ତେହେରାନ୍

NEWS7
odisha-assembly-adjourned-till-4pm

ନୂଆଦିଲ୍ଲୀ: ସୁପର ପାଓ୍ବାର ଆମେରିକା ନଜରରେ ଏବେ ଇରାନ୍ । ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ରାତି ଅଧରେ ବନ୍ଦି କରିଥିବା ଟ୍ରମ୍ପ ଏବେ ଇରାନ୍କୁ ଅକ୍ତିଆର କରିବାକୁ ପ୍ରସ୍ତୁତ । ଦୁଇ ଦେଶ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି । ସେପଟେ ଇରାନ୍ରେ ଏବେ ସତ୍ତା ବିରୋଧୀ ବିଦ୍ରୋହ ନେଇଛି ଉଗ୍ରରୂପ । ଶତାଧିକ ଲୋକଙ୍କ ଜୀବନ ଯାଉଛି । ଜଳୁଛି ଗାଁରୁ ସହର । କିନ୍ତୁ ଇରାନ୍ର ଖାମେନି ସରକାର ଦୃଢ଼ ନିଶ୍ଚିତ । ଯଦି ଆମେରିକା ଆକ୍ରମଣ କରେ ପ୍ରତିଜବାବ ପାଇଁ ତୟାର ତେହେରାନ । ଇରାନ୍ ଆମେରିକା ପାଇଁ ଗୁରୁତ୍ବପୂର୍ଣ୍ଣ । ଏହା ପାଖରେ ଥିବା ତୈଳ ଭଣ୍ଡାର ହେଉ କି, ବିଶ୍ବର ବହୁ ଗୁରୁତ୍ବପୂର୍ଣ୍ଣ ହୋର୍ମୁଜ ପ୍ରଣାଣୀ, ସବୁଥିରେ ମାଲିକାନା ଚାହୁଁଛି ଆମେରିକା । ସେପଟେ ଇରାନ୍ କିନ୍ତୁ, ବିଶ୍ବର ସୁପରପାଓ୍ବାର ଆମେରିକାକୁ ଦେଖାଉଛି ନାଲିଆଖି । ଏଭଳି ସ୍ଥିତିରେ ଦୁଇ ଦେଶର ସାମରିକ ଶକ୍ତିକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ଆମେରିକା ଶକ୍ତିଶାଳୀ, କିନ୍ତୁ କମଜୋର ନୁହେଁ ଇରାନ୍ । ସମ୍ମୁଖ ଲଢ଼େଇରେ ହୁଏତ ଆମେରିକା ଜିତିଯାଇପାରେ, କିନ୍ତୁ ଶେଷ ନିଶ୍ବାସ ଯାଏଁ ଲଢ଼ିବାକୁ ପ୍ରସ୍ତୁତ ତେହେରାନ । ହେଲେ ଆମେରିକା ଭଳି ସୁପରପାଓ୍ବାର ଆଗରେ କେତେ ଦିନ ତିଷ୍ଠିପାରିବ ଇରାନ୍, ତାହା ମଧ୍ୟ ପ୍ରଶ୍ନବାଚୀ। ପ୍ରତିରକ୍ଷା ବଜେଟ ଦୃଷ୍ଟିରୁ ଆମେରିକା ବିଶ୍ବର ଏକ ନମ୍ବର । ଏହି ତାଲିକାରେ ଇରାନ୍ ୧୬ ନମ୍ବର ସ୍ଥାନରେ । ପ୍ରତିରକ୍ଷା ଲାଗି ଆମେରିକାର ବଜେଟ ୮୯୫ ବିଲିୟନ ଡଲାର । ଇରାନ୍ର ବଜେଟ୍ ପ୍ରାୟ ୧୫ ବିଲିୟନ୍ ଡଲାର । ଆମେରିକା ସେନା କେତେ ଆଡଭାନ୍ସ ତାହା ତା’ର ପ୍ରତିରକ୍ଷା ବଜେଟରୁ ସ୍ପଷ୍ଟ ଅନୁମେୟ ।

ଦୁଇ ଦେଶର ସ୍ଥଳ ସେନାରେ ସୈନିକିଙ୍କ ସଂଖ୍ୟାରେ ବିଶେଷ ପ୍ରଭେଦ ନାହିଁ । ଆମେରିକାର ସ୍ଥଳ ସେନାରେ ୧୩ ଲକ୍ଷ ସକ୍ରିୟ ସୈନିକ ଅଛନ୍ତି । ଇରାନ୍ ପାଖରେ ୬ ଲକ୍ଷ ସକ୍ରିୟ ସୈନିକ ଅଛନ୍ତି । କିନ୍ତୁ ଅର୍ଦ୍ଧାସାମରିକ ବଳ ଏବଂ ଅନ୍ୟା ବାହିନୀରେ ଖୁବ ଅଧିକ ସୈନିକ ଅଛନ୍ତି । ଯେତେବେଳେ ଆଧୁନିକ ଯୁଦ୍ଧାସ୍ତ୍ରର କଥା ଆସେ ସେତେବେଳେ ବହୁ ପଛରେ ଇରାନ । ଇରାନର ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନଗୁଡ଼ିକ ପୁରୁଣା ସୋଭିଏତ୍ ଏବଂ ସ୍ୱଦେଶୀ ଡିଜାଇନ୍ ଉପରେ ଆଧାରିତ। ଆମେରିକା ପାଖରେ ଆଧୁନିକ ଟ୍ୟାଙ୍କ, ଡିଜିଟାଲ୍ ଯୁଦ୍ଧ ପ୍ରଣାଳୀ ଏବଂ ରିୟଲ ଟାଇମ ଇଣ୍ଟେଲିଜେନ୍ସ ରହିଛି।

ବାୟୁସେନା ମାମଲାରେ ଇରାନ୍ ଖୁବ ଦୁର୍ବଳ । ଇରାନ ପାଖରେ ମାତ୍ରା ୫୬୦ ଏୟାରକ୍ରାଫ୍ଟ ରହିଛି । ଏହାର ବାୟୁସେନାରେ F-14, F-4 ଏବଂ MiG ଭଳି ପୁରୁଣା ଯୁଦ୍ଧ ବିମାନ ଅଛି । ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ସେଗୁଡ଼ିକର ରକ୍ଷଣାବେକ୍ଷ ହୋଇପାରି ନାହିଁ । ଅନ୍ୟପଟେ ଆମେରିକା ପାଖରେ F-35 ଏବଂ F-22 ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ, ଡ୍ରୋନ୍, AWACS ସିଷ୍ଟମ ଏବଂ ସାଟେଲାଇଟ୍-ସମର୍ଥିତ ପ୍ରତିରକ୍ଷା ପ୍ରଣାଳୀ ରହିଛି । ଆମେରିକା ପାଖରେ ୧୩ ହଜାର ସକ୍ରିୟ ମିଲିଟାରି ଏୟାରକ୍ରାଫ୍ଟ ରହିଛି । ସମ୍ଭାବ୍ୟ ଯୁଦ୍ଧରେ, ଆମେରିକା ପ୍ରଥମେ ଇରାନର ବାୟୁ ପ୍ରତିରକ୍ଷା ଏବଂ ବାୟୁସେନା ଘାଟିଗୁଡ଼ିକୁ ଟାର୍ଗେଟ କରିପାରେ ।

ଇରାନର ନୌସେନା ଛୋଟ କିନ୍ତୁ ରଣନୈତିକ ଦୃଷ୍ଟିରୁ ବିପଦପୂର୍ଣ୍ଣ । ଇରାନ ପାଖରେ ବଡ଼ ବିମାନ ବାହକ ଜାହାଜର ଅଭାବ ଅଛି । କିନ୍ତୁ ରହିଛି ବୁଡ଼ାଜାହାଜ ଏବଂ ଆଣ୍ଟି ଶିପ୍ ମିସାଇଲ୍ । ଇରାନର ସବୁଠାରୁ ବଡ଼ ଶକ୍ତି ହେଉଛି ହୋର୍ମୁଜ୍ ପ୍ରଣାଳୀ । ବିଶ୍ୱର ଅଧିକାଂଶ ଦେଶକୁ ତେଲ ଯୋଗାଣ କରିବାର ଏକମାତ୍ର ଜଳପଥ । ଯଦି ଇରାନ ଏହି ଅଞ୍ଚଳକୁ ଅବରୋଧ କରେ, ତେବେ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇପାରେ। ଯଦିଓ ଆମେରିକା ନୌସେନା ଦୃଷ୍ଟିରୁ ଶକ୍ତିଶାଳୀ,କିନ୍ତୁ ଇରାନର ଗରିଲା ନୌସେନା ରଣନୀତି ଏହାକୁ ସଂକୀର୍ଣ୍ଣ ସମୁଦ୍ର ରାସ୍ତାରେ କ୍ଷତି ପହଞ୍ଚାଇପାରେ। ଆମେରିକା ନୌସେନାର ଶକ୍ତିକୁ ଦେଖିଲେ, ଏହା ପାଖରେ ଶକ୍ତିଶାଳୀ ବ୍ଲୁ-ଓ୍ବାଟର ଫୋର୍ସ ରହିଛି । ଏଥିରେ ୧୧ଟି ଏୟାରକ୍ରାଫ୍ଟ କ୍ୟାରିୟର ଏବଂ ୮୧ଟି ଡେଷ୍ଟ୍ରୟର ରହିଛି । ଅନ୍ୟପକ୍ଷରେ, ଆମେରିକା ପାଖରେ ପ୍ରାୟ ୩୦ ହଜାର ମିସାଇଲ୍ ଥିବା ବେଳେ ଇରାନ୍ ପାଖରେ ମାତ୍ର ୩୦୦୦ ମିସାଇଲ୍ ରହିଛି ।

ଆମେରିକା ପାଖରେ ପରମାଣୁ ଯୁଦ୍ଧାସ୍ତ୍ରର ଭଣ୍ଡାର ରହିଛି । ଇରାନ୍ ଆଣବିକ ଯୁଦ୍ଧାସ୍ତ୍ର ବିକଶିତ କରିପାରି ନାହିଁ । ପରମାଣୁ ବୋମା ତିଆରି ଲାଗି ଇରାନ୍ ପାଖରେ ୟୁରାନିୟମ ଥିଲେ ସୁଦ୍ଧା, ପ୍ରତିବନ୍ଧ ପାଇଁ ପଡ଼ିଛି ପଛରେ । ଯଦି ଯୁଦ୍ଧ ହୁଏ ତେବେ, ଆମେରିକାକୁ ନାଟୋ ଏବଂ ମଧ୍ୟପ୍ରାଚ୍ୟ ସହଯୋଗୀଙ୍କୁ ପାଖରୁ ସହାୟତା ମିଳିବ । ସେପଟେ ଇରାନ୍ କେବଳ ପ୍ରକ୍ସି ଓ୍ବାର ଉପରେ ନିର୍ଭଳଶୀଳ । ଇରାନ୍ ସମର୍ଥିତ ଆତଙ୍କବାଦୀ ଲେବାନନ୍, ୟେମେନ, ସିରିଆରେ ଆକ୍ଟିଭ । ସୈନିକିଙ୍କ ବିନା ଛାୟା ଯୁଦ୍ଧ ଲଢ଼ିବାକୁ ସକ୍ଷମ ଇରାନ୍ । ବର୍ତ୍ତମାନ ପରିସ୍ଥିତିରେ ସଂପୂର୍ଣ୍ଣ ଯୁଦ୍ଧର ସମ୍ଭାବନା କମ୍, କିନ୍ତୁ ଉତ୍ତେଜନା ଏବଂ ସଂଘର୍ଷ ଜାରି ରହିବାର ସମ୍ଭାବନା ଅଧିକ।