ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ପଦକ ହାସଲ କରିଥିବା ଓଡ଼ିଶା ପୋଲିସ ଖେଳାଳିଙ୍କୁ ସମ୍ମାନିତ କଲେ ଡିଜିପି

Published By : Prameya-News7 Bureau | July 19, 2025 IST

ଭୁବନେଶ୍ବର ୧୭: ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ଓଡ଼ିଶା ପୋଲିସର ପଦକ ବିଜେତା କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡ଼ିଶା ଫେରିଛନ୍ତି । ଏହି ଅବସରରେ ରାଜ୍ୟ ପୋଲିସର ସଫଳ କ୍ରୀଡ଼ାବିତମାନେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତା ନିମନ୍ତେ ଡିଜିପି ଭୂୟସୀ ପ୍ରଶଂସା କରିଛନ୍ତି ।

ଏହି ପଦକ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି । କ୍ରୀଡ଼ାବିତଙ୍କ ଏହି ଅସାଧାରଣ ସଫଳତା ଦେଶ, ଓଡ଼ିଶା ରାଜ୍ୟ ତଥା ଓଡ଼ିଶା ପୋଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି ଡିଜିପି ମତ ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ଆମେରିକାର ବର୍ମିଂହାମରେ ଜୁନ୍ ୨୭ରୁ ଜୁଲାଇ ୬, ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ୭ ଜଣ ଓଡ଼ିଶା ପୋଲିସ କର୍ମଚାରୀ (୫ ପୁରୁଷ ଏବଂ ୨ ମହିଳା)ଙ୍କ ଏକ ଦଳ ଭାରତୀୟ ପୋଲିସ ଦଳର ପ୍ରତିନିଧିତ୍ୱ କରି ୨୦ ପଦକ ବିଜୟୀ ହୋଇ  ଭାରତୀୟ କ୍ରୀଡା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଲେଖିଛନ୍ତି । ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଏବଂ କରାଟେ ଇଭେଣ୍ଟରେ ବ୍ୟକ୍ତିଗତ ଭାବରେ ୧୩ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ସହ ମୋଟ ୨୦ ପଦକ ହାସଲ କରିଛନ୍ତି । ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ କେବଳ ଓଡ଼ିଶା ପୋଲିସ ପାଇଁ  ଗୌରବ ଆଣିନାହିଁ ବରଂ ଭାରତର  ପଦକ ତାଲିକାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ରାଜେଶ କୁମାର, ଭୁବନେଶ୍ୱର-କଟକ ପୋଲିସ କମିଶନର ଡ଼ଃ. ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଆଇଜି, ଗୁଇନ୍ଦା, ଜୟ ନାରାୟଣ ପଙ୍କଜ, ରେଳବାଇ ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପଦକ ବିଜେତା କ୍ରୀଡ଼ାବିତ ମାନେ ପୂର୍ବାହ୍ନରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଖେଳାଳିଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.