ଶୁଭ ମୁହୂର୍ତ୍ତ ଦିନ ୧ଟା ୨୮ରେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର, ଶ୍ରୀମନ୍ଦିରରେ ପ୍ରବେଶ କଲେ ଓଡ୍ରାଫ୍ ଟିମ୍

Published By : Prameya-News7 Bureau | July 14, 2024 IST

ପୁରୀ ୧୪: ଶ୍ରୀ ଜଗନ୍ନାଥପ୍ରେମୀଙ୍କ ପ୍ରତୀକ୍ଷାରେ ଅନ୍ତ । ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଥିପାଇଁ ସରକାର ଏସ୍‌ଓପିକୁ ଅନୁମୋଦନ କରିବା ପରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରବିବାର ଖୋଲାଯାଉଛି ରତ୍ନଭଣ୍ଡାର । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ଭିତରକୁ ୧୧ ଜଣିଆ ଟିମ୍ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମ୍ ପ୍ରବେଶ ପରେ ସେଠାରେ ଆଉ କେହି ରହିବେ ନାହିଁ । ରତ୍ନଭଣ୍ଡାରର ସବୁ ଦୃଶ୍ୟ ମୁଣ୍ଡରେ ରଖିବେ ହେଲେ ତୁଣ୍ଡକୁ ଆଣିବେ ନାହିଁ ।

ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଯୋଗୁଁ କଡ଼ା ସୁରକ୍ଷାରେ ଶ୍ରୀମନ୍ଦିରକୁ ରଖାଯାଇଛି । ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବିଭିନ୍ନ ଟିମ୍ । ପୋଲିସ ଫୋର୍ସ, ଓଡ୍ରାଫ୍ ଟିମ୍, ସ୍ନେକ୍ ହେଲ୍ପ ଲାଇନ୍ ଆଦି ଏଥିରେ ସହଯୋଗ କରିବେ । ତେବେ ଶ୍ରୀମନ୍ଦିରରେ ପହଞ୍ଚିଲା ଓଡ୍ରାଫ ଟିମ୍ । ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟାରେ ସାମିଲ ହେବା ନେଇ ଓଡ୍ରାଫ୍ ଟିମ୍ ସମସ୍ତ ପ୍ରସ୍ତୁତି ସହ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି । ରତ୍ନଭଣ୍ଡାର ଖୋଲିବା ସମୟରେ ଆଲୋକ ଏବଂ ଅକ୍ସିଜେନର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୪ ଦଶନ୍ଧି ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରବିବାର ଅପରାହ୍ନ ୧ଟା ୨୮ ମିନିଟ୍‌ରେ ରତ୍ନଭଣ୍ଡାର ଖୋଲିବା ନେଇ ଶୁଭ ମୁହୂର୍ତ୍ତ ରହିଛି । ଶୁଭ ମୁହୂର୍ତ୍ତରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଯଦି ଚାବିରେ ନଖୋଲିଲା ତେବେ ଚାବି ଭଙ୍ଗାଯିବ । ଏଥିପାଇଁ ତାଲା ଭଙ୍ଗା ଟିମ୍‌ର ସହାୟତା ନିଆଯିବ । ଭଣ୍ଡାର ଖୋଲିବା ପୂର୍ବରୁ ବିଧିବଦ୍ଧ ଭାବେ ମହାପ୍ରଭୁ, ମା’ ଲକ୍ଷ୍ମୀ, ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ, ମା’ ବିମଳାଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିର ବେଢ଼ାରେ ଥିବା ଅନ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ଶୁଭ ମୁହୂର୍ତ୍ତରେ ରତ୍ନଭଣ୍ଡାର ଖୋଲାଯିବ । ଭିତରେ ସାପ ଥିବାର ଆଶଙ୍କା ଥିବାରୁ ସ୍ନେକ୍‌ ହେଲପ୍‌ଲାଇନର ସହାୟତା ନିଆଯାଇଛି । ଡାକ୍ତରୀ ଦଳ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ମହଜୁଦ ରହିଛନ୍ତି । ଆବଶ୍ୟକ ହେଲେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ ।

ରତ୍ନ ଗଣତି ମଣତି, ସ୍ଥାନାନ୍ତର ଓ ରତ୍ନଭଣ୍ଡାର ମରାମତି ନେଇ ବିଭିନ୍ନ କମିଟି କରାଯାଇଛି । ଏହାର ଅଧ୍ୟକ୍ଷମାନେ ଆବଶ୍ୟକ କାର୍ଯ୍ୟ ତୁଲାଇବେ । ରତ୍ନଭଣ୍ଡାରରେ ମହଜୁଦ୍‌ ଥିବା ସିନ୍ଦୁକ ସିଲ୍‌ ଉଦ୍ଧାର କରାଯାଇ ଶ୍ରୀମନ୍ଦିର ଭିତରେ କରାଯାଇଥିବା ଦୁଇଟି ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରି ରଖାଯିବ । ଖଟଶେଜ ଘର ଓ ଚାଙ୍ଗଡ଼ା ଘରକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ କରାଯାଇଛି । ରତ୍ନଭଣ୍ଡାର ଗଣତିମଣତି ସମୟରେ ରେକର୍ଡ ରଖିବାକୁ ଭିଡିଓଗ୍ରାଫି କରାଯିବ । ପ୍ରଥମେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ସ୍ଥାନାନ୍ତର କରାଯିବ । ଏହାପରେ ଗଣତି ହେବ ।

You Can Read:

ଶୁଭ ମୁହୂର୍ତ୍ତରେ ଖୋଲିବ ରତ୍ନଭଣ୍ଡାର, ଭିତରକୁ ଯିବେ ୧୧ ସଦସ୍ୟ- ଜଷ୍ଟିସ୍ ବିଶ୍ୱନାଥ ରଥ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.