ଭଞ୍ଜନଗର ୧୯/୧: ମୋବାଇଲରେ ହତ୍ୟା ଧମକ ଦେଇଥିଲେ । ମାରିଦେଲେ । ଗାଧୋଇବାକୁ ଯାଇ ଆଉ ଫେରିଲେନି ରାଇବନ୍ଧ ଗାଁର ଡମ୍ବରୁ ସ୍ବାଇଁ । ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ରାଇବନ୍ଧ ଗାଁରେ ଆଲୋଡନ । ମୃତକ ଡମ୍ବରୁ ସୁରଟରେ ଦାଦନ ଶ୍ରମିକ ଭାବରେ କାମ କରନ୍ତି ।
କିଛି ଦିନ ତଳେ ଝିଅ ବାହାଘର ପାଇଁ ଗାଁକୁ ଆସିଥିଲେ । ସେହି ସମୟରେ ଗାଁର ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା ଧମକ ଦେଇଥିଲା । ମୋବାଇଲରେ ମେସେଜ ଆଧାରରେ ଡମ୍ବରୁ ବଡଗଡ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଘର ଲୋକଙ୍କ କହିବା କଥା କିଛି ବର୍ଷ ପୂର୍ବରୁ ଧମକ ଦେଇଥିବା ବ୍ୟକ୍ତିଙ୍କ ସହ ଡମ୍ବରୁଙ୍କ ଝଗଡା ହୋଇଥିଲା । ପୋଲିସ ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା ।
ତେବେ ୧୮ ତାରିଖ ଅର୍ଥାତ ଶନିବାର ସଂଧ୍ୟା ସମୟରେ ଡମ୍ବରୁ ବନ୍ଧକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ବିଳମ୍ବ ହେବାରୁ ଘର ଲୋକେ ତାଙ୍କୁ ଫୋନ କରିଥିଲେ । ଫୋନ ନ ଉଠାଇବାରୁ ସମସ୍ତଙ୍କ ମନରେ ସନ୍ଦେହ ହୋଇଥିଲା । ବନ୍ଧକୁ ଯାଇଥିଲେ ଖୋଜିବାକୁ । ସେଠି ପହଞ୍ଚିଲା ବେଳକୁ ଡମ୍ବରୁଙ୍କ ରକ୍ତଜୁଡୁବୁଡୁ ମୃତଦେହ ପଡିଥିବା ଦେଖିଥିଲେ । ଡମ୍ବରୁଙ୍କୁ ହତ୍ୟା କରାଯାଇଥିବା ନେଇ ପୁରୁଣା କଥାକୁ ଦୋହରାଇଥିଲେ ପରିବାର ଲୋକ । ବଡଗଡ ପୋଲିସ ମୃତଦେହ ଜବତ କରିବା ସହ ଛାନ୍ଭିନ୍ ଚଳାଇଛି ।