ରାସ୍ତା ଉପରେ ପୂଜା ପେଣ୍ଡାଲ ଓ ତୋରଣ ନିର୍ମାଣ ନ କରିବାକୁ ତାଗିଦ କଲେ ହାଇକୋର୍ଟ

Published By : Prameya-News7 Bureau | September 26, 2024 IST

କଟକ ୨୬।୯: କଟକ ସହର ସମସ୍ୟାକୁ ନେଇ ସିଏମ୍‌ସି ଉପରେ ଖୁବ୍ ବର୍ଷିଛନ୍ତି ହାଇକୋର୍ଟ । ଆଗକୁ ଦଶହରା ଆସୁଥିବାରୁ ରାସ୍ତା ଅବରୋଧ ନକରିବା ଲାଗି ତାଗିଦ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରେ ପୂଜା ପେଣ୍ଡାଲ ଓ ତୋରଣ ନିର୍ମାଣ ନ କରିବା, ଶବ୍ଦ ପ୍ରଦୂଷଣ ରୋକିବା ଲାଗି ଡିଜେ ନବଜାଇବା, ବିଦ୍ୟୁତ ତାର ରାସ୍ତା ଉପରେ ନପକେଇବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ମାସ ୫ ତାରିଖ ସୁଦ୍ଧା ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତାଘାଟ ଗୁଡିକ ବ୍ୟବହାର ଯୋଗ୍ୟ ହୋଇପାରିବ ବୋଲି ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ରାଜ୍ୟ ପୂର୍ତ୍ତ ସଚିବ । ସେହିପରି ଏସସିବି ମେଡିକାଲରେ ଲାଗି ରହିଥିବା ନାନାବିଧ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି ହାଇକୋର୍ଟଙ୍କୁ ସ୍ୱାସ୍ଥ୍ୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି । 

ତେବେ କମଳାକାନ୍ତ ବିଦ୍ୟାପୀଠ ନିକଟରୁ ଯଦି ବର୍ଷା ଜଳ ନିଷ୍କାସିତ ନହୋଇ ପାରୁଛି, ତେବେ କ’ଣ ସେଠାରେ ଡ଼ଙ୍ଗା ପଡିବ ବୋଲି ସିଏମସି କମିଶନରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ବିପର୍ଯ୍ୟସ୍ତ ରାସ୍ତାଘାଟର ତ୍ୱରିତ ବେଗରେ ମରାମତି କରାଇବା, ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେବା, ମଶା ନିୟନ୍ତ୍ରଣ ଲାଗି ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସିଏମ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । 

ଆସନ୍ତା ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତା ଭିତରେ ସମସ୍ତ ନିର୍ଦ୍ଦେଶର ସଠିକ ଅନୁପାଳନ ଲାଗି କୋର୍ଟ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିତ କରିଛନ୍ତି । ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ, ସିଏମସି କମିଶନର, ସ୍ବାସ୍ଥ୍ୟ ଅଧିକାରୀ, ସିଟି ଇଞ୍ଜିନିୟର, ଏସସିବି ଅଧିକ୍ଷକ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ଥିଲେ । ଅନ୍ୟପଟେ, ରାଜ୍ୟ ସ୍ବାସ୍ଥ୍ୟ ସଚିବ, ନଗର ଉନ୍ନୟନ ବିଭାଗ ସଚିବ ଏବଂ କଟକ ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ ।

You Can Read:

CMC ଉପରେ ବର୍ଷିଲେ ହାଇକୋର୍ଟ : ଯଦି ବର୍ଷା ଜଳ ନିଷ୍କାସିତ ହୋଇ ପାରୁନି, କ’ଣ ସେଠାରେ ଡ଼ଙ୍ଗା ପଡିବ ?

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.