ପ୍ୟାରିସ୍: ପାରା ଅଲିମ୍ପିକ୍ସ ୨୦୨୪ରେ ନିତେଶ କୁମାର ଦେଶ ପାଇଁ ଦ୍ଵିତୀୟ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେ ବ୍ୟାଡମିଣ୍ଟନ ପୁରୁଷ ଏକକ ଏସଏଲ ୩ ବର୍ଗରେ ଗ୍ରେଟ୍ ବ୍ରିଟେନ୍ର ଡାନିଏଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେ ପ୍ୟାରିସ୍ ପାରା ଅଲିମ୍ପିକ୍ସ ୨୦୨୪ରେ ସ୍ଵର୍ଣ୍ଣ ପଦକ ଜିତିବାରେ ଦ୍ଵିତୀୟ ଭାରତୀୟ ଆଥଲେଟ୍। ଏହାକୁ ମିଶାଇ ୨୦୨୪ ପାରା ଅଲିମ୍ପିକ୍ସରେ ଭାରତର ଏହା ହେଉଛି ନବମ ପଦକ।
ନିତେଶ ପ୍ରଥମ ଥର ପାରା ଅଲିମ୍ପିକ୍ସରେ ସାମିଲ ହୋଇ ପ୍ରଥମ ଥରରେ ହିଁ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ପାରା ଅଲିମ୍ପିକ୍ସର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତିବାରେ ତୃତୀୟ ଭାରତୀୟ ଆଥଲେଟ୍ ହୋଇଛନ୍ତି ନିତେଶ। ତାଙ୍କ ପୂର୍ବରୁ ଟୋକିଓ ପାରାଅଲିମ୍ପିକ୍ସରେ ପ୍ରମୋଦ ଭଗତ ଓ କୃଷ୍ଣା ନାଗର ପୁରୁଷ ଏକକ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ।
Also read: ଇତିହାସ ରଚିବାର ଦ୍ଵାର ଦେଶରେ ବାଂଲାଦେଶ, ପ୍ରଥମ ଥର ପାକିସ୍ତାନଠୁ ଜିତିବ ଟେଷ୍ଟ ସିରିଜ୍
ଭାରତ ଏ ପର୍ଯ୍ୟନ୍ତ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ମୋଟ୍ ୯ ପଦକ ଜିତି ସାରିଛି। ସୁଟିଂରେ ଏ ପର୍ଯ୍ୟନ୍ତ ଭାରତକୁ ୪ ପଦକ ମିଳି ସାରିଛି। ଅବନୀ ଲେଖରା ସ୍ଵର୍ଣ୍ଣ, ମନୀଷ ନରଓ୍ଵାଲ ରୌପ୍ୟ, ମୋନା ଅଗ୍ରଓ୍ଵାଲ ଓ ରୁବିନା ଫ୍ରାନ୍ସିସ୍ କାଂସ୍ୟ ପଦକ ଜିତିଛନ୍ତି। ଆଥଲେଟିକ୍ସ ମଧ୍ୟ ଦେଶ ପାଇଁ ୪ ପଦକ ଜିତି ସାରିଛନ୍ତି। ନିଷାଦ କୁମାର ଉଚ୍ଚ ଡିଆଁରେ ରୌପ୍ୟ, ଯୋଗେଶ କୁମାର କଥୁନିଆ ଡିସକସ୍ ଥ୍ରୋରେ ରୌପ୍ୟ, ପ୍ରୀତି ପାଲ ମହିଳାଙ୍କ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି।