ଆଠଗଡ଼: ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାଙ୍କୁ ନମସ୍କାର ନକରିବାରୁ ମାଡ ଖାଇଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। କେବଳ ନମସ୍କାର ନୁହେଁ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ କରାଯାଉଥିବା ବେଳେ କାହିଁକି ରାଜନୈତିକ ଦଳର କର୍ମୀଙ୍କୁ ସାଙ୍ଗରେ ନେଉନାହାଁନ୍ତି ବୋଲି ସେଥିପାଇଁ ମଧ୍ୟ ଆକ୍ରୋଶର ଶିକାର ହୋଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ଦିବ୍ୟାନୁ ରଞ୍ଜନ ବେହେରା। ଏଭଳି ଘଟଣା ଘଟିଛି ଆଠଗଡ ବ୍ଲକ ଖୁଣ୍ଟୁଣୀ ପଞ୍ଚାୟତରେ।
ଖୁଣ୍ଟୁଣୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ କର୍ମୀଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଅଫିସ ଭିତରେ ପଶି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଛନ୍ତି। ଏନେଇ ଖୁଣ୍ଟୁଣୀ ଥାନାରେ ଏତଲା ଦେଇଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଦିବ୍ୟାନୁ ରଞ୍ଜନ ବେହେରା। ପାଞ୍ଚ ଜଣ ଯୁବକ ଆସି ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ନେଇ ଥାନାରେ ସେ ଏତଲା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଏଡିଓ ବସି କାର୍ଯ୍ୟ କରୁଥିବା ବେଳେ ତପନ ପ୍ରଧାନ ଓ ପରେଶ ସାହୁଙ୍କ ସହ ତିନି ଜଣ ଯୁବକ ଆସି ପିଇଓ ଦିବ୍ୟାନୁଙ୍କୁ ଆକ୍ରମଣ କରିବା ସହ ତାଙ୍କ ତଣ୍ଟି ଚିପି ମାରିଦେବାକୁ ଚେଷ୍ଟା କରିଥିଲେ। ପରେ ଏଡିଓ ଆସି ତାଙ୍କୁ ରକ୍ଷା କରିଥବା ଏତଲାରେ ଦର୍ଶାଇଛନ୍ତି। ଏନେଇ ଆଠଗଡ଼ ବ୍ଲକର ସମସ୍ତ ପଦାଧିକାରୀ ଖୁଣ୍ଟୁଣି ଥାନାର ଦ୍ୱାରସ୍ଥ ହେବା ସହ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ ନାହିଁ ବୋଲି କହିଛନ୍ତି।