ଆମେରିକା ଜବତ କରିଥିବା ଋଷ ତେଲ ଟ୍ୟାଙ୍କରରେ ଫସିଛନ୍ତି ୩ ଭାରତୀୟ: ରିପୋର୍ଟ

NEWS7
passenger-bus-loses-balance-and-falls-on-taptapani-ghati

ନୂଆଦିଲ୍ଲୀଆମେରିକା ଜବତ କରିଥିବା ଭେନେଜୁଏଲା ସମ୍ବନ୍ଧିତ ଋଷ ତେଲ ଟ୍ୟାଙ୍କରରେ ରହିଛନ୍ତି ୩ ଭାରତୀୟ। ଋଷିଆ ଟୁଡେରେ ଏନେଇ ଖବର ପ୍ରକାଶ ପାଇଛି। ଏହି ତେଲ ଟ୍ୟାଙ୍କରରେ ୨୮ ଜଣ ସଦସ୍ୟ ରହିଥିଲେ। ସେଥିମଧ୍ୟରୁ ୩ ଜଣ ଭାରତୀୟ ଅଛନ୍ତି ବୋଲି ଋଷ ଗଣମାଧ୍ୟମ ଖବର କରିଛି। ବୁଧବାର(୭ ଜାନୁଆରୀ ୨୦୨୬) ଋଷ ପତାକା ଥିବା ମାରିନେରା ତେଲ ଟ୍ୟାଙ୍କରକୁ ଜବତ କରିଥିଲା ଆମେରିକା। କ୍ୟାରବିୟାନ ସିରୁ ସପ୍ତାହ ଧରି ପିଛା କରିବା ପରେ ଶେଷରେ ଉତ୍ତର ଆଟଲାଣ୍ଟିକ୍‌ରେ ଏହାକୁ ଜବତ କରାଯାଇଥିଲା। 

ସବୁଠାରୁ ବଡ଼ କଥା ହେଲା ଏହି ତେଲ ଟ୍ୟାଙ୍କରକୁ ଋଷର ଯୁଦ୍ଧପୋଥ ସୁରକ୍ଷା ଦେଉଥିଲେ। ଏହା ସତ୍ତ୍ୱେ ବି ଆମେରିକା ଔଧତ୍ୟ କରି ଏହାକୁ ଜବତ କରିବା ବିଶ୍ୱବ୍ୟାପୀ ରାଜନୈତିକ ହଇଚଇ ସୃଷ୍ଟି କରିଛି। ଆମେରିକା ତେଲ ଟ୍ୟାଙ୍କର ଜବତ କରିବା ବେଳେ ରୁଷ ନୌସେନା ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ମଧ୍ୟ ସେହି ଅଞ୍ଚଳରେ ଉପସ୍ଥିତ ଥିଲେ। ଏହାକୁ ଘୋଷ୍ଟ ଫ୍ଲିଟ୍(ଅବୈଧ ବ୍ୟାପାରରେ ଲିପ୍ତ ଜାହାଜ) ବିରୁଦ୍ଧରେ ଏକ ବଡ଼ ଆଘାତ ବୋଲି ସେ କହିଛନ୍ତି ଆମେରିକାର ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ।

ଏନେଇ ଆମେରିକା କହିଛି ଯେ ଟ୍ୟାଙ୍କର ଟି ପୂର୍ବରୁ ଆମେରିକାର ସାମୁଦ୍ରିକ ଅବରୋଧକୁ ଚକ୍ମା ଦେଇ ଚାଲିଯାଇଥିଲା। ଏହାପରେ ଆମେରିକା ତଟରକ୍ଷୀ ବାହିନୀ ପକ୍ଷରୁ ଜାହାଜରେ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଥିଲେ ବି ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିଲା ଋଷ ତୈଳ ଟ୍ୟାଙ୍କରରେ ଥିବା ଅଧିକାରୀ। କେବଳ ଏତିକି ନୁହେଁ, ଧରାପଡ଼ିଯିବା ଭୟରେ, ଜାହାଜଟି ସମୁଦ୍ର ମଝିରେ ନିଜର ପରିଚୟ ଲୁଚାଇବା ପାଇଁ ତା'ର ପତାକା ଏବଂ ପଞ୍ଜୀକରଣ ମଧ୍ୟ ବଦଳାଇଥିଲା।

ଏହି ସମୟରେ ଟ୍ୟାଙ୍କରର ରାସ୍ତାରେ ରୁଷ ନୌସେନା କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ଅନ୍ତର୍ଜାତୀୟ ଗୁଇନ୍ଦା ରିପୋର୍ଟ ଦେଇଥିଲେ। ଏହାପରେ ସମଗ୍ର ଘେରାବନ୍ଦୀ ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ଅପରେସନ ସମୟରେ ରୁଷୀୟ ଯୁଦ୍ଧଜାହାଜ ଏବଂ ଏକ ବୁଡ଼ାଜାହାଜ ସେହି ଅଞ୍ଚଳରେ ଉପସ୍ଥିତ ଥିଲା। ଯଦିଓ ରୁଷୀୟ ସାମରିକ ଜାହାଜ ଏବଂ ଟ୍ୟାଙ୍କର ମଧ୍ୟରେ ସଠିକ୍ ଦୂରତା ନିର୍ଦ୍ଦିଷ୍ଟ କରାଯାଇ ନାହିଁ, ତେବେ ଏଗୁଡ଼ିକର ଉପସ୍ଥିତି ଆମେରିକା ଯେଉଁ ଅପରେସନ କରିଛି ତାହା ଏକ ଗମ୍ଭୀର ଭୂରାଜନୈତିକ ସମସ୍ୟା ସୃଷ୍ଟି କରିଛି।

ଆମେରିକାର ଏହି ଚ୍ୟାଲେଞ୍ଜିଂ ଅପରେସନରେ ବ୍ରିଟିଶ ସରକାର ଖୋଲା ଓ ଗୁରୁତ୍ୱପୂର୍ଣ୍ଣ ସାହାଯ୍ୟ କରିଥିଲେ। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ମିଶନକୁ ଆମେରିକୀୟ ତଟରକ୍ଷୀ ବାହିନୀ ଏବଂ ଆମେରିକୀୟ ସେନା ମିଳିତ ଭାବରେ କରିଥିଲେ। ଏହି ଅପରେସନ ସୁରୁଖୁରର କରାଇବାକୁ ବ୍ରିଟେନ ନିଜ ଲଞ୍ଚପ୍ୟାଡ୍ ବ୍ୟାବହାର କରିବାକୁ ଆମେରିକା ସେନାକୁ ଦେଇଥିଲା।

ଟ୍ୟାଙ୍କରକୁ ଧରିବା ମିଶନ ପାଇଁ ବ୍ରିଟିଶ ବାୟୁସେନା ଘାଟି ବ୍ୟବହାର କରାଯାଇଥିଲା। ରୁଷିଆ ଟ୍ୟାଙ୍କରଟି ଆଇସଲ୍ୟାଣ୍ଡ ଏବଂ ବ୍ରିଟେନ ମଧ୍ୟରେ ଜଳ ସୀମା ଦେଇ ଗତି କରୁଥିବା ସମୟରେ, ୟୁକେର ରୟାଲ ବାୟୁସେନା (RAF) ନିରୀକ୍ଷଣ ବିମାନ ନିରନ୍ତର ଏହାର ଗତିବିଧି ଉପରେ ନଜର ରଖିଥିଲା ଏବଂ ଆମେରିକୀୟ ସେନା ସହିତ ସଠିକ୍ ସୂଚନା ବାଣ୍ଟିଥିଲା।