ଚାମ୍ପିଅନ୍‌ ଚୋର ‘ନଣ୍ଡା’କୁ ବାନ୍ଧିଲା ପୋଲିସ, ଦୀର୍ଘ ବର୍ଷ ଧରି ପୋଲିସକୁ ଦେଉଥିଲେ ଚକ୍‌ମା

NEWS7
pm-modi-about-relations-with-china-border-issue-podcast

ଭୁବନେଶ୍ୱର ୧୨।୦୧ : ରାଜଧାନୀରେ ଚୋରି କରି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା କୁଖ୍ୟାତ ଚୋର ନଣ୍ଡା ଓରଫ ନିରଞ୍ଜନ ସ୍ୱାଇଁ (୪୯) ପୁଣି କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଛି । ନଣ୍ଡାର ଘର ପୁରୀ ଅସ୍ତରଙ୍ଗ ଥାନା ବେଗୁନିଆବସ୍ତ। ନଣ୍ଡାର ସହଯୋଗୀ ଲକ୍ଷ୍ମୀସାଗର ଥାନା କଦଳୀ ଗୋଦାମ ବସ୍ତିର ମୁନମୁନା ପ୍ରଧାନ(୨୬) ବି ଧରାପଡ଼ିଛି। ଉଭୟଙ୍କୁ ଧଉଳି ଥାନା ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ଅଟୋ ସମେତ ଏକ ଶାବଳ, ୧୫ଟି ରୁପା କଏନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

ପୋଲିସ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କି, ଗତ ୭ ତାରିଖରେ ଧଉଳି ଥାନା ଅପଶନା ଗାର୍ଡେନ ପ୍ଲଟ୍ ନଂ-୬୮/୧୫୫୨ରେ ରହୁଥିବା ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା । ୭ ତାରିଖ ରାତିରେ ସନ୍ଧ୍ୟାରାଣୀ ପିଲାଙ୍କୁ ଧରି ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରର ଝରକା ଗ୍ରୀଲ ତାଡ଼ି ଅନ୍ୟ ଏକ ବେଡ୍ରୁମ୍ରେ ପଶିଥିଲେ। ଆଲମିରା ତାଡ଼ି ସୁନାରୁପା ଅଳଙ୍କାର ସମେତ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ପରଦିନ ସକାଳେ ଚୋରି ସଂପର୍କରେ ଜାଣି ସେ ଧଉଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସନ୍ଧ୍ୟାରାଣୀଙ୍କ ଘର ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଚୋରିରେ ଏକ ଅଟୋ ବ୍ୟବହୃତ ହୋଇଥିବା ଜାଣିବାକୁ ପାଇଥିଲା। ଉକ୍ତ ଅଟୋ ନମ୍ବର ଆଧାରରେ ପୋଲିସ ପ୍ରଥମେ ମୁନମୁନା ଓ ପରେ ନଣ୍ଡାକୁ ଗିରଫ କରିବାରେ ସଫଳ ହୋଇଥିଲା। ନଣ୍ଡା ନାଁରେ ରାଜଧାନୀର ବିଭିନ୍ନ ଥାନା-ଖଣ୍ଡଗିରି, ତମାଣ୍ଡୋ, ଶ୍ରୀଲିଙ୍ଗରାଜ, ସହିଦନଗର, ଲକ୍ଷ୍ମୀସାଗର, ମଞ୍ଚେଶ୍ୱର, ମହିଳା ଥାନା, ଇନ୍ଫୋସଟି, ଧଉଳି, ଚନ୍ଦ୍ରଶେଖରପୁର, କ୍ୟାପିଟାଲ, ବାଲିଅନ୍ତା ଏବଂ ବାଲିପାଟଣା ଥାନାରେ ୭୮ଟି ମାମଲା ରହିଛି। ଚୋରି ସହିତ ନଣ୍ଡା ନାମରେ ଏକାଧିକ ବଳାତ୍କାର ମାମଲା ମଧ୍ୟ ରହିଛି। ଅନେକ ଥର ନଣ୍ଡା ଗିରଫ ହୋଇ ଜେଲ୍ ଯାଇଛି । ଜାମିନରେ ଆସିବା ପରେ ସେ ପୁଣି ଚୋରି କାମରେ ମାତି ଯାଉଥିଲା। ଦୀର୍ଘ ୧୯ ବର୍ଷ ହେଲା ସେ ଚୋରି କରୁଥିବା ପୋଲିସ କହିଛି । କମିଶନରେଟ୍ ପୁଲିସ ପକ୍ଷରୁ ନଣ୍ଡାକୁ ଚାମ୍ପିଅନ୍ ଚୋର ଆଖ୍ୟା ଦିଆଯାଇଛି। ନଣ୍ଡାକୁ ଏନ୍ଏସ୍ଏରେ ବୁକ୍ କରାଯିବ ବୋଲି କମିଶନର ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି । ଆଜି ନଣ୍ଡା ଏବଂ ମୁନମୁନାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।