‘ଆମ ସମ୍ୱିଧାନ, ଭାରତର ଏକତାର ମୂଳ ଆଧାର’; ଜଣେ ଅହଂକାରୀ କ୍ୟାବିନେଟ୍ ନିଷ୍ପତ୍ତିକୁ ଚିରି ଥିଲା: ପିଏମ୍ ମୋଦୀ

Published By : Prameya-News7 Bureau | December 14, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ସମ୍ୱିଧାନ ଉପରେ ହୋଇଥିବା ଚର୍ଚ୍ଚାରେ ଭାଗ ନେଇଛନ୍ତି । ପିଏମ୍ ମୋଦୀ କହିଛନ୍ତି, 'ଆମ ସମସ୍ତଙ୍କ ପାଇଁ, ସମସ୍ତ ଦେଶବାସୀଙ୍କ ପାଇଁ, ଦୁନିଆରେ ଗଣତନ୍ତ୍ରକୁ ବିଶ୍ୱାସ କରୁଥିବା ନାଗରିକଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ଲୋକତନ୍ତ୍ରର ପର୍ବକୁ ଗୌରବ ସହ ପାଳନ କରିବାର ସମୟ । ସମ୍ୱିଧାନର ୭୫ ବର୍ଷର ଯାତ୍ରା ଅବସ୍ମରଣୀୟ, ଦୁନିଆର ସବୁଠୁ ମହାନ ଏବଂ ବିଶାଳ ଲୋକତନ୍ତ୍ରର ଏହି ଯାତ୍ରାର ମୂଳରେ ଆମ ସମ୍ୱିଧାନ ନିର୍ମାତାଙ୍କ ଦୂରଦର୍ଶୀ ଯୋଗଦାନ ରହିଛି ।'

'ଭାରତର ଏକତାର  ମୂଳ ଆଧାର ଆମ ସମ୍ୱିଧାନ' ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ୱୋଧନରେ ସ୍ପଷ୍ଟ ଶବ୍ଦରେ କହିଛନ୍ତି । ଏହାକୁ ନିର୍ମାଣ କରିବାରେ ସମାଜର ସବୁ ବର୍ଗଙ୍କ ପ୍ରତିନିଧିତ୍ୱ ଥିଲା । କଂଗ୍ରେସର ନେହରୁ-ଗାନ୍ଧୀ ପରିବାରକୁ ନିଶାଣ କରି ସେ କହିଛନ୍ତି ଯେ ଗୋଟିଏ ପରିବାର ସମ୍ୱିଧାନକୁ ଆଘାତ ପହଞ୍ଚାଇବାରେ କୌଣସି ସୁଯୋଗ ହାତଛଡ଼ା କରିନି ।

୧୯୫୧ରେ ବାକ୍ ସ୍ୱାଧୀନତା ଉପରେ ଆକ୍ରମଣ କରିଛି କଂଗ୍ରେସପିଏମ୍ ମୋଦୀ

ପିଏମ୍ ମୋଦୀ କହିଛନ୍ତି, 'ଏହି ପରିବାରର କୁବିଚାର, କୁନୀତି ପରମ୍ପରା ଲଗାତାର ଚାଲିଛି । ସବୁ ସ୍ତରରେ ଏହି ପରିବାର ସମ୍ୱିଧାନକୁ ଚ୍ୟାଲେଞ୍ଜ କରିଛି । ୧୯୪୭ରୁ ୧୯୫୨ ଯାଏ ଦେଶରେ ନିର୍ବାଚିତ ସରକାର ନଥିଲା । ଅସ୍ଥାୟୀ ବ୍ୟବସ୍ଥା ଥିଲା ଏବଂ ନିର୍ବାଚନ ହୋଇନଥିଲା । ୧୯୫୩ ପୂର୍ବରୁ ରାଜ୍ୟସଭା ଗଠନ ହୋଇନଥିଲା ଏବଂ ଜନତାଙ୍କ କୌଣସି ମତ ନଥିଲା । କିନ୍ତୁ ଏହା ସତ୍ତ୍ୱେ ୧୯୫୧ରେ ଅଧ୍ୟାଦେଶ ଆଣି ସମ୍ୱିଧାନକୁ ବଦଳାଗଲା ଏବଂ ଲୋକଙ୍କ ବାକ୍ ସ୍ୱାଧୀନତା ଉପରେ ଆକ୍ରମଣ କରାଗଲା । ଏହା ସମ୍ୱିଧାନ ନିର୍ମାତାଙ୍କ ଅପମାନ ଥିଲା । ୧୯୫୧ରେ କଂଗ୍ରେସ ଏହି ପାପ କରିଥିଲା । ସେତେବେଳେ ଏହା ଭୁଲ ହେଉଛି ବୋଲି ରାଷ୍ଟ୍ରପତି କହିଥିଲେ । ବାଚସ୍ପତି ଜେପି ନାରାୟଣଙ୍କ ପରି ମହାନ ବ୍ୟକ୍ତି ଏପରି ନକରିବା ପାଇଁ ଅପିଲ୍ କରିଥିଲେ, କିନ୍ତୁ ନେହରୁଙ୍କ ନିଜର ସମ୍ୱିଧାନ ଚାଲିଥିଲା, ଏଥିପାଇଁ କାହାରି ପରାମର୍ଶ ଶୁଣିନଥିଲେ ।'

ଏମର୍ଜେନ୍ସି ସମୟରେ ଇନ୍ଦିରା ଗାନ୍ଧୀ ଗଣତନ୍ତ୍ରର ତଣ୍ଟି ଚିପିଥିଲେ: ପିଏମ୍ ମୋଦୀ

ପିଏମ୍ ମୋଦୀ କହିଛନ୍ତି, 'ଯେତେବେଳେ ଅସାମ୍ୱିଧାନିକ ପ୍ରକ୍ରିୟାରେ ନିର୍ବାଚନ ଲଢିବା କାରଣରୁ କୋର୍ଟ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ରଦ୍ଦ କରିଥିଲେ, ସେତେବେଳେ ନିଜ ଚୌକି ବଞ୍ଚାଇବା ପାଇଁ ଏମର୍ଜେନ୍ସି ଲାଗୁ କରିଥିଲେ । ସେ ଭାରତର ଗଣତନ୍ତ୍ରର ତଣ୍ଟି ଚିପିବାର କାମ କରିଥିଲେ । ଏର୍ମଜେନ୍ସି ସମୟରେ ଦେଶବାସୀଙ୍କ ଅଧିକାର ଛଡ଼ାଇ ନିଆଯାଇଥିଲା ।'

ସାହବାନୋ କେସରେ କଂଗ୍ରେସକୁ କଲେ ଟାର୍ଗେଟ୍

ପିଏମ୍ ମୋଦୀ କହିଛନ୍ତି, 'ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ସମସ୍ତଙ୍କୁ ସମାନତା ଏବଂ ସଭିଙ୍କୁ ନ୍ୟାୟର ଭାବନାକୁ ଆଘାତ ପହଞ୍ଚାଇଲେ । ସୁପ୍ରିମକୋର୍ଟ ସାହବାନୋ ମାମଲାରେ ରାୟ ଦେଇଥିଲେ । କୋର୍ଟରୁ ମହିଳାଙ୍କୁ ଏକ ହକ୍ ମିଳିଥିଲା । କିନ୍ତୁ ରାଜୀବ ଗାନ୍ଧୀ କୋର୍ଟଙ୍କ ସେହି ଭାବନାକୁ ଅଣଦେଖା କଲେ । ଭୋଟ୍ ବ୍ୟାଙ୍କ ରାଜନୀତି ଆଗରେ କୋର୍ଟଙ୍କ ସେହି ଭାବନାର ଅପମାନ କଲେ ଏବଂ କଟ୍ଟରପନ୍ଥୀଙ୍କ ସହ ରହିଲେ । ସଂସଦରେ ଆଇନ ଆଣି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପୁଣି ଥରେ ବଦଲାଗଲା ।' 

ନାଁ ନନେଇ ରାହୁଲଙ୍କୁ କଲେ ଟାର୍ଗେଟ୍

ପିଏମ୍ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, 'ଦେଶର ଜନତା ସରକାର ବାଛନ୍ତି । କ୍ୟାବିନେଟ୍ ନିଷ୍ପତ୍ତି ନିଏ । କିନ୍ତୁ ଏମାନେ ମିଡିଆର କ୍ୟାମେରା ସାମନାରେ କ୍ୟାବିନେଟ୍ ନିଷ୍ପତ୍ତିକୁ ଚିରି ଦେଲେ । ଜଣେ ଅହଂକାରୀ ବ୍ୟକ୍ତି କ୍ୟାବିନେଟ୍ ନିଷ୍ପତ୍ତିକୁ ଚିରି ଦେବ ଏବଂ କ୍ୟାବିନେଟ୍ ନିଜ ନିଷ୍ପତ୍ତିକୁ ବଦଳାଇ ହେବ, ଏହା କି ବ୍ୟବସ୍ଥା ? ମୁଁ ଯାହା କହୁଛି ସମ୍ୱିଧାନର କଥା କହୁଛି । ମୁଁ ନିଜ ମନର ବିଚାରକୁ ବ୍ୟକ୍ତ କରେ ନାହିଁ । କଂଗ୍ରେସ ନିରନ୍ତର ଭାବେ ସମ୍ୱିଧାନର ଅବମାନନା କରିଛି । ସମ୍ୱିଧାନ ସହ ବିଶ୍ୱାସଘାତକତା କରିଛି ।'

ସ୍ୱାଧୀନତାର ଶତାବ୍ଦୀ ସୁଦ୍ଧା ଦେଶକୁ ବିକଶିତ ଭାରତ କରିବୁପିଏମ୍ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଏବେ ଆମ ଦେଶ ଦ୍ରୁତ ଗତିରେ ବିକାଶ କରୁଛି । ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବଡ଼ ଆର୍ଥିକ ଶକ୍ତି ହେବା ଦିଗରେ ମଜଭୁତ ପାଦ ବଢାଉଛି । ସ୍ୱାଧୀନତାର ଶତାବ୍ଦୀ ପାଳନ ବେଳେ ଦେଶକୁ ବିକଶିତ ଭାରତ କରିବାର ସଂକଳ୍ପ ନେଇଛନ୍ତି ୧୪୦ କୋଟି ଦେଶବାସୀ । ଏହା ସବୁ ଭାରତୀୟଙ୍କ ସଂକଳ୍ପ, କିନ୍ତୁ ଏହି ସଂକଳ୍ପକୁ ପୂରଣ କରିବାରେ ସବୁଠୁ ବଡ଼ ଆବଶ୍ୟକତା ହେଉଛି ଭାରତର ଏକତା । ଆମ ସମ୍ୱିଧାନ ଭାରତର ଏକତାର ଆଧାର ଅଟେ...'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.