ସୋସିଆଲ ମିଡିଆର ନୂଆ ସେନ୍‌ସେସନ୍‌ ପ୍ରାଜକ୍ତା କୋଲି, ମାସିକ ଆୟ ୪୦ ଲକ୍ଷ ଟଙ୍କା

Published By : Prameya-News7 Bureau | November 05, 2024 IST

ମୁମ୍ଵାଇ ୦୫।୧୧; ସୋସିଆଲ ମିଡିଆର ନୂଆ ସେନ୍‌ସେସନ୍‌ ପ୍ରାଜକ୍ତା କୋଲି।  ଏବେ ସେ ଆକର୍ଷଣର କେନ୍ଦ୍ର  ପାଲଟିଛନ୍ତି । ୨୦୧୫ ମସିହାରେ ‘ମୋଷ୍ଟ୍‌ଲିସେନ୍‌’ ନାମକ ଏକ ଚ୍ୟାନେଲ୍‌ ଜରିଆରେ  ସେ ନିଜର ୟୁଟ୍ୟୁବ୍‌ ଯାତ୍ରା ଆରମ୍ଭ କରିଥିଲେ । ଏଥିରେ ସେ ବାସ୍ତବ ଜୀବନ ସହ ଜଡ଼ିତ  କମେଡି ଉପରେ ଫୋକସ୍‌ କରୁଛନ୍ତି । ସେ ପ୍ରସ୍ତୁତ କରୁଥିବା ବିଷୟବସ୍ତୁ ପ୍ରାମାଣିକତା  ଯୋଗୁ ତୁରନ୍ତ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଯାଏ । ଆଜି ପ୍ରାଜକ୍ତା ଭାରତର  ସବୁଠୁ ଲୋକପ୍ରିୟ ୟୁଟୁବର୍‌ଙ୍କ ମଧ୍ୟରେ ଅନ୍ୟତମ । 

ଏଥିରେ ତାଙ୍କର ୬୮.୫ କୋଟି  ସବ୍‌ସ୍କ୍ରାଇବର୍‌ ଅଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଲୋକପ୍ରିୟତା କମ୍‌ ନୁହେଁ । ଏଠାରେ   ତାଙ୍କର ୮୦ ଲକ୍ଷ ଫଲୋଅର୍‌ ଅଛନ୍ତି, ଯେଉଁମାନେ ତାଙ୍କ ବିବିଧ ବିଷୟବସ୍ତୁ ଜରିଆରେ  ତାଙ୍କ ସହ ଯୋଡ଼ି ହୋଇ ଅଛନ୍ତି । କାହାଣୀ ବର୍ଣ୍ଣନା ଓ ଗଣମାଧ୍ୟମ ପ୍ରତି ରୁଚି ଲାଗି  ସ୍କୁଲରେ ଅଧ୍ୟୟନ ସମୟରେ ଜଣେ ରେଡିଓ ଜକି ହେବାକୁ ପ୍ରାଜକ୍ତା ସ୍ୱପ୍ନ ଦେଖିଥିଲେ ।  ଏଥିପାଇଁ ସେ ମୁଲୁଣ୍ଡ ସ୍ଥିତ ଭିଜି ଭେଜ୍‌ କଲେଜ ଅଫ୍‌ ଆର୍ଟସ, ସାଇନ୍ସ ଆଣ୍ଡ କମର୍ସରେ  ନାମ ଲେଖାଇ ବ୍ୟାଚଲର ଅଫ୍‌ ମାସ୍‌ ମିଡିଆ ଡିଗ୍ରୀ ହାସଲ କଲେ । ସ୍ନାତକୋତ୍ତର ଡିଗ୍ରୀ  ପରେ ମୁମ୍ବାଇରେ ଫିଭର୍‌ ୧୦୪ ଏଫ୍‌ଏମ୍‌ରେ ଇଣ୍ଟର୍ନସିପ୍‌ କଲେ । ବର୍ଷକର ପରିଶ୍ରମ  ପରେ ତାଙ୍କୁ ‘କଲ୍‌ ସେଣ୍ଟର୍‌’ ଶୀର୍ଷକ ରେଡିଓ ଶୋ’ ପରିଚାଳନା ଦାୟିତ୍ୱ ଦିଆଗଲା ।  ତେବେ ଏହା ଖାସ୍‌ ପ୍ରଭାବ ନ ପକାଇବାରୁ ପ୍ରାଜକ୍ତା ୟୁଟ୍ୟୁବ୍‌ ଆଡ଼କୁ ଢଳିଲେ । ପ୍ରଥମେ ସେ ୟୁଟ୍ୟୁବ୍‌  ଚ୍ୟାନେଲ୍‌ ଖୋଲିଲେ ଏବଂ ହାସ୍ୟ ଓ ପ୍ରାସଙ୍ଗିକ ବିଷୟ  ସହିତ ଦୈନନ୍ଦିନ ଜୀବନର ଗତିଶୀଳତା ଉପରେ ଫୋକସ୍‌  କଲେ । ତାହା ଲୋକଙ୍କ ହୃଦୟକୁ ଛୁଇଁଲା । ଯୁବ ଦର୍ଶକ  ତାଙ୍କର ସଚ୍ଚୋଟ ବ୍ୟାଖ୍ୟାନ ସହ ଯୋଡ଼ିହେଲେ।

୨୦୧୯   ମସିହାରେ ଫୋର୍ବସ୍‌ର ସମ୍ମାନାସ୍ପଦ ୩୦ ବର୍ଷ ବୟସରୁ  କମ୍‌ ୩୦ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇବା ପ୍ରାଜକ୍ତାଙ୍କ ପାଇଁ  ବଡ଼ ଉପଲବ୍ଧି ଥିଲା । ଏହା ପରେ ଫିଲ୍ମ ଓ ଟିଭିରେ ସେ  କ୍ୟାରିଅର ବିସ୍ତାର କଲେ । ବରୁଣ ଧୱନ, ଅନିଲ କପୁର ଓ  କିଆରା ଆଡ଼ଭାନିଙ୍କ ଅଭିନୀତ ‘ଜୁଗ୍‌ ଜୁଗ୍‌ ଜିଓ’  ଫିଲ୍ମ ଜରିଆରେ ପ୍ରାଜକ୍ତା ବଲିଉଡ୍‌ରେ  ଏଣ୍ଟ୍ରି କଲେ । ନେଟ୍‌ଫ୍ଲିକ୍ସର ଲୋକପ୍ରିୟ  ୱେବ୍‌ ସିରିଜ୍‌ ‘ମିସ୍‌ମ୍ୟାଚ୍‌ଡ’ ତାଙ୍କ   ବହୁମୁଖୀ ପ୍ରତିଭାର ପରିଚୟ  ଦେଲା । ଆର୍‌ଜେରୁ ୟୁଟ୍ୟୁବର୍‌  ଓ ଜଣେ କଳାକାର ଭାବେ  ପ୍ରାଜକ୍ତାଙ୍କ ଯାତ୍ରା ଯୁବପିଢ଼ି  ପାଇଁ ପ୍ରେରଣାର ସ୍ରୋତ  ହୋଇଛି । ଚଳିତ ବର୍ଷର  ଆକଳନ ଅନୁସାରେ,  ପ୍ରାଜକ୍ତାଙ୍କ ନେଟ୍‌ ସମ୍ପତ୍ତି  ୧୦ ଲକ୍ଷ ଡଲାର । ନିଜର  ମୋଷ୍ଟ୍‌ଲିସେନ୍‌ ୟୁଟ୍ୟୁବ୍‌  ଚ୍ୟାନେଲ, ପାର୍ଟନରସିପ୍‌   ଓ ଅଭିନୟ ପ୍ରୋଜେକ୍ଟ  ତାଙ୍କ ଆୟର ମୁଖ୍ୟ  ମାଧ୍ୟମ । ୩୧ ବର୍ଷ  ବୟସରେ ସେ ମାସିକ  ୪୦ ଲକ୍ଷ ଟଙ୍କା   ରୋଜଗାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.