ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

Published By : Prameya-News7 Bureau | October 10, 2024 IST

ଭୁବନେଶ୍ଵର: ନିର୍ବାଚନ ସରିବାର ପ୍ରାୟ ସାଢେ ତିନି ମାସ ପରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଗୁରୁବାର ସେ ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ବିଧାନସଭା ନିର୍ବାଚନରେ ସେ କଟକ-ବାରବାଟୀ ଆସନରୁ ବିଜେଡିର ବିଧାୟକ ପ୍ରାର୍ଥୀ ଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ।  ଆଉ ଆଜି ବିଜେଡିରୁ ଛାଡିବା ପରେ ପ୍ରକାଶଙ୍କ ବିଜେପିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ କାହିଁକି ବିଜେଡି ଛାଡ଼ିଲେ ତାର କାରଣ ଜଣା ପଡ଼ିନାହିଁ। 

ସାଧାରଣ ନିର୍ବାଚନ ୨୦୨୪ ସମୟରେ ଦଳ ଡିଆଁ ପର୍ବ ଜୋରଦାର ଚାଲିଥିବା ବେଳେ ବିଜେପିରୁ ଇସ୍ତଫା ଦେଇ ଏପ୍ରିଲ ୩ ତାରିଖରେ ବିଜେଡିରେ ମିଶିଥିଲେ ପ୍ରକାଶ ବେହେରା। ସେହି ସମୟରେ ପ୍ରକାଶ କହିଥିଲେ, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜବୁତ କରିବା ପାଇଁ ବିଜେପି ଦଳକୁ ଆସିଥିଲି । ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନେଇଥିଲି । ତୃଣମୂଳସ୍ତରରେ ସଙ୍ଗଠନକୁ ମଜବୁତ କରିବାକୁ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିଲା ସେମାନଙ୍କୁ ଦୀର୍ଘଦିନ ହେବ ଦଳ ଭିତରେ ଅଣଦେଖା କରାଯାଉଥିଲା । କର୍ମକର୍ତ୍ତାଙ୍କ ମତକୁ ବିଭିନ୍ନ ଫୋରମରେ ରଖିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିଲା । ତୃଣମୂଳସ୍ତରର କର୍ମୀଙ୍କୁ ସମ୍ମାନ ମିଳୁନଥିଲା ଏବଂ ଅଣଦେଖା କରାଯାଉଥିଲା । ଜିଲ୍ଲା ସଭାପତି ଭାବେ ଏହା ମୋତେ ବାଧିଲା । ଯେଉଁଥିପାଇଁ ଦଳରୁ ଇସ୍ତଫା ଦେଇଥିଲେ ବୋଲି କହିଥିଲେ ପ୍ରକାଶ ।  

କିନ୍ତୁ ଗୁରୁବାର ଅପ୍ରତ୍ୟାଶିତ ଘଟଣାକ୍ରମେ ବିଜେଡିରୁ ଇସ୍ତଫା ଦେଇଛନ୍ତି ପ୍ରକାଶ ବେହେରା। ସେ କାହିଁକି ଦଳ ଛାଡ଼ିଲେ ତାର କାରଣ ସ୍ପଷ୍ଟ ଜଣା ପଡିନାହିଁ। ତେବେ ତାଙ୍କର ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, ୨୦୧୪ରେ କଂଗ୍ରେସ ଟିକେଟ୍‌ରେ ସାଲେପୁର ଆସନରୁ ନିର୍ବାଚନ ଲଢି ଜିତିଥିଲେ ପ୍ରକାଶ ବେହେରା। କିନ୍ତୁ ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇ ସେ ସେହି ବର୍ଷ ମାର୍ଚ୍ଚ ୧୭ ତାରିଖରେ ବିଜେପିରେ ଯୋଗ ଦେଇଥିଲେ। ଦଳ ତାଙ୍କୁ କଟକ  ଜିଲ୍ଲା ବିଜେପି ସଭାପତି ଦାୟିତ୍ଵ ଦେଇଥିଲା। କିନ୍ତୁ ୨୦୨୪ ନିର୍ବାଚନରେ ଟିକେଟ୍ ବଣ୍ଟନ ସମୟରେ ସେ ବିଜେପି ଛାଡି ବିଜେଡିରେ ମିଶିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.