ଲୋକସଭା ନିର୍ବାଚନର ଭବିଷ୍ୟବାଣୀ ଭୁଲ ହେବା ପରେ ପ୍ରଶାନ୍ତ କିଶୋରଙ୍କ ଆଉ ଏକ ବଡ଼ ଦାବି, ଜାଣନ୍ତୁ ନିତିଶଙ୍କୁ ନେଇ କହିଛନ୍ତି କ’ଣ?

Published By : Prameya-News7 Bureau | June 15, 2024 IST

ବାଙ୍କା ୧୫।୬: ଜନ ସୁରାଜ ସଂଯୋଜକ ପ୍ରଶାନ୍ତ କିଶୋର (ପିକେ) ଶନିବାର ବାଙ୍କାରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତିଯେ ନିତିଶ କୁମାର ୨୦୨୫ରେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁଛନ୍ତି। ସେହିପରି ସେ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। କହିଛନ୍ତି ଲାଲୁ ଯାଦବଙ୍କୁ ଯାଦବଙ୍କ ନେତା କୁହାଯାଏ ହେଲେ ସେ କୌଣସି ଯାଦବର ଭଲ କରି ନାହାନ୍ତି। 

ଲାଲୁ ଯାଦବ କେବଳ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଲାଗି କାମ କରନ୍ତି, ସେ ତାଙ୍କ ପରିବାରକୁ ଆଗକୁ ବଢାଉଛନ୍ତି। ଏଣୁ ପିକେ ଲୋକଙ୍କୁ ଜାତି ନାମରେ ଆଉ ଭୋଟ ନଦେବାକୁ କହିଛନ୍ତି। ଜାତିବାଦକୁ ପ୍ରୋତ୍ସାନ ଦେଉଥିବା ନେତା ନିଜ ଜାତି ଜାଗାରେ ପରିବାରକୁ ବଢାଉଛନ୍ତି। ମୁସଲମାନ ଲାଲୁଙ୍କୁ ଏଥି ପାଇଁ ଭୋଟ ଦେଉଛନ୍ତି ଯେ ଯେପରି ବିଜେପି ଆସି ନ ଯାଉ। ଅନ୍ୟପଟେ ଲୋକେ ଲାଲୁଙ୍କୁ ନ ଆଣିବା ପାଇଁ କହୁଛନ୍ତି, ଯାହା ଦ୍ୱାରା ପଦ୍ମକୁ ଭୋଟ ମିଳିବ। 

ପିକେ କହିଛନ୍ତି ଯେ ଅନେକ ସରକାର ବଦଳିଗଲାଣି, ହେଲେ ବିହାର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଲାଲୁଙ୍କ ଶାସନରେ ଅପରାଧୀ ଲୁଟତରାଜ କରୁଥିଲେ ଏବେ ନିତିଶ ରାଜରେ ଅଫିସର ଲୁଟ କରୁଛନ୍ତି। ଏଣୁ ପିକେ ଲୋକଙ୍କୁ ନିଜ ପିଲା ଓ ପରିବାରଙ୍କ ଲାଗି ଭୋଟ ଦେବାକୁ କହିଛନ୍ତି, ଯାହା ଦ୍ୱାରା ବିହାରର ବ୍ୟବସ୍ଥା ବଦଳି ପାରିବ। ଉଲ୍ଲେଖଯୋଗ୍ୟ ଯେ ଇଏ ସେହି ପ୍ରଶାନ୍ତ କିଶୋର ଯିଏ ନିର୍ବାଚନ ଭୋଟ ଗଣନା ପୂର୍ବରୁ ଦେଶରେ ବିଜେପି ନେତୃତ୍ୱାଧୀନ ଏନଡିଏ ଜୋରଦାର ପ୍ରତ୍ୟାବର୍ତ୍ତନ ହେବ ବୋଲି କହିଥିଲେ। 

ଏଥି ପାଇଁ ପିକେ ଯେଉଁ ଡାଟା ଦେଇଥିଲେ ତାହା ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି। ସେ ମଧ୍ୟ ଏନଡିଏର  ଏଥର ୪୦୦ ପାର ବୋଲି କହିଥିଲେ। ହେଲେ ମେଣ୍ଟକୁ ଝଟକା ଲାଗିଛି, ଜେନତେନ ପ୍ରକାରେ ମେଣ୍ଟ ସରକାର କରିବାକୁ ସକ୍ଷମ ହୋଇଛି। ବାଙ୍କା କାର୍ଯ୍ୟାକ୍ରମରେ ପ୍ରଶାନ୍ତ କିଶୋରଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟ ସୁଜାତା ବୈଦ୍ୟ, ପୂର୍ବତନ ନଗର ପରିଷଦ ଅଧ୍ୟକ୍ଷ ସନ୍ତୋଷ ସିଂହ ଓ ପଙ୍କଜ ଦାସ ଆଦି ଉପସ୍ଥିତ ଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.