ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିଲେ, ରାସ୍ତାରେ ଚାଲିଗଲା ପ୍ରିଜାଇଡିଂ ଅଫିସରଙ୍କ ଜୀବନ

Published By : Prameya-News7 Bureau | May 14, 2024 IST

ନୂଆପଡା ୧୪।୫: ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ହୋଇଛି । ତାଙ୍କ ପରିଚୟ ପତ୍ରରେ ପ୍ରସନ୍ନ କୁମାର ନାଏକ ଲେଖାଥିବା ବେଳେ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ । ଜାତୀୟ ରାଜପଥ ୩୫୩ କୋମନା ଥାନା ଫୁଣ୍ଡେଲ ନାଲା ନିକଟରେ ଘଟିଛି ଦୁର୍ଘଟଣା । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସେପଟେ, ମାଲକାନଗିରିରେ ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ଖଇରପୁଟ ମୁଦୁଲିପଡାର ପଞ୍ଚାୟତ ବନ୍ଧଗୁଡାର ଇନ୍ଦ୍ରଜିତ କିର୍ସାନୀ । ନିର୍ବାଚନ କାମସାରି ଫେରୁଥିବା ବେଳେ ଇନ୍ଦ୍ରଜିତଙ୍କ ବାଇକ୍‌କୁ ଧକ୍କା ଦେଲା ଏକ ଘରୋଇ ବସ୍ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ସାଥି ଶିକ୍ଷକ ମାନେ ଇନ୍ଦ୍ରଜିତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ପରେ ମାଥିଲି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଖବର ପାଇବା ସାରେ ଖଇରପୁଟ ବ୍ଲକର ସମସ୍ତ ଶିକ୍ଷକ ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଡମ୍ବରୁ ସୀସା ଓ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ସାନୀ ମାଥିଲି ମେଡ଼ିକାଲରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାବୁଝି କରୁଛନ୍ତି । ସୂଚନା ନେବାରୁ ଇନ୍ଦ୍ରଜିତ ମାଲକାନଗିରି ନିର୍ବାଚନ ମଣ୍ଡଳୀ ୧୨୨ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ରହି ସୋମବାର ମତଦାନ କାର୍ଯ୍ୟ ଶେଷ କରି ବିଳମ୍ବିତ ରାତି ହେବାରୁ ମଙ୍ଗଳବାର ସକାଳୁ ନିଜ ଘର ଖଇରପୁଟ ବ୍ଲକ କଦମଗୁଡା ପଞ୍ଚାୟତ ଖୁରିଗୁଡା ଗ୍ରାମକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା । ଦୁର୍ଘଟଣା ଘଟାଇଥିବା ଘରୋଇ ବସ୍‌କୁ ମାଲକାନଗିରି ପୋଲିସ ଅଟକ ରଖି ପଚରା କରୁଛି ।

You Can Read :

ଖଣ୍ଡପଡାରେ ପାଣ୍ଡିଆନ୍‌ଙ୍କ ପ୍ରଚାର, 'ନବୀନ ଶପଥ ନେବା ପରେ ବିଜୁଳି ବିଲ୍ ଛାଡ କରିବାକୁ ପ୍ରଥମ ଦସ୍ତଖତ କରିବେ'

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.