ନୂଆଦିଲ୍ଲୀ ୧୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସଂସଦରେ ଚାଲିଥିବା ‘ସମ୍ବିଧାନର ୭୫ବର୍ଷର ଗୌରବଶାଳୀ ଯାତ୍ରା’ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ସେ ଏଥିରେ ସମ୍ବିଧାନ, ସଂଶୋଧନ, କଂଗ୍ରେସ ଓ ମହିଳାଙ୍କ ଉତ୍ଥାନକୁ ନେଇ ଚର୍ଚ୍ଚା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ୧୧ଟି ସଂକଳ୍ପ ଗଣାଇଛନ୍ତି। ସେ କହିଛନ୍ତି ଭାରତର ଭବିଷ୍ୟତ ନିମନ୍ତେ ଏହି ସଦନ ସମ୍ମୁଖରେ ମୁଁ ମୋର ୧୧ଟି ସଂକଳ୍ପ ରଖୁଛି।
ଏଥିରେ ସର୍ବ ପ୍ରଥମେ ସେ ନାଗରିକ ଓ ସରକାର ବିଶ୍ୱସ୍ଥତାର ସହିତ ନିଜନିଜର କର୍ତ୍ତବ୍ୟ ପାଳନ କରିବେ ବୋଲି କହିଥିବା ବେଳେ ସବୁ କ୍ଷେଚ୍ର ଓ ସମାଜକୁ ବିକାଶର ସମାନ ଲାଭ ମିଳିବ, ସମସ୍ତଙ୍କ ସହିତ ସମସ୍ତଙ୍କ ବିକାଶ ସଂକଳ୍ପ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ଓ ଦୁର୍ନୀତିଗ୍ରସ୍ତଙ୍କ ସାମାଜିକ ସ୍ୱୀକାର୍ଯ୍ୟତା ସମାପ୍ତ ହେଉ। ସେହପରି ଗୋଲାମ ମାନସିକତାରୁ ମୁକ୍ତି ମିଳୁ ଓ ଲୋକେ ଦେଶର ସାଂସ୍କୃତିକୁ ନେଇ ଗର୍ବିତ ହୁଅନ୍ତୁ। ଦେଶର ରାଜନୀତିକୁ ପରିବାରବାଦରୁ ମୁକ୍ତି କରି ଗଣତନ୍ତ୍ରକୁ ମଜଭୁତ କରାଯାଉ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ସମ୍ବିଧାନର ସମ୍ମାନ ହେଉ ଓ ରାଜନୈତିକ ଉଦ୍ଦେଶ୍ୟରେ ଏହାକୁ ଅସ୍ତ୍ର କରାନଯାଉ। ସମ୍ବିଧାନର ଭାବନା ପ୍ରତି ସମର୍ପଣ ରଖି ଯେଉଁ ବର୍ଗଙ୍କୁ ସମ୍ବିଧାନ ଅନୁସାରେ ସଂରକ୍ଷଣ ମିଳିଛି ତାହା ଜାରି ରହୁ, କିନ୍ତୁ ଧର୍ମ ଆଧାରରେ କାହାରିକୁ ସଂରକ୍ଷଣ ନ ମିଳୁ। ମହିଳାଙ୍କ ନେତୃତ୍ୱରେ ବିକାଶକୁ ପ୍ରାଥମିକତା ଦିଆଯାଉ। ରାଜ୍ୟ ବିକାଶ ମାଧ୍ୟମରେ ରାଷ୍ଟ୍ରର ବିକାଶ ଆମର ମନ୍ତ୍ର ହେଉ। ଏକ ଭାରତ ଶ୍ରେଷ୍ଠ ଭାରତ ସମସ୍ତଙ୍କ ଲକ୍ଷ୍ୟ ହେଉ।