ମହିଳାଙ୍କ ଆକାଉଣ୍ଟକୁ ଯିବ 'ସୁଭଦ୍ରା' ଟଙ୍କା, ଜନ୍ମଦିନରେ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 17, 2024 IST

ଭୁବନେଶ୍ବର ୧୭।୯: ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଭୁବନେଶ୍ବର ଜନତା ମଇଦାନରେ ହୋଇଛି ବିଶାଳ କାର୍ଯ୍ୟକ୍ରମ ।  ମଙ୍ଗଳବାର ସକାଳ ୧୦ଟା ୫୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କର ୨ ଘଣ୍ଟା ୧୦ ମିନିଟର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଗାଡ଼କଣ ଶବର ସାହିରେ ପିଏମ ଆବାସ ହିତାଧିକାରୀଙ୍କୁ ଘର ଚାବି ଦେଇ ଗ୍ରୃହ ପ୍ରବେଶ କରାଇବା ସହ  ପାଖାପାଖି ୩୦ ମିନିଟ ଧରି ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି।  ଏହାପରେ ଜନତା ମଇଦାନ କାର୍ଯ୍ୟକ୍ରମରେ ସାମିଲ ହେବେ। ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ହିତାଧିକାରୀଙ୍କ ଆକାଉଣ୍ଟକୁ ମଙ୍ଗଳବାର ପ୍ରଥମ କିସ୍ତି ଯିବ। ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ଜନସମାଗମ ସମ୍ଭାବନା ରହିଛି ।  ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ସବୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର ।  ସଭାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଠୁ ଆରମ୍ଭ କରି ରାଜ୍ୟର ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ ।  

ସୁଭଦ୍ରା ଯୋଜନାର ଶୁଭାରମ୍ଭ  ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ଯେଉଁଥିରେ ରହିଛି ୨୮୦୦ କୋଟିର ରେଳ ପ୍ରକଳ୍ପ ଏବଂ ହଜାରେ କୋଟିର ଜାତୀୟ ରାଜପଥ ପ୍ରକଳ୍ପ । ତାସହ ସ୍ପୋର୍ଟସ ଭ୍ୟାଲିର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସେହିପରି ଦେଶର ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ । ଜନତା ମଇଦାନରୁ ଗୋଟାଏରୁ ବାହାରି ୧ଟା ୧୫ରେ ଏୟାରପୋର୍ଟରେ ପହଞ୍ଚିବେ। ଗୋଟାଏ ୨୦ରେ ଭୁବନେଶ୍ବର ବିମାନବନ୍ଦରରୁ ଫେରିଯିବେ। 

ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ରାଜଧାନୀକୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ସୁଭଦ୍ରା ଯୋଜନାକୁ ନେଇ ସାରା ରାଜ୍ୟର ମହିଳାଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଏଯାଏଁ ୬୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି । ଏହା କୋଟିଏ ଛୁଇଁବା ସମ୍ଭାବନା ରହିଛି। 

You Can Read:

ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟା ଜଳ, ଭୋଗରାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.