ନୂଆଦିଲ୍ଲୀ ୧୧।୧୨: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀଙ୍କ ସହ ପ୍ରାଇଭେଟ ଡିନର କରିବା ଚାହୁଁଛନ୍ତି କି ? ଏଥିପାଇଁ ବର୍ତ୍ତମାନ ସମୟ ଆସିଛି । କିନ୍ତୁ ଆପଣଙ୍କୁ ଦେବାକୁ ପଡିବ ମୋଟା ଅଙ୍କର ଟଙ୍କା । ତେବେ ଏଥିରେ କେବଳ ଡିନର କରିବେ ତା ନୁହେଁ ଶପଥ ଗ୍ରହଣ ସମାରୋହର ଟିକେଟ ମଧ୍ୟ ମିଳିବ ।
ବାସ୍ତବରେ ରିପବ୍ଲିକାନ୍ ପାର୍ଟିର ଧନୀ ପ୍ରାର୍ଥୀ ଏବଂ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ସହିତ ପ୍ରାଇଭେଟ ଡିନର କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଦେବାକୁ ପଡିବ ପ୍ରାୟ ୨ ନିୟୁତ ଡଲାର । ଯାହା ଭାରତୀୟ ମୁଦ୍ରାରେ ୧୭ କୋଟି ଟଙ୍କା । ‘ଟ୍ରମ୍ପ-ଭାନ୍ସ ଇନାଗୁରାଲ୍ କମିଟି ବେନିଫିଟ୍ସ’ ଶୀର୍ଷକ ଏକ ବିଜ୍ଞାପନ ଅନୁସାରେ, ଯେଉଁ ବ୍ୟକ୍ତି ଟ୍ରମ୍ପ-ଭାନ୍ସଙ୍କ ପାଇଁ ୧ ନିୟୁତ ଡଲାର କିମ୍ବା ୨ ନିୟୁତ ଡଲାର ଦେବେ ସେମାନଙ୍କୁ ଜାନୁଆରୀ ୧୯ରେ ହେବାକୁ ଥିବା ବିଶେଷ କାର୍ଯ୍ୟକ୍ରମରେ ବିଶ୍ୱର ଏହି କ୍ଷମତାଶାଳୀ ଦମ୍ପତିଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିବାର ସୁଯୋଗ ମିଳିବ ।
ଏହାବ୍ୟତୀତ ଡିନରରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଶପଥଗ୍ରହଣ ସମାରୋହର ୬ଟି ଟିକଟ ବି ଦିଆଯିବ । ଏହାବ୍ୟତୀତ ସେହି ବ୍ୟକ୍ତିଙ୍କୁ ଆମେରିକାର ଉପରାଷ୍ଟ୍ରପତି ପଦ ଲାଗି ନିର୍ବାଚିତ ସିନେଟର ଜେଡି ଭାନ୍ସ ଓ ତାଙ୍କ ପତ୍ନୀ ଉଷାଙ୍କ ସହିତ ଡିନର କରିବାର ସୁଯୋଗ ବି ମିଳିପାରେ । ୫୦ ହଜାର ଡଲାରରୁ ୧ ନିୟୁତ ଡଲାର ମଧ୍ୟରେ ଅର୍ଥ ଦେଇଥିବା ବ୍ୟକ୍ତିମାନଙ୍କୁ ଉଦ୍ଘାଟନୀ ଉତ୍ସବର ସନ୍ଧ୍ୟାରେ ଆୟୋଜିତ ‘ଷ୍ଟାରଲାଇଟ୍ ବଲ୍’ରେ ଭାଗ ନେବାର ଅବସର ମଧ୍ୟ ମିଳିବ ।
ବାସ୍ତବରେ ଆମେରିକାର ଉଦ୍ଘାଟନ ସମାରୋହ ଲାଗି ଅର୍ଥ ଯୋଗାଡ଼ କରିବା ରାଷ୍ଟ୍ରପତିମାନଙ୍କ ଲାଗି ଏକ ସାଧାରଣ କଥା । କାରଣ କରଦାତାମାନଙ୍କ ଅର୍ଥ ଶପଥ ଗ୍ରହଣ ଓ କ୍ୟାପିଟଲରେ ଉଦ୍ଘାଟନ ଲଞ୍ଚ ଭଳି ଆନୁଷ୍ଠାନିକ ସମାରୋହ ଲାଗି ହିଁ ନିର୍ଦ୍ଧାରିତ ହୋଇଥାଏ । ଘରୋଇ ଦାନ ଉଦ୍ଘାଟନୀ ପରେଡ୍, ସଙ୍ଗୀତ କାର୍ଯ୍ୟକ୍ରମର ବ୍ୟୟକୁ ଭରଣା କରିଥାଏ ।
ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟ ଅନୁସାରେ, ୨୦୨୧ରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କର ଉଦ୍ଘାଟନ କମିଟି ଲୋକଙ୍କ ନିକଟରୁ ୫ ଲକ୍ଷ ଡଲାର ଓ କର୍ପୋରେସନ୍ ନିକଟରୁ ୧ ନିୟୁତ ଡଲାର ଯାଏ ଦାନ ସ୍ୱୀକାର କରିଥିଲା । ୨୦୦୯ରେ ବାରାକ୍ ଓବାମା ତାଙ୍କର ପ୍ରଥମ ଉଦ୍ଘାଟନୀ କାର୍ଯ୍ୟକ୍ରମ ଲାଗି ୫୩ ନିୟୁତ ଡଲାର ସଂଗ୍ରହ କରିଥିଲେ ।