ଶୁଭ ମୁହୂର୍ତ୍ତରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ, ପ୍ରଥମ ଦ୍ବାର ଖୋଲି ପ୍ରବେଶ କଲେ ୧୧ ଜଣିଆ ଟିମ୍

Published By : Prameya-News7 Bureau | July 14, 2024 IST

ପୁରୀ ୧୪: ଶ୍ରୀ ଜଗନ୍ନାଥପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ । ଖୋଲୁଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଶୁଭ ମୁହୂର୍ତ୍ତ ଦିନ ୧ଟା ୨୮ମିନିଟ୍‌ରେ ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା । ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ପ୍ରବେଶ କଲେ ୧୧ ଜଣିଆ ଟିମ୍ । ଏହା ପରେ ବାହାର ରତ୍ନଭଣ୍ଡାର ଖୋଲାଯିବ । ପରେ ପରେ ଦ୍ବିତୀୟ ରତ୍ନଭଣ୍ଡାର ଖୋଲାଯିବ । ସର୍ବଶେଷରେ ଭିତର ରତ୍ନଭଣ୍ଡାର ଖୋଲାଯିବ । ବାହାର ରତ୍ନଭଣ୍ଡାର ଏବଂ ଦ୍ବିତୀୟ ରତ୍ନଭଣ୍ଡାର ଖୋଲିବାରେ କୌଣସି ସମସ୍ୟା ନାହିଁ । କାହିଁକି ନା ଏଥିରେ ଥିବା ଅଳଙ୍କାର ଦୈନନ୍ଦିନ ବ୍ୟବହାର କରାଯାଇଥାଏ । ତେଣୁ ଏହି ଦୁଇଟି ରତ୍ନଭଣ୍ଡାର ଖୋଲିବାରେ ସମସ୍ୟା ହେବନାହିଁ । କିନ୍ତୁ ଭିତର ରତ୍ନଭଣ୍ଡାର ତାଲା ଯଦି ନଖୋଲେ ତେବେ ତାଲା କଟାଯିବ ବୋଲି ସୂଚନା ରହିଛି । ତେବେ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ହିଁ ଅପେକ୍ଷା । 

ସୂଚନାଯୋଗ୍ୟ ଯେ, ଦୀର୍ଘ ୪ ଦଶନ୍ଧି ପରେ ଖୋଲୁଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ରବିବାର ଅପରାହ୍ନ ୧ଟା ୨୮ ମିନିଟ୍‌ରେ ରତ୍ନଭଣ୍ଡାର ଖୋଲିବା ନେଇ ଶୁଭ ମୁହୂର୍ତ୍ତ ରହିଥିବା ବେଳେ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁଭ ମୁହୂର୍ତ୍ତରେ ହିଁ ରତ୍ନଭଣ୍ଡାର ଖୋଲାଯାଇଥିବା ସୂଚନା ରହିଛି । ଯଦି ଚାବିରେ ନଖୋଲିଲା ତେବେ ଚାବି କଟାଯିବ । ଏଥିପାଇଁ ତାଲାକାଟିବା ଟିମ୍‌ର ସହାୟତା ନିଆଯିବ । ଭଣ୍ଡାର ଖୋଲିବା ପୂର୍ବରୁ ବିଧିବଦ୍ଧ ଭାବେ ମହାପ୍ରଭୁ, ମା’ ଲକ୍ଷ୍ମୀ, ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ, ମା’ ବିମଳାଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିର ବେଢ଼ାରେ ଥିବା ଅନ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ଶୁଭ ମୁହୂର୍ତ୍ତରେ ରତ୍ନଭଣ୍ଡାର ଖୋଲାଯାଉଛି । ଭିତରେ ସାପ ଥିବାର ଆଶଙ୍କା ଥିବାରୁ ସ୍ନେକ୍‌ ହେଲପ୍‌ଲାଇନର ସହାୟତା ନିଆଯାଇଛି । ଡାକ୍ତରୀ ଦଳ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ମହଜୁଦ ରହିଛନ୍ତି । ଆବଶ୍ୟକ ହେଲେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ ।

ରତ୍ନ ଗଣତି ମଣତି, ସ୍ଥାନାନ୍ତର ଓ ରତ୍ନଭଣ୍ଡାର ମରାମତି ନେଇ ବିଭିନ୍ନ କମିଟି କରାଯାଇଛି । ଏହାର ଅଧ୍ୟକ୍ଷମାନେ ଆବଶ୍ୟକ କାର୍ଯ୍ୟ ତୁଲାଇବେ । ରତ୍ନଭଣ୍ଡାରରେ ମହଜୁଦ୍‌ ଥିବା ସିନ୍ଦୁକ ସିଲ୍‌ ଉଦ୍ଧାର କରାଯାଇ ଶ୍ରୀମନ୍ଦିର ଭିତରେ କରାଯାଇଥିବା ଦୁଇଟି ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରି ରଖାଯିବ । ଖଟଶେଜ ଘର ଓ ଚାଙ୍ଗଡ଼ା ଘରକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ କରାଯାଇଛି । ରତ୍ନଭଣ୍ଡାର ଗଣତିମଣତି ସମୟରେ ରେକର୍ଡ ରଖିବାକୁ ଭିଡିଓଗ୍ରାଫି କରାଯିବ । ପ୍ରଥମେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ସ୍ଥାନାନ୍ତର କରାଯିବ । ଏହାପରେ ଗଣତି ହେବ ।

You Can Read:

ପ୍ରତୀକ୍ଷାର ଘଟିଲା ଅନ୍ତ, ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିରରେ ପ୍ରବେଶ କଲେ ୧୧ ଜଣିଆ ଟିମ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.