ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ

Published By : Prameya-News7 Bureau | May 16, 2024 IST

ଖଲ୍ଲିକୋଟ ୧୬।୫: ଖଲ୍ଲିକୋଟରେ ତୀବ୍ର ରୂପ ନେଲା ରାଜନୈତିକ ହିଂସାକାଣ୍ଡ । ପୋଲିସ ଗାଡ଼ିକୁ ବୋତଲ, ପଥର ମାଡ଼ କଲୋ ଲୋକ । ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ି ଘେରିଲେ ଲୋକେ । ଅଭିଯୁକ୍ତଙ୍କୁ କୋର୍ଟ ଫରଓ୍ବାର୍ଡ କଲା ବେଳେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି । ପୋଲିସ ଗାଡ଼ିକୁ ଢେଲା ମାଡ଼ ସହ ପାଣି ବୋତଲ ମାଡ଼ କଲେ ଲୋକେ ।

ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍‌ର କାଚ ଭାଙ୍ଗିଲା । ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରିନପାରି ଥାନାରେ ରଖିଛି ପୋଲିସ ।

ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ହିଂସାକାଣ୍ଡ ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି । ବୁଧବାର ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ଶ୍ରୀକୃଷ୍ଣଶରଣପୁର ଗାଁର ଦିଲୀପ ପାହାନ । ମୃତକ ଦିଲୀପଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ବର୍ତ୍ତମାନ ୮ ଜଣଙ୍କୁ ଖଲ୍ଲିକୋଟ ପୋଲିସ ଗିରଫ କରିଛି ।

ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସମବେଦନା ସହ ଘଟଣାକୁ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଆହତ ଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ସେପଟେ ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ କହିଛନ୍ତି, ନିର୍ବାଚନ ସମୟରେ ହିଂସାକୁ ବରଦାସ୍ତ କରାଯିବନି । ଗଞ୍ଜାମରେ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ପୋଷ୍ଟରମରାକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ୨ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ହଣାକଟା ହୋଇଥିଲା । ୪ ଜଣ ଗୁରୁତର ହୋଇଥିବା ବେଳେ ଗୁରୁବାର ବିଜେପି କର୍ମୀ ଦିଲୀପ ପାହାନଙ୍କର ମୃତ୍ୟୁ ହୋଇଛି । 

You Can Read :

ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ପାଇଁ ଟ୍ରାଫିକ୍ କଟକଣା, ଅପରାହ୍ଣ ସାଢ଼େ ୪ଟାରୁ ଏହି ରାସ୍ତାରେ ଯାନବାହାନ ଚଳାଚଳ ମନା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.