ମୁମ୍ଵାଇ ୦୫।୧୧: ସଙ୍ଗୀତ ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ଵ କ୍ଵିନ୍ସି ଜୋନ୍ସ। ବର୍ତ୍ତମାନ ତାଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଛି । ଜଣେ ବିଶ୍ଵ ପ୍ରସିଦ୍ଧ ମ୍ୟୁଜିସିଆନ୍ ଓ ପ୍ରଯୋଜକ ଭାବେ ପରିଚିତ କ୍ଵିନ୍ସି ମାଇକେଲ ଜ୍ୟାକ୍ସନ୍, ଫ୍ରାଙ୍କ୍ ସିନାତ୍ରା ଓ ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କ ସହ କାମ କରିଥିଲେ । ଗତ ରବିବାର ରାତିରେ ବେଲ ଏୟାର ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଥିଲା । ମାଇକେଲ ଜ୍ୟାକ୍ସନ୍ଙ୍କ ‘ଥ୍ରିଲର୍’ ଆଲ୍ବମର ପ୍ରଯୋଜକ ଭାବେ କ୍ଵିନ୍ସି ବେଶ ପରିଚିତ ।
ଦୀର୍ଘ ୭୫ ବର୍ଷର କ୍ୟାରିଅର୍ରେ ସେ ୨୮ଟି ଗ୍ରାମି ପୁରସ୍କାର ଜିତିଥିଲେ । ଟାଇମ୍ ପତ୍ରିକା ଦ୍ଵାରା ସେ ବିଂଶ ଶତାବ୍ଦୀର ଅନ୍ୟତମ ସବୁଠୁ ପ୍ରଭାବଶାଳୀ ଜାଜ୍ ମ୍ୟୁଜିସିଆନ୍ର ମାନ୍ୟତା ପାଇଥିଲେ । କ୍ୟାରିଅର୍ ଆରମ୍ଭରେ ସେ ଫ୍ରାଙ୍କ୍ ସିନାତ୍ରାଙ୍କ ସହ କାମ କରିଥିଲେ । ‘ଦ ୱିଜ୍’ ଫିଲ୍ମରେ ସେ ୧୯ ବର୍ଷୀୟ ମାଇକେଲ ଜ୍ୟାକ୍ସନ୍ଙ୍କ ସହ କାମ କରିଥିଲେ । ଏହା ପରେ ଜ୍ୟାକ୍ସନ୍ଙ୍କ ମ୍ୟୁଜିକ୍ ଆଲ୍ବମ ‘ଅଫ୍ ଦ ୱାଲ୍’ର ପ୍ରଯୋଜନା ଦାୟିତ୍ଵ ନିର୍ବାହ କଲେ। ଯାହାର ୨ କୋଟି କପି ବିକ୍ରି ହୋଇଥିଲା ।
ଏହା ପରେ ‘ଥ୍ରିଲର୍’ ଓ ‘ବ୍ୟାଡ୍’ ଆଲ୍ବମର ପ୍ରଯୋଜନା କଲେ । ୧୯୮୫ ମସିହାରେ ‘ୱି ଆର୍ ଦ ୱର୍ଲଡ୍’ ଗୀତ ରେକର୍ଡ କରିବା ଲାଗି କ୍ଵିନ୍ସି ଆମେରିକାର ୪୬ ଜଣ ସବୁଠୁ ଲୋକପ୍ରିୟ ଗାୟକଙ୍କୁ ଏକତ୍ର କରିଥିଲେ । ଏହି ଗୀତଟିକୁ ସେ ନିଜେ ଲେଖିଥିଲେ । ଇଥିଓପିଆର ଦୁର୍ଭିକ୍ଷ ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସେ ଏହି ପ୍ରୟାସ କରିଥିଲେ । ସେ ୫୦ରୁ ଅଧିକ ଫିଲ୍ମ ଓ ଟିଭି କାର୍ଯ୍ୟକ୍ରମର ଗୀତ ପ୍ରସ୍ତୁତ କରିଥିଲେ । ତାଙ୍କ ପରଲୋକରେ ବିଶ୍ଵ ସଙ୍ଗୀତ ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।