ରାଜ୍ୟରେ କାଳବୈଶାଖୀ ତାଣ୍ଡବ ଜାରି, ଆହୁରି ୨ ଦିନ ବର୍ଷିବ

Published By : Prameya-News7 Bureau | March 23, 2025 IST

ଭୁବନେଶ୍ୱର ୨୩।୦୩ : ରାଜ୍ୟରେ ଦୁଇଦିନ ହେଲା କାଳବୈଶାଖୀର ତାଣ୍ଡବ ଜାରି ରହିଛି । ଗଞ୍ଜାମ, ମୟୂରଭଞ୍ଜ,  ନୟାଗଡ଼, ନବରଙ୍ଗପୁର ଓ ବାରିପଦାରେ ତୁହାକୁ ତୁହା ବର୍ଷା ହୋଇିଥିଲା । ଶନିବାର ବଜ୍ରପାତରେ ଦିଗପହଣ୍ଡି ଓ ବ୍ରହ୍ମଗିରିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ବ୍ରହ୍ମପୁର ଏମ୍‌କେସିଜି ପରିସରରେ ବର୍ଷା ପାଣି ପଶି ବନ୍ୟା ସୃଷ୍ଟି କରିଛି । ବିଜୁଳି ଓ ଘଡ଼ଘଡ଼ିର ଗର୍ଜନ ଭୟର ବାତାବରଣ ସୃଷ୍ଟି କରିଛି । ଆଉ ଦୁଇ ଦିନ କାଳବୈଶାଖୀ ପ୍ରଭାବରେ ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି  ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ବମକେଇ ପଞ୍ଚାୟତରେ  କ୍ରିକେଟ୍‌ ଖେଳୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ସେହିଭଳି ପୁରୀ ଜିଲ୍ଲା  ବ୍ରହ୍ମଗିରିରେ ପରିବା କ୍ଷେତରେ ପାଣି ମଡ଼ାଇବା ସମୟରେ ଜଣେ ଚାଷୀ ବଜ୍ରାଘାତରେ ଟଳି ପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲାରେ ଶନିବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ଘନ ଘନ ବଜ୍ରପାତ ହୋଇଥିଲା । ନିର୍ଧୁମ ବର୍ଷାରେ ବ୍ରହ୍ମପୁର ସହରରେ ପାଣିର ସୁଅ ବନ୍ୟା ସ୍ଥିତି ସୃଷ୍ଟି କରିଥିଲା । ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀରେ ଫସି ଯାଇଥିବା ଜଣେ ଦୃଷ୍ଟିହୀନ  ବୃଦ୍ଧାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ । ଏମ୍‌କେସିଜି  ମେଡିକାଲ କଲେଜ ଓ ହସ୍ପିଟାଲର ଓପିଡିରେ ମଧ୍ୟ ବର୍ଷା  ପାଣି ପଶି ଯାଇଥିଲା । ସହରର ଏକାଧିକ ସ୍ଥାନରେ ଗଛ  ଭାଙ୍ଗି ରାସ୍ତାରେ ପଡ଼ିଥିଲା । 

ସେହିପରି ନବରଙ୍ଗପୁରରେ କୁଆପଥର ବର୍ଷା ଓ ବଜ୍ରପାତ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଝରିଗାଁ ସାପ୍ତାହିକ ହାଟରେ  କୁଆପଥର ମାଡ଼ ଯୋଗୁ ଅନେକ ଲୋକ ଆହତ ହୋଇଛନ୍ତି ।  କୁଆପଥର ଏତେ ବଡ଼ ବଡ଼ ଥିଲା ଯେ ଏହାର ମାଡ଼ରେ ଅନେକ  ଲୋକଙ୍କ ମୁଣ୍ଡ ଫାଟି ଯାଇଛି। କନ୍ଧମାଳ ଜିଲ୍ଲା ଜି ଉଦୟଗିରିର  ବିଭିନ୍ନ ସ୍ଥାନରେ ବର୍ଷା ସହିତ କୁଆପଥର ମାଡ଼ ହୋଇଛି । ମୟୂରଭଞ୍ଜର ବାରିପଦାରେ   ଅପରାହ୍ନରୁ ତୁହାକୁ ତୁହା  ବର୍ଷା ଲାଗି ରହିଥିଲା । ନୟାଗଡ଼ରେ ବର୍ଷା ସାଙ୍ଗକୁ ବଜ୍ରପାତ   ଓ କୁଆପଥର ମାଡ଼ ହୋଇଥିଲା । 

ରବିବାର କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର,  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ  ଗଜପତିରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୪  ତାରିଖରେ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବର୍ଷା ଓ   ବଜ୍ରପାତ ସମ୍ଭାବନା ରହିଛି । ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ କୁଆପଥର ମାଡ଼ରେ ଚାଷ  କ୍ଷତିଗ୍ରସ୍ତ ହେବା ସହ କଚ୍ଚା ଘର କାନ୍ଥ ଓ ଅନ୍ୟ ଦୁର୍ବଳ  ଭିତ୍ତିଭୂମି ଭାଙ୍ଗି ଯିବାର ଆଶଙ୍କା ରହିଥିବାରୁ ପାଣିପାଗ ବିଭାଗ   ସତର୍କତା ଜାରି କରିଛି ।  

ଗତ ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪  ମିମି ବର୍ଷା ରେକର୍ଡ ହୋଇଛି । କେନ୍ଦୁଝର ଯୋଡ଼ାରେ ୮୪.୫,  ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ୭୦.୨, କେନ୍ଦୁଝର ସାରପଡ଼ାରେ   ୬୧.୬, ଚମ୍ପୁଆରେ ୫୮.୨, ମୟୂରଭଞ୍ଜ କରଞ୍ଜିଆରେ ୫୭,  ବାଲେଶ୍ୱର ସୋରରେ ୫୪, ସୁନ୍ଦରଗଡ଼ ଲାଠିକଟାରେ ୫୩,  କେନ୍ଦୁଝର ଝୁମ୍ପୁରାରେ ୫୧.୬, ସୁନ୍ଦରଗଡ଼ କୁତ୍ରାରେ ୪୬ମିମି  ବର୍ଷା ହୋଇଥିଲା । ଆଜି ସକାଳରୁ ସନ୍ଧ୍ୟା ଭିତରେ ଗଞ୍ଜାମ  ଜିଲ୍ଲା ଛତ୍ରପୁରରେ ସର୍ବାଧିକ ୬୨.୨ ମିମି ବର୍ଷା ରେକର୍ଡ  ହୋଇଛି । କଟକରେ ୨୧.୨, ଚାନ୍ଦବାଲିରେ ୧୬.୪ ଓ ବାଲେଶ୍ୱରରେ ୧୫ମିମି ବର୍ଷା ହୋଇଛି ।

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.