ରିୟାଦ ୭।୧: ସାଉଦୀ ଆରବରେ ଭୀଷଣ ବର୍ଷା ଓ ତତଜନିତ ବନ୍ୟା ଯୋଗୁ ମକ୍କା,ରିୟାଦ, ଜେଦ୍ଦା ଓ ମଦୀନା ଭଳି ବଡ଼ ବଡ଼ ସହରାଞ୍ଚଳରେ ରେଡ ଆଲର୍ଟ ଜାରି ହୋଇଛି। ସାଉଦୀଆରବର ବିସ୍ତୃତ ଅଞ୍ଚଳରେ ସୋମବାର ଆରମ୍ଭ ହୋଇଥିବା ବର୍ଷା ବୁଧବାର ପର୍ଯ୍ୟନ୍ତ ଜାରି ରହିପାରେ। ପବନ ସାଙ୍ଗକୁ କୁଆପଥର ବର୍ଷା ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି। ଗତ କିଛି ସମୟ ହେଲା ସାଉଦୀ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିଛି। ଗୋଟିଏପଟେ ହଜାର ହଜାର ବର୍ଷର ବାଲିପାହାଡ଼ ସବୁଜ ହେଉଥିବା ବେଳେ ସାମାନ୍ୟ ବର୍ଷାକୁ ଚାତକ ଭଳି ଅନାଇ ରହୁଥିବା ଅଞ୍ଚଳରେ ବନ୍ୟା ବିତ୍ପାତ ରଚୁଛି।
ସାଉଦୀରେ ଏପରିବର୍ତ୍ତନକୁ ପାଣିପାଗ ବୈଜ୍ଞାନିକ ଜଳବାୟୁ ପରିବର୍ତ୍ତନ ବୋଲି କହୁଥିବା ବେଳେ କିଛି ଲୋକେ ପୈଗମ୍ବର ମହମ୍ମଦଙ୍କ ଭବିଷ୍ୟତବାଣୀ ସତ୍ୟ ହେଉଥିବାର ଦାବି କରୁଛନ୍ତି। ସାଉଦୀ ନ୍ୟାସନାଲ ମେଟ୍ରୋଲଜିକାଲ ସେଣ୍ଟର ଅନେକ ସହରାଞ୍ଚଳ ପାଇଁ ଭୀଷଣ ବର୍ଷାର ରେଡ ଆଲର୍ଟ ଜାରି କରିଛି। ରିୟାଦ, ମକ୍କା, ଅଲ-ବାହା ଓ ତବୁକ କ୍ଷେତ୍ରର ପାଗ ଏବେ ଖରାପ ରହିଛି। ମଦୀନାରେ ଭୀଷଣ ବର୍ଷା ଓ ବନ୍ୟା ଯୋଗୁ ବ୍ୟବଧାନ ଆସିଯାଇଛି।
ସାଉଦୀ ଆରବର ବଡ଼ ସହରାଞ୍ଚଳରେ ବର୍ଷା ଓ ତତଜନିତ ବନ୍ୟା ଯୋଗୁ ମରୁଭୂମି ଅଞ୍ଚଳ ଏବେ ଶବୁଜିମାରେ ଭରି ଯାଇଛି। ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି। ଲୋକେ ଏବେ ଏହାକୁ ପୈଗମ୍ବର ମହମ୍ମଦଙ୍କ ଭବିଷ୍ୟତବାଣୀ ସହିତ ଯୋଡି ଦେଖୁଥିବା ବେଳେ ଏହାକୁ ପ୍ରଳୟର ସଂକେତ ବୋଲି କହୁଛନ୍ତି। ଲୋକେ ସୋସିଆଲ ମିଡିଆରେ ସବୁଜ ଘାଷର ଫଟୋ ସେୟାର କରି ଏବେ ତାହା ହେଉଛି ଯାହା ପୈଗମ୍ବର କହିଯାଇଥିଲେ ବୋଲି ଉଲ୍ଲେଖ କରୁଛନ୍ତି।
ସୋସିଆଲ ମିଡିଆରେ ପୈଗମ୍ବର ମହମ୍ମଦଙ୍କ ଉଲ୍ଲେଖ କରାଯାଉଛି। ଯେଉଁଥିରେ ପୈଗମ୍ବର ୧୪୦୦ ବର୍ଷ ପୂର୍ବେ କହିଥିଲେ ‘ପ୍ରଳୟ ସେ ପର୍ଯ୍ୟନ୍ତ ଆସିବନି ଯେଉଁ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପ୍ରଚୁର ଧନ ନ ହୋଇଛି। ଏତେ ଧନ ଯେ ଲୋକେ ଦାନ ଦେବାକୁ ଚାହିଁଲେ ବି ତାଙ୍କଠୁ ଗ୍ରହଣ କରିବାକୁ କେହି ନଥିବେ। ସେହିପରି ପ୍ରଳୟର ଆଉ ଏକ ଲକ୍ଷଣ ହେଉଛି ପ୍ରଳୟ ପୂର୍ବରୁ ଆରବର ଭୂମି ଘାଷ ପଡିଆ ଓ ନଦୀରେ ପରିଣତ ହେବ’। ଏହି ପବିତ୍ର ସହର ଯାହା କେବେ ସବୁଜ ସୁନ୍ଦର ଥିଲା ତାହା ପୁଣି ସବୁଜ ହୋଇଯିବ।