ଚିଲିକାର ନୀଳ ଜଳରାଶି ବଡ଼ଦାଣ୍ଡ, ଢେଉରେ ମହାପ୍ରଭୁଙ୍କ ବିରଳ ରଥଯାତ୍ରା

Published By : Prameya-News7 Bureau | July 07, 2024 IST

ଟାଙ୍ଗୀ ୭।୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଜଗତର ନାଥ ଜଗନ୍ନାଥଙ୍କ ଏହି ପବିତ୍ର ଘୋଷଯାତ୍ରା ଚିଲିକାର ନୀଳ ଜଳରାଶିରେ ଅନୁଷ୍ଠିତ ହୋଇଥିଲା । ସମଗ୍ର ବିଶ୍ବରେ ସବୁଠି ସ୍ଥଳପଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଠି କିନ୍ତୁ ଚିଲିକାର ଜଳପଥରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା । ଯାହାକି ନିଆରା ରଥଯାତ୍ରା ଭାବେ ପାଳନ କରାଯାଏ । ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ସମସ୍ତ ନୀତିକାନ୍ତି କାର୍ଯ୍ୟ ଅନୁଯାୟୀ ପାଳନ ହୋଇଥାଏ ଏହି ରଥଯାତ୍ରା । ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅଧିନସ୍ଥ ନଈରୀ ଗ୍ରାମର ଚିଲିକା ମଧ୍ୟରେ ରହିଛି ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ "କାଙ୍କଣ ଶିଖରୀ" ଧାମ ।  ଚିଲିକାର ମଧ୍ୟ ଭାଗରେ ରହିଛି ଗୋଟିଏ ଛୋଟ କୁଦ ଯାହାର ନାଁ ରହିଛି "କାଙ୍କଣ ଶିଖରୀ" । ସେହି ଠାରେ ଆଜକୁ ଦୀର୍ଘ ୧୦ବର୍ଷ ଧରି ଏଭଳି ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । 

ତିନୋଟି ନୌକା (ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ)କୁ ଗୋଟିଏ ରଜୁରେ ବନ୍ଧାଯିବା ପରେ ସେଥିରେ ନିର୍ମାଣ ହୋଇଥାଏ ରଥ । ସେହି ରଥରେ ବିରାଜମାନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରା । ରଥାରୂଢ ହେବା ପରେ ରଥଟଣା ହୋଇଥାଏ । ଚିଲିକାର ନୀଳ ଜଳରାଶି ହୋଇଥାଏ ବଡ଼ଦାଣ୍ଡ ଏବଂ ଚିଲିକା ଢେଉରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ବିରଳ ରଥଯାତ୍ରା । ରଥ ରଜୁର ଆବଶ୍ୟକତା ନାହିଁ ବରଂ ଭାବରେ ବନ୍ଧା ନୀଳାମୟ ଠାକୁରଙ୍କ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ହୋଇଥାଏ ଏହି ରଥଯାତ୍ରା । "କାଙ୍କଣ ଶିଖରୀ" କୁଦକୁ ପରିକ୍ରମା କରିବା ପରେ ଠାକୁର ପୁଣି ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ଘଣ୍ଟ-ଘଣ୍ଟା, କାହାଳୀ, ମୃଦଙ୍ଗ, ଝାଞ୍ଜ, କୀର୍ତ୍ତନ ସାଙ୍ଗକୁ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥାଏ ଗଗନ ପବନ । ଏହି ବିରଳ ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତ-ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ ।

You Can Read:

ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସି ତରଫରୁ "ବନ ମହୋତ୍ସବ" ପାଳିତ


 

 

  • odisha
  • OdishaNews
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.