ପୁରୀ ୯।୫: ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଗଣତି, ମଣତି ପାଇଁ କିଭଳି ବ୍ୟବସ୍ଥା ହୋଇପାରିବ ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ପରିଚାଳନା କମିଟି ସେବାୟତ ସଦସ୍ୟ, ଏଏସଆଇ ଅଧିକାରୀ ଏବଂ ରତ୍ନଭଣ୍ଡାର କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ବୈଠକରେ ଉପସ୍ଥିତ ଥିଲେ । ତେବେ ବୈଠକ ଶେଷ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ବେଳେ କ'ଣ ସବୁ ସମସ୍ୟା ଆଗକୁ ଆସିବ ଏବଂ କିଭଳି ଭାବେ ଏହାର ସମାଧାନ କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା । ତେବେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ଥିବା ସମୟରେ ତଥା ରଥଯାତ୍ରା ସମୟରେ ହିଁ ରତ୍ନଭଣ୍ଡାର ଖୋଲାଯାଇ ଗଣତି, ମଣତି ହୋଇପାରିବ ବୋଲି ଜଷ୍ଟିସ ପଶାୟତ କହିଥିଲେ । ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ ତାହାର ସମସ୍ତ ରିପୋର୍ଟ ତାଙ୍କ ପାଖରେ ହସ୍ତଗତ ହୋଇଛି । ଉକ୍ତ ରିପୋର୍ଟ ଆଧାରରେ ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି କରାଯିବ । ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଇ ରତ୍ନଭଣ୍ଡାର ଅଳଙ୍କାରର ଗଣତି, ମଣତି କିଭଳି କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ବୋଲି ଜଷ୍ଟିସ ପଶାୟତ କହିଛନ୍ତି । ବୈଠକ ପୂର୍ବରୁ ଜଷ୍ଟିସ ପଶାୟତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ। ମହାପ୍ରଭୁଙ୍କ ଇଛାରେ ହିଁ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
You Can Read :
ଫୁଲବାଣୀରେ ନବୀନ ପଟ୍ଟନାୟକଙ୍କ ପ୍ରଚାର, ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ କଲେ ଅପିଲ୍