ଆଦାନୀ ଆରେଷ୍ଟ ୱାରେଣ୍ଟ ନେଇ ଆମେରିକା ଠାରୁ କୌଣସି ଅନୁରୋଧପତ୍ର ମିଳି ନାହିଁ: ଭାରତ ସରକାର

Published By : Prameya-News7 Bureau | November 29, 2024 IST

indiatoday

ନୂଆଦିଲ୍ଲୀ: ଲାଞ୍ଚ ଅଭିଯୋଗରେ ଆଦାନୀଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ପରୱାନା ନେଇ ମିଡିଆରେ ନାନା ଖବର ପ୍ରକାଶ ପାଉଥିଲେ ବି ଶୁକ୍ରବାର ଏନେଇ ଭାରତ ସରକାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଗିରଫ ପରୱାନା ନେଇ ଆମେରିକା ପକ୍ଷରୁ ଆମକୁ କୌଣସି ଅନୁରୋଧପତ୍ର ମିଳି ନାହିଁ ବୋଲି ଭାରତ ସରକାର କହିଛନ୍ତି।

ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ଆମେରିକାର ଆଦାନୀଙ୍କ ସହିତ ଜଡ଼ିତ ସଂସ୍ଥାଗୁଡ଼ିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନରେ ଭାରତ ସରକାରଙ୍କର କୌଣସି ଭୂମିକା ନାହିଁ। 

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈସ୍ୱାଲ କହିଛନ୍ତି “ଏହା ଏକ ଆଇନଗତ ମାମଲା, ଯେଉଁଥିରେ ବେସରକାରୀ ସଂସ୍ଥା, ବ୍ୟକ୍ତିବିଶେଷ ଏବଂ ଆମେରିକାର ନ୍ୟାୟ ବିଭାଗ ଜଡ଼ତି ରହିଛନ୍ତି। ଏଭଳି ସ୍ଥିତିରେ ଥିବା ନିୟମ କାନୁନ ପ୍ରକ୍ରିୟାର ପାଳନ କରାଯିବ। ଗିରଫ ପରୱାନାର କାର୍ଯ୍ୟକାରିତା ସମେତ ଭାରତ ମଧ୍ୟରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେଲେ ଆମେରିକା ସରକାର ପ୍ରଥମେ ଭାରତୀୟ ଗୃହମନ୍ତ୍ରଣାଳୟକୁ ଅବଗତ କରାଇବେ।”

ସୋଲାର ଏନର୍ଜୀ କଣ୍ଟ୍ରାକ୍ଟ ନେବାକୁ ଆଦାନୀ ଗ୍ରୁପ ଭାରତୀୟ ସରକାରୀ ଅଫିସରଙ୍କୁ ଲାଞ୍ଚ ଯାଇଥିବା ଅଭିଯୋଗ ଲଗାଇଛି ଆମେରିକାୟ ନ୍ୟାୟ ବିଭାଗ। କେବଳ ସେତିକି ନୁହେଁ, ଆମେରିକା ନିବେଶକଙ୍କୁ ମିଛ କହି ସେମାନଙ୍କ ଟଙ୍କାକୁ ଦୁର୍ନୀତି ବ୍ୟବସାୟରେ ଲଗାଯାଇଛି ବୋଲି ଆମେରିକା ଅଭିଯୋଗ କରିଛି। ଏନେଇ ତାଙ୍କ ବିରୋଧରେ ଗିରଫ ପରୱାନା ରୁଜୁ ହୋଇଛି। 

ସୂଚନା ଥାଉକି ଏହି ମାମଲାରେ ଯଦି ଆମେରିକା ଆଦାନୀଙ୍କୁ ନିଜ ଦେଶର ଆଇନଗତ ଲଢ଼େଇ ପାଇଁ ନେବାକୁ ଚାହିଁବ, ତେବେ ଭାରତ ସରକାରଙ୍କ ସହିତ ହୋଇଥିବା ପ୍ରତ୍ୟର୍ପଣ ସନ୍ଧି ମାଧ୍ୟମରେ ସେ ଅନୁରୋଧ କରିବ। ହେଲେ ଏଥିପାଇଁ ଆମେରିକାକୁ ବ୍ୟକ୍ତିଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ପତ୍ର ଦେବାକୁ ପଡ଼ିବ ଓ ହୋଇଥିବା ଏହି ଉଲ୍ଲଂଘନରେ ଆମେରିକା କେତେ ପ୍ରଭାବିତ ହେବ ତାହା ମଧ୍ୟ ଦର୍ଶାଇବାର ନିୟମ ରହିଛି। ହେଲେ ଭାରତ ସରକାର କହୁଛନ୍ତି , ଆମେରିକା ଏପର୍ଯ୍ୟନ୍ତ ଆମକୁ କିଛି କହି ନାହିଁ। 

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈସ୍ୱାଲ କହିଛନ୍ତି “ସମନ କିମ୍ବା ଗିରଫ ପରୱାନା ଜାରି ପାଇଁ ବିଦେଶୀ ସରକାରଙ୍କ ଦ୍ୱାରା କୌଣସି ଅନୁରୋଧ ପାରସ୍ପରିକ ଆଇନଗତ ସାହାଯ୍ୟର ଏକ ଅଂଶ। ଏହିପରି ଅନୁରୋଧଗୁଡିକ ତଥ୍ୟକୁ ଭଲଭାବରେ ପରୀକ୍ଷା କରାଯାଏ। ଆମେରିକା ପକ୍ଷରୁ ଏହି ମାମଲାରେ ଆମକୁ କୌଣସି ଅନୁରୋଧ ମିଳି ନାହିଁ।” ତେବେ ଏହା ଏକ ବ୍ୟକ୍ତିଗତ କଥା। ତେଣୁ ସରକାର ଏଥିରେ ସାମିଲ ହୋଇ ନାହାନ୍ତି ବୋଲି ଶ୍ରୀ ଜୈସ୍ୱାଲ କହିଛନ୍ତି।

ତେବେ ଆମେରିକାର ଅଭିଯୋଗକୁ ଆଦାନୀ ଗ୍ରୁପ ପକ୍ଷରୁ ଖଣ୍ଡନ କରାଯାଇଛି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି କମ୍ପାନୀ କହିଛି। ଏଥିସହିତ ମାମଲାରେ ଆବଶ୍ୟକ ପଡ଼ିଲେ ସମସ୍ତ ଆଇନଗତ ବାଟର ସାହାର ନିଆଯିବ ବୋଲି ଆଦାନୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.