ରୋଗୀଙ୍କ ଲାଇଫ୍‌ ସପୋର୍ଟ ସିଷ୍ଟମ୍ ନେଇ ନୂଆ ଗାଇଡ୍‌ଲାଇନ୍‌; କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରଖିଲା ୪ ସର୍ତ୍ତ

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ,୨୯/୦୯: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଅର୍ଥାତ୍‌ ଗୁରୁତର ଭାବେ ଅସୁସ୍ଥ ଥିବା ରୋଗୀଙ୍କର ଲାଇଫ୍‌ ସପୋର୍ଟ ସିଷ୍ଟମ ହଟାଇବାକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି । ସେଥିରେ କୁହାଯାଇଛି ଯେ, କିଛି ସର୍ତ୍ତକୁ ଧ୍ୟାନରେ ରଖି ଡାକ୍ତରଙ୍କୁ ରୋଗୀଙ୍କର ଲାଇଫ୍‌ ସପୋର୍ଟ ସିଷ୍ଟମ ହଟାଯିବା ଉଚିତ୍‌ କି ନାହିଁ ସେ ସଂପର୍କରେ ନିଷ୍ପତ୍ତି ନେବାକୁ ହେବ । ଗାଇଡଲାଇନ୍‌ରେ ୪ଟି ସର୍ତ୍ତ ରହିଛି । ସେହି ଆଧାରରେ ଲାଇଫ୍‌ ସପୋର୍ଟ ସିଷ୍ଟମକୁ ହଟାଇବା ରୋଗୀଙ୍କ ଲାଗି ଉଚିତ୍ ବୋଲି ନିଷ୍ପତ୍ତି ନିଆଯିବ । ତାହା ହେଲା, ରୋଗୀଙ୍କୁ ବ୍ରେନ୍‌ଡେଡ୍‌ ଘୋଷିତ  କରାଯାଇଥିବ । ଡାକ୍ତରଙ୍କ ଯାଞ୍ଚରୁ ରୋଗୀଙ୍କର  ରୋଗ ଆଡ୍‌ଭାନ୍ସଡ ସ୍ଥିତିରେ ପହଞ୍ଚିଯାଇଥିବା ଓ  ଚିକିତ୍ସା ଦ୍ୱାରା ତାଙ୍କୁ କୌଣସି ଲାଭ ମିଳିବାର ସମ୍ଭାବନା ନଥିବା ସ୍ଥଳରେ, ରୋଗୀଙ୍କର ପରିଜନ  ଲାଇଫ୍‌ ସପୋର୍ଟ ସିଷ୍ଟମ ଜାରି ରଖିବାକୁ ମନା କଲେ ଏପରି ନିଷ୍ପତ୍ତି ନେଇ ହେବ । ଲାଇଫ୍‌ ସପୋର୍ଟ ସିଷ୍ଟମ ହଟାଇବାର ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ ହୋଇଥିବା ନିୟମାବଳୀ ଅନୁସାରେ ହେବ ।   

ସରକାରଙ୍କ ଏହି ନୂଆ ଗାଇଡ୍‌ଲାଇନ୍‌କୁ ନେଇ ଡାକ୍ତର ସମୁଦାୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।   ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ର ଅଧ୍ୟକ୍ଷ ଡାକ୍ତର ଆର୍‌.ଭି ଅଶୋକନ୍‌ କହିଛନ୍ତି,   ଏହି ଗାଇଡ୍‌ଲାଇନ୍‌ ଡାକ୍ତରମାନଙ୍କୁ ଆଇନଗତ ଯାଞ୍ଚର ପରିସରରେ ଆଣିବ ଓ ସେମାନଙ୍କ ଉପରେ  ଚାପ ସୃଷ୍ଟି କରିବ । ଏଥିସହ ଡାକ୍ତରମାନେ ତଦନ୍ତ ପରିସରକୁ ଆସିଯିବେ । କିଛି କଥାକୁ ବିଜ୍ଞାନ ଓ ପରିସ୍ଥିତି ହିସାବରେ ରୋଗୀଙ୍କର ପରିଜନ, ରୋଗୀ   ଓ ଡାକ୍ତରଙ୍କ ଉପରେ ଛାଡିଦେବା କଥା । ଆଇଏମ୍‌ଏ ଏହି ଦସ୍ତାବିଜକୁ ପଢ଼ିବ ଓ ଡ୍ରାଫ୍ଟ ଗାଇଡ୍‌ଲାଇନ୍‌ର ରିଭ୍ୟୁ କରିବା ଲାଗି ଦାବି କରି ନିଜର ବିଚାରକୁ ସେୟାର କରିବ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡ୍ରାଫ୍ଟ ଅନୁସାରେ, ଟର୍ମିନାଲ ରୋଗକୁ ଏଭଳି ଦୂରାରୋଗ୍ୟ ସ୍ଥିତି ଭାବେ ପରିଭାଷିତ କରାଯାଇଛି ଯେଉଁଥିରେ  ନିକଟ ଭବିଷ୍ୟତରେ ମୃତ୍ୟୁର ସମ୍ଭାବନା ଅଧିକ  ଥାଏ । ସେଥିମଧ୍ୟରେ ମସ୍ତିଷ୍କରେ ଗୁରୁତର ଆଘାତ ମଧ୍ୟ ସାମିଲ । ଏହି ଡ୍ରାଫ୍ଟ ସଂପର୍କରେ କେନ୍ଦ୍ର ସରକାର ସମସ୍ତ ପକ୍ଷଙ୍କ ନିକଟରୁ ଅକ୍ଟୋବର ୨୦ ତାରିଖ ମଧ୍ୟରେ ପ୍ରତିକ୍ରିୟା ଓ ପରାମର୍ଶ ମାଗିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.