ଭଦ୍ରକ ୪/୧:ରାଜ୍ୟରେ ଆରମ୍ଭ ହୋଇଛି ସଡକ ସୁରକ୍ଷା ମାସ। ଚାଲିଛି ସଚେତନତା ଶୋଭାଯାତ୍ରା ଓ ବୁଲୁଛି ରଥ। କେମିତି ଦୁର୍ଘଟଣା ରୋକାଯାଇପାରିବ ? ମାସେ ଧରି ଯାତ୍ରୀ, ଗାଡି ଚାଳକ ଓ ସାଧାରଣ ଲୋକଙ୍କୁ ସଚେତନ କରାଯିବ । ହେଲେ ସଚେତନତା ସତ୍ତ୍ବେ କାହିଁକି କମୁନି ଦୁର୍ଘଟଣା । ପ୍ରଶ୍ନ ଉଠୁଛି ଦୁର୍ଘଟଣାରେ ବ୍ରେକ ଦେବା ପାଇଁ ସବୁ ଦାୟିତ୍ବ କଣ ଗାଡି ଚାଳକ ଓ ଯାତ୍ରୀଙ୍କର । ବ୍ୟବସ୍ଥା ଓ ପ୍ରଶାସନ ଏ ଦିଗରେ ସମାନ ଭାବରେ ସଚେତନ ତ ?
ସଡକ ସୁରକ୍ଷା ଜୀବନ ରକ୍ଷା । ରାସ୍ତାରେ ପ୍ରତି ମୁହୁର୍ତ୍ତରେ ଘଟୁଥିବା ଦୁର୍ଘଟଣା ଓ ଏହା ଜନିତ ମୃତ୍ୟୁକୁ ରୋକିବାକୁ ଏହି ଲୋକପ୍ରିୟ ସ୍ଲୋଗାନ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟୁଛି ପ୍ରଶାସନ । ଚାଲିଛି ସଚେତନତା ଶୋଭାଯାତ୍ରା ଓ ବୁଲୁଛି ସଚେତନତା ରଥ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭକରି ସ୍ବେଚ୍ଛାସେବୀ,କୁନି କୁନି ପିଲା ସଡକ ସୁରକ୍ଷାକୁ ନେଇ ଲୋକଙ୍କୁ ସଚେତନ କରବାରେ ଲାଗିଛନ୍ତି । ହେଲେ ଏପଟେ ଦେଖନ୍ତୁ ସଡକ ସୁରକ୍ଷା ସପ୍ତାହରେ ଯାତ୍ରୀ ସୁରକ୍ଷାର ଆଉ ଏକ ଦିଗ । ସୁରକ୍ଷା ମାସ ଆରମ୍ଭରୁ ଭଦ୍ରକ ଜିଲ୍ଲାରେ ଯାଇଛି ୨ଟି ଜୀବନ । ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଥାନା ଅଧୀନ ବିଷ୍ଣୁପୁର ଓ ଗ୍ରାମାଞ୍ଚଳ ଥାନା ଅଧୀନ ରାଣୀତାଲ ନିକଟରେ ଦୁର୍ଘଟଣା ନେଇଛି ୨ ଜୀବନ । ଦୁର୍ଘଟଣା ପାଇଁ ମୁଖ୍ୟତଃ ଜାତୀୟ ରାଜପଥ ପ୍ରାଧୀକରଣର ଠିକା ସଂସ୍ଥାକୁ ଦାୟୀ କରାଯାଇଛି । ତାର ମନୋମୁଖୀ କାମ ପାଇଁ ଦହଗଞ୍ଜ ହେଉଛନ୍ତି ଲୋକେ । କେତେବେଳେ ରାସ୍ତାକୁ ମନଇଚ୍ଚା ଖୋଳି ପକାଉଛି ତ ଆଉ କେତେବେଳେ ମରାମତି ଆଳରେ ରାସ୍ତା ଜାମ୍ କରି ରଖୁଛି । ପୁଣି କେତେବେଳେ ଅଧା କାମ ଛାଡି ପଳାଉଛି । ଠିକା ସଂସ୍ଥାର ଏହି ବେପରୁୱା ମନୋଭାବ ପାଇଁ ବଳି ପଡୁଛନ୍ତି ସାଧାରଣ ଲୋକ ।
ପ୍ରତିବର୍ଷ ସଡକ ସୁରକ୍ଷା ସପ୍ତାହ ପାଳନ ହେଉଛି ତଥାପି ଦୁର୍ଘଟଣାରେ ଲାଗିପାରୁନି ବ୍ରେକ । ୨୦୨୪ରେ ୨୩୪ଟି ଦୁର୍ଘଟଣା ରେକର୍ଡ ହୋଇଛି । ସେଥିରୁ ୧୨୨ଟି ଦୁର୍ଘଟଣାରେ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ୮୯ ଜଣ ଗୁରୁତର ହୋଇଥିବାବେଳେ ୨୩ ଜଣ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ରୋକିବାକୁ ପ୍ରଶାସନ ଯଥାସମ୍ଭବ ଚେଷ୍ଟା କରୁଥିବା ସଫେଇ ଦେଇଛି ପ୍ରଶାସନ । ଗତ ବର୍ଷର ତଥ୍ୟ ଦେଖିଲେ ଏପ୍ରିଲ ୨୦୨୩ରୁ ମାର୍ଚ୍ଚ ୨୦୨୪ ଯାଏ ମୋଟ୍ ୧୫ ହଜାର ୬ଶହ ୬ଟି ଚାଲାଣ କଟିଛି । ୯୭୬ଟି ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି । ୨କୋଟି ୫୯ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କାର ଜରିମାନା ସଂଗ୍ରହ ହୋଇଛି । ସେହିପରି ଏପ୍ରିଲ ୨୦୨୪ରୁ ନଭେମ୍ବର ୨୦୨୪ ଯାଏ ୫ହଜାର ୫ଶହ ୭ଟି ଚାଲାଣ ସହ ୩୦୬ଟି ଲାଇସେନ୍ସ ବାତିଲ ହୋଇଛି । ମୋଟ୍ ୯୮ ଲକ୍ଷ ୯୦ ହଜାର ୨୬୦ ଟଙ୍କା ଫାଇନ ଆଦାୟ କରାଯାଇଛି ।
ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଗୁଡିକର ଦୟନୀୟ ଅବସ୍ଥା ଦେଖିଲେ ମନରେ ପ୍ରଶ୍ନ ଆସୁଛି କାହା ପାଇଁ ସଡକ ସୁରକ୍ଷା ମାସ ? କେବଳ ପ୍ରଚାର, ସଚେତନତା ଓ ଶୋଭାଯାତ୍ରା ଦୁର୍ଘଟଣାରେ ଲଗାଇପାରିବନି ବ୍ରେକ । ଏଥିପାଇଁ ଗ୍ରାଉଣ୍ଡ ଜିରୋରେ ଯାଇ ଦୁର୍ଘଟଣାର କାରଣ ଖୋଜି ତାର ସମାଧାନ ଜରୁରୀ ।