ଏବେ ଭାରତରେ ତିଆରି ହେବ ଫାଇଟର ଜେଟ୍ ର ଶକ୍ତିଶାଳୀ ଇଞ୍ଜିନ, ୨୦୨୯ରେ ହେବ ପ୍ରଥମ ଉଡ଼ାଣ ପରୀକ୍ଷଣ

NEWS7
rohit-sharma-reportedly-set-to-retire-after-india-vs-australia-border-gavaskar-trophy

ନୂଆଦିଲ୍ଲୀ ୨୯।୧୨: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଭାରତର ସ୍ୱଦେଶୀ ଯୁଦ୍ଧବିମାନ ‘ତେଜସ୍ ମାର୍କ-୨’ ଏବେ ବିଦେଶ ନୁହେଁ ଭାରତରେ ତିଆରି ଶକ୍ତିଶାଳୀ ଇଞ୍ଜିନ ବଳରେ ଆକାଶ ଛୁଇଁବ। ଡିଆରଡିଓ ଏବଂ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ଦ୍ୱାରା ମିଳିତ ବିକଶିତ ଏହି ବିମାନର ସ୍ୱଦେଶୀ ଇଞ୍ଜିନ ସହିତ ପ୍ରଥମ ଉଡାଣ ପରୀକ୍ଷଣ ୨୦୨୯ରେ ହେବ ବୋଲି ଆଶା କରାଯାଉଛି।

ଭାରତ ଓ ଆମେରିକାର ଦିଗ୍ଗଜ କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ (ଜିଇ) ଏରୋସ୍ପେସ୍ ମଧ୍ୟରେ ଏଫ-୪୧୪ ଇଞ୍ଜିନକୁ ନେଇ ଏକ ଐତିହାସିକ ବୁଝାମଣା ହୋଇଛି। ୧.୫ ବିଲିୟନ ଡଲାରର ଏହି କାରବାର ଅନୁସାରେ ଭାରତକୁ ଆମେରିକା ୮୦ ପ୍ରତିଶତ ଟେକ୍ନୋଲଜି ହସ୍ତାନ୍ତରିତ କରିବାକୁ ସହମତ ହୋଇଛି। ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୬ ସୁଦ୍ଧା ଏହି କାରବାରକୁ ଚୂଡ଼ାନ୍ତ ରୂପ ଦିଆଯିବ। ଏଣୁ ଭାରତର ସାମରିକ ଶକ୍ତିରେ ବ୍ୟାପକ ପରିବର୍ତ୍ତନ ଆସିବ।

ଏଚଏଏଲ ହେବ ଇଞ୍ଜିନ ନିର୍ମାଣର କେନ୍ଦ୍ର
ଏଫ-୪୧୪ ଇଞ୍ଜିନକୁ ତେଜସ ମାର୍କ-୨ ବିମାନର ମେରୁଦଣ୍ଡ କୁହାଯାଉଛି। ଏହି ବୁଝାମଣା ପରେ ଏଚଏଏଲ ଭାରତରେ ଏହି ଇଞ୍ଜିନର ଉତ୍ପାଦନ, ଆସେମ୍ବ୍ଲ ଓ ପରୀକ୍ଷଣ କରିବ। ଏଥିରେ ଯଦି ୨୦୨୬ରେ ଡିଲ ଫାଇନାଲ ହୋଇଯାଏ ତେବେ ୨୦୨୯ ମଧ୍ୟ ସୁଦ୍ଧା ଭାରତ ନିଜର ପ୍ରଥମ ସ୍ୱଦେଶୀ ଏଫ-୪୧୪ ଇଞ୍ଜିନ ତିଆରି କରିପାରିବ। ଏଥି ପାଇଁ ଭାରତରେ ନୂଆ ଉତ୍ପାଦନ ଲାଇନ ଓ ଅତ୍ୟାଧୁନିକ ପରୀକ୍ଷଣ ସୁବିଧା ସ୍ଥାପିତ କରାଯିବ।

ତେଜସ୍ ମାର୍କ-୨ର ଯାତ୍ରା ଓ ପରୀକ୍ଷଣ
ତେଜସ୍ ମାର୍କ-୨ର ପ୍ରଥମ ପ୍ରୋଟୋଟାଇପ ୨୦୨୬ରେ ଉଡାଣ କରିବ। ଏଥିରେ ଆମେରିକା ଦ୍ୱାରା ଯୋଗାଇ ଦିଆଯାଇଥିବା ଇଞ୍ଜିନର ଉପଯୋଗ ହେବ। ବାୟୁସେନା ଦ୍ୱାରା ୨୦୩୧ରେ ଏହାର ବ୍ୟାପକ ପରୀକ୍ଷଣ କରାଯିବ। ଏଥିରେ ଅସ୍ତ୍ରଶସ୍ତ୍ର ଇଣ୍ଟିଗ୍ରେସନ ସହିତ ଉଡାଣ ନିୟନ୍ତ୍ରଣ ପ୍ରଣାଳୀର ଯାଞ୍ଚ ହେବ। ତେବେ ଚୂଡ଼ାନ୍ତ ମଞ୍ଜୁରୀ ପୂର୍ବରୁ ୨୦୩୦-୩୨ ମଧ୍ୟରେ ୮ ଲିମିଟେଡ ସିରିଜ ପ୍ରଡକ୍ସନ ବିମାନ ପ୍ରସ୍ତୁତ କରାଯିବ। ଯାହାଦ୍ୱାରା ଏହାକୁ ଯେତେ ଶୀଘ୍ର ସମ୍ଭବ ସେନାରେ ସାମିଲ କରାଯାଇ ପାରିବ।

ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ?
ଏହି କାରବାର କେବଳ ତେଜସ ପର୍ଯ୍ୟନ୍ତ ସୀମିତ ନୁହେଁ। ଭବିଷ୍ୟତର ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ (ଏଏମସିଏ) ପ୍ରେଜେକ୍ଟ ଲାଗି ମଧ୍ୟ ଗେମ ଚେଞ୍ଜର ସାବ୍ୟସ୍ତ ହେବ।ଟେକ୍ନୋଲଜି ମିଳିବା ପରେ ଭାରତ ବିଶ୍ୱର ସେହି ଦେଶମାନଙ୍କ ସହ ସାମିଲ ହୋଇଯିବ ଯେଉଁମାନେ ନିଜର ଶକ୍ତିଶାଳୀ ଜେଟ୍ ଇଞ୍ଜିନ ନିର୍ମାଣ କରିବାର କ୍ଷମତା ରଖୁଛନ୍ତି।