ରାଉରକେଲାରେ ପୁଣି ଲଜ୍ଜା, ନାବାଳିକା ଗଣଦୁଷ୍କର୍ମର ଶିକାର,୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 20, 2024 IST

ରାଉରକେଲା ୨୦/୧୨: ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଦିତନଗର ଥାନା ପୋଲିସ । ୩ଜଣଙ୍କ ଡାକ୍ତାରୀ ମାଇନା ସରିଛି । ଅନ୍ୟ ପଟେ ପୀଡିତାଙ୍କ ଡାକ୍ତରୀ ମାଇନା ସରିଥିବାବେଳେ ୧୬୪ ଧାରାରେ ବୟାନ ରେକର୍ଡ କରାଯିବ । 

୩ ଦିନ ତଳର ଘଟଣା । ୧୭ ତାରିଖ ଅପରାହ୍ନରେ ନାବାଳିକା ଘରୁ ଝଗଡା କରି ପଳାଇ ଆସିଥିଲେ । ଆଉ ଷ୍ଟେସନରେ ଏକୁଟିଆ ବୁଲୁଥିଲେ । ଖାଇବାର ଲୋଭ ଦେଖାଇ ୨ ଜଣ ଯୁବକ ତାଙ୍କୁ ନେଇଯାଇଥିଲେ । ୨୦ କିଲୋମିଟର ଦୂର ବିଶ୍ରା ଅଞ୍ଚଳରେ ଥିବା ଏକ ଝାଟିମାଟି ଘରେ ରଖି ଦୁଷ୍କର୍ମ କରିଥିଲେ । ତାଙ୍କ ସହ ଆଉ ଜଣେ ଯୁବକ ମଧ୍ୟ ଦୁଷ୍କର୍ମରେ ସାମିଲ ଥିଲା । 

୧୮ ତାରିଖ ସକାଳେ ନାବାଳିକାଙ୍କୁ ବିଶ୍ରା ଛକରେ ଛାଡିଦେବା ସହ ଘଟଣା ସଂପର୍କରେ ପ୍ରଘଟ ନକରିବାକୁ ଧମକ ଦେଇଥିଲେ । ପରେ ନାବାଳିକା ଜଣେ ପୋଲିସ କର୍ମଚାରୀଙ୍କ ସହାୟତାରେ ଘରେ ପହଞ୍ଚି ସବୁ କଥା କହିଥିଲେ । ପରିବାର ଲୋକଙ୍କ ସହାୟତାରେ ଉଦିତ ନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଦୁଷ୍କର୍ମକାରୀଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । 


ଗତ ୨ ମାସ ମଧ୍ୟରେ ରାଉରକେଲାରେ ବିର୍ସା ମୁଣ୍ଡା ଥାନା ଓ ରଘୁନାଥପାଲି ଥାନା ଅଞ୍ଚଳରେ ସମାନ ଘଟଣା ଘଟିଥିଲା । ନାବାଳିକାଙ୍କୁ ଉଟାଇ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ ପୋଲିସର ଚିନ୍ତା ବଢିଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.