ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ହିଂସା ବିରୋଧରେ ଭାରତ କାର୍ଯ୍ୟାନୁଷ୍ଠାନ ନେଉ: ଆରଏସଏସ

Published By : Prameya-News7 Bureau | November 30, 2024 IST

indiatoday

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଚିନ୍ତା ପ୍ରକଟ କରିଛି ରାଷ୍ଟ୍ରୀୟ ସ୍ୱୟମ ସେବକ ସଂଘ(ଆରଏସଏସ)। ହିନ୍ଦୁ ବିରୋଧୀ ହିଂସା ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଭାରତ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ଆରଏସଏସ କହିଛି।

ଇସକନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ସେଠାରେ ଗିରଫ କରାଯାଇଛି। ତାଙ୍କୁ ତୁରନ୍ତ ଜେଲ୍‌ରୁ ମୁକୁଳାଇବା ଦାବି କରିଛନ୍ତି ଆରଏସଏସ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ। ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନିନ୍ଦା କରିବା ସହ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର କେବଳ ନିରବ ଦ୍ରଷ୍ଟା ସାଜିଛି ବୋଲି ହୋସାବଲେ କହିଛନ୍ତି। 

ଘଟଣା ସମ୍ପର୍କରେ ଆର୍‌ଏସଏସ କହିଛି “ବାଂଲାଦେଶର ହିନ୍ଦୁ, ମହିଳା ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ଇସଲାମିକ ଉଗ୍ରବାଦୀମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣ, ହତ୍ୟା, ଲୁଟ୍, ଅଗ୍ନିକାଣ୍ଡ ତଥା ଅମାନୁଷିକ ଅତ୍ୟାଚାର ଅତ୍ୟନ୍ତ ଚିନ୍ତାଜନକ।ରାଷ୍ଟ୍ରୀୟ ସ୍ୱୟମ ସେବକ ସଂଘ ଏହାକୁ ନିନ୍ଦା କରୁଛି।”  

ବାଂଲାଦେଶରେ ଏଭଳି ଅତ୍ୟାଚାର ହେବା ଉଚିତ ତୁରନ୍ତ ବନ୍ଦ ହେବା ଦରକାର। ଭାରତ ସରକାର ବାଂଲାଦେଶର ସମସ୍ୟାକୁ ଗୁରୁତର ସହ ନେବା ଦରକାର। ସଂଖ୍ୟାଲଘୁ ନାଗରିକଙ୍କ ସୁରକ୍ଷା ପାଇଁ ବାଂଲାଦେଶ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ ଚାପ ସୃଷ୍ଟି କରିବା ଆବଶ୍ୟକ ବୋଲି ଆର୍‌ଏସଏସ କହିଛି। 

ସଂଘ ଆହୁରି କହିଛି ଯେ ଚିନ୍ମୟ କୃଷ୍ଣ ଦାସ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିଲେ। ହେଲେ ବାଂଲାଦେଶର ଗଣତନ୍ତ୍ରୀକ ସ୍ୱରକୁ ଚପାଇ ଦିଆଯାଉଛି। ଇସକନ ସାଧୁଙ୍କୁ ଜେଲ୍‌ରେ ରଖିବା ବାଂଲାଦେଶ ସରକାରଙ୍କ ଅନ୍ୟାୟ ବୋଲି ସଂଘ କହିଛି। ତେଣୁ ଭାରତ ସମେତ ସାରା ବିଶ୍ୱ ବାଂଲାଦେଶ ସଂଖ୍ୟା ଲଘୁଙ୍କ ସମର୍ଥନରେ ବାହାରିବା ଉଚିତ ବୋଲି ଆରଏସଏସ କହିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.