‘ସିନ୍ଧିଆ ଲେଡି କିଲର..’, TMC ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଟିପ୍ପଣୀକୁ ନେଇ ଲୋକସଭାରେ ହଙ୍ଗାମା

Published By : Prameya-News7 Bureau | December 11, 2024 IST

ନୂଆଦିଲ୍ଲୀ ୧୧।୧୨: ସଂସଦର ଶୀତକାଳୀନ ଅଧିବେଶନରେ ବୁଧବାର ମଧ୍ୟ ହଙ୍ଗାମା ହୋଇଛି। ଲୋକସଭାରେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ତୀବ୍ର କଥାକଟାକଟି ହୋଇଛି। କଲ୍ୟାଣ ବାନାର୍ଜୀ ସିନ୍ଧିଆଙ୍କୁ କଟାକ୍ଷ କରି ‘ଆପଣ ସୁନ୍ଦର ଦେଖାଯାଉଥିବା ବ୍ୟକ୍ତି, ଖଳନାୟକ ବି ହୋଇ ପାରନ୍ତି’ ବୋଲି କହିଥିଲେ। ସେ ଏତିକିରେ ଅଟକି ନଥିଲେ, ସିନ୍ଧିଆଙ୍କୁ ‘ଲେଡି କିଲର’  ବୋଲି ମଧ୍ୟ କହିଥିଲେ। ଏହାପରେ ଉଭୟ ନେତାଙ୍କ ତର୍କ ଉଗ୍ର ରୂପ ଧାରଣ କରିଥିଲା। 

କଲ୍ୟାଣ ବାନାର୍ଜୀ କହିଥିଲେ ଯେ ସିନ୍ଧିଆ ରାଜପରିବାରର ଏହାର ଅର୍ଥ ନୁହେଁ ସେ ସମସ୍ତଙ୍କୁ ଛୋଟ ଭାବିବେ। ଏହା ଉପରେ ସିନ୍ଧିଆ କହିଥିଲେ ଆପଣଙ୍କ କଥା ବ୍ୟକ୍ତିଗତ ସ୍ତରକୁ ଯାଉଛି। ମୋ ନାମ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଯଦି ଆପଣ ମୋ ପରିବାର ସମ୍ପର୍କରେ ଏଣୁ ତଣୁ କହିବେ ମୁଁ ସହ୍ୟ କରିପାରିବିନି । ତେବେ ତର୍କ ବଢୁଥିବା ଦେଖି କଲ୍ୟାଣ ବାନାର୍ଜୀ ତାଙ୍କ ବୟାନକୁ ନେଇ କ୍ଷମାଯାଚନା କରିଥିଲେ। ହେଲେ ସିନ୍ଧିଆ ତାଙ୍କର କ୍ଷମା ପ୍ରାର୍ଥନା ସ୍ୱୀକାର କରିବେନି ବୋଲି କହିଛନ୍ତି। 

ଏଥିରେ କଲ୍ୟାଣ ବାନାର୍ଜୀ କହିଥିଲେ ମୋର ଉଦ୍ଦେଶ୍ୟ ସିନ୍ଧିଆ ବା ଅନ୍ୟ କାହାରିକୁ ଆଘାତ ଦେବାରେ ନଥିଲା। ଏଣୁ କଲ୍ୟାଣ ବାନାର୍ଜୀ ‘ସରି’ କହିଥିଲେ। ଏହା ପରେ ସିନ୍ଧିଆ ଛିଡା ହୋଇ କହିଥିଲେ ‘ଆମେ ସବୁ ଏଠାକୁ ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ ଆସିଛେ, ଆପଣ ନୀତିର ସମାଲୋଚନା କରିପାରନ୍ତି, ହେଲେ ବ୍ୟକ୍ତିଗତ ଟିପ୍ପଣୀ କରିବା ଉଚିତ ନୁହେଁ। ପ୍ରତ୍ୟେକ ବ୍ୟକ୍ତିର ସେଲଫ୍ ରେସପେକ୍ଟ ରହିଛି, ସେ ଏହି ସମ୍ମାନ ସହିତ ଆସେ । ସେ ସରି କହିଛନ୍ତି ହେଲେ ତାଙ୍କର କ୍ଷମା ନିବେଦନକୁ ମୁଁ ସ୍ୱୀକାର କରିପାରିବନି’। ଏଥିରୁ ହଙ୍ଗାମା ହେବା ଯୋଗୁ ଗୃହର କାର୍ଯ୍ୟକୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। 

ତେବେ ସଂସଦରେ କଲ୍ୟାଣ ବାନାର୍ଜୀଙ୍କ ମତ ଓ ମନ୍ତବ୍ୟକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ବିଜେପିର ମହିଳା ସାଂସଦମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ନିକଟରେ କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ମହିଳା ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ବାନାର୍ଜୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ବ୍ୟକ୍ତିଗତ ଟିପ୍ପଣୀ କରିଛନ୍ତି। ଏଣୁ ତାଙ୍କୁ ସଂସଦରୁ ନିଷ୍କାସିତ କରାଯାଉ । ମହିଳା ବିଜେପି ସାଂସଦମାନେ ଚଳିତ ଅଧିବେଶନର ବାକି କାର୍ଯ୍ୟଦିବସରେ ତାଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.