ସହଦେବ ନାୟକ ହତ୍ୟାକାଣ୍ଡ ଘଟଣା : ରକ୍ତ ନମୁନାର ହେବ DNA ଟେଷ୍ଟ, ପଠାଇଲା ଫରେନସିକ୍ ଲ୍ୟାବ୍

Published By : Prameya-News7 Bureau | January 14, 2025 IST

ଭୁବନେଶ୍ବର ୧: ରାଜଧାନୀରେ ସହଦେବ ନାୟକ ହତ୍ୟାକାଣ୍ଡ ଘଟଣା ପଛରେ ଭାଇଗିରି । ବସ୍ତିରେ ଦବଦବା ପାଇଁ ସହଦେବଙ୍କୁ ହତ୍ୟା କରିଛନ୍ତି ଅଭିଯୁକ୍ତ । ଦୀର୍ଘ ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ବସ୍ତିରେ ଚାଲିଥିଲା ଲଢେଇ । ସେପଟେ ରକ୍ତ ନମୁନାର ହେବ DNA ଟେଷ୍ଟ । ଘଟଣାସ୍ଥଳର ରକ୍ତ ସହ ଅଭିଯୁକ୍ତ ପିନ୍ଧିଥିବା ଡ୍ରେସ୍, ବାଇକ୍‌ରେ ଲାଗିଥିବା ରକ୍ତଛିଟାର ନମୁନାକୁ ରାଜ୍ୟ ଫୋରେନସିକ୍ ପଠାଇଲା ପୋଲିସ । ୫୫ଟି କ୍ୟାମେରା ଯାଞ୍ଚ କଲା ପରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ ।

ଭୁବନେଶ୍ବର କେଦାରପଲ୍ଲୀ ବସ୍ତିରେ ବ୍ରାଉନ ସୁଗାର ବେପାରୀଙ୍କୁ ଚେକ୍ ଦେବାରୁ ସହଦେବ ପୋଲିସକୁ ସହାୟତା କରିଥିଲା । ଯାହାକୁ ନେଇ ଏହି ବ୍ରାଉନସୁଗାର ବେପାରୀ ମାନେ ଗତ ତିନି ମାସ ପୂର୍ବରୁ ସହଦେବକୁ ହତ୍ୟା କରିବାକୁ ଯୋଜନା କରିଥିଲେ । 

ପୂର୍ବ ଶତ୍ରୁତାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ଡିସିପି ସୂଚନା ଦେଇଥିଲେ । ଡିସିପି କହିଥିଲେ, ଭୁବନେଶ୍ବର ମଞ୍ଚେଶ୍ବର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପାଇଁ ୩ଟି ସ୍ପେଶାଲ ଟିମ୍‌ ଗଠନ କରାଯାଇଥିଲା । ତଦନ୍ତରୁ ଅଭିଯୁକ୍ତ ଓ ତାଙ୍କ ଗାଡ଼ି ସମ୍ପର୍କରେ ଜଣାପଡ଼ିଥିଲା । ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୧୨ ଘଣ୍ଟା ଭିତରେ ମାମଲାରେ ଅଭିଯୁକ୍ତଙ୍କୁ ଧରାଯାଇଛି ବୋଲି ଡିସିପି କହିଥିଲେ । ଆହୁରି ମଧ୍ୟ କିଛି ଅଭିଯୁକ୍ତଙ୍କର ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଥିଲା । ମୋବାଇଲରୁ ଅଧିକ ଖୋଳତାଡ଼ ଜାରି ରଖିଥିଲା ପୋଲିସ ।

ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ୫ ଜଣ ଗିରଫ ହେଲେଣି । ବୁଧବାର ୩ ଅଭିଯୁକ୍ତ ରବି ନାୟକ, ଲକ୍ଷ୍ମୀଧର ନାୟକ ଏବଂ ଲିପିକା ନାୟକଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ପୂର୍ବରୁ ଗିରଫ ଅଭିଯୁକ୍ତଙ୍କୁ କମିସନରେଟ୍ ପୋଲିସ ସହିତ ସ୍ପେଶାଲ ସ୍କ୍ବାଡ୍ ନେଇ ସିନ୍ ରିକ୍ରିଏସନ କରିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାନେ ପୂର୍ବ ଯୋଜନା ମୁତାବକ ଧଉଳି ଥାନା ଅନ୍ତର୍ଗତ ଦୟାନଦୀ କୂଳ ନଦୀପଠାରେ ଏକାଠି ହୋଇଥିଲେ । ସେଠାରେ ସେମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଦୁଇଟି   ମାଂସକଟା ଚାପଡ଼ ଓ ଅନ୍ୟାନ୍ୟ ସାମଗ୍ରୀ ସେହି ଜରି ବ୍ୟାଗ୍‌ରେ ଭର୍ତ୍ତି କରି ଦୟା ନଦୀ ପାଣିକୁ ଫୋପାଡି ଦେଇଥିଲେ । ସିନ୍ ରିକ୍ରିଏସନ୍ ସମୟରେ ଏହିସବୁ ଏଭିଡେନ୍ସକୁ ଜବତ କରିଥିଲା ତଦନ୍ତକାରୀ ଟିମ୍ । ରବି ନାୟକ ଏହିସବୁ ସାମଗ୍ରୀକୁ ପୋଲିସକୁ ଦେଖାଇଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାନେ ଏଠାରେ ଏକାଠି ହେବା ପରେ ଲକ୍ଷ୍ମୀଧର ନୟାଗଡ ଚାଲିଯାଇଥିଲା । ଏମାନଙ୍କ ସହିତ ଥିବା ରବି ଓ ତାର ପତ୍ନୀ ଲିପିକା କେଦାରପଲ୍ଲୀ ବସ୍ତିକୁ ଫେରି ଆସିଥିଲେ । 

ତେବେ ଧରାପଡିଥିବା ରବି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ନାହିଁ ବୋଲି କହିଥିଲା । ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍ ତିନୋଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଆଉ ଦୁଇ ଜଣ ଅଭିଯୁକ୍ତ ଧରାପଡ଼ିଥିଲେ । ଆହୁରି ମଧ୍ୟ କିଛି ଅଭିଯୁକ୍ତଙ୍କର ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି ।

You Can Read:

ବିଫଳ ହେଲା ବୈଠକ, ନିଜ ଜିଦ୍‌ରେ ଅଡ଼ି ରହିଲେ ବ୍ରାହ୍ମଣ ଓ ବଡୁ ନିଯୋଗ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.