ସାଲେପୁର୪/୧୨: ମଙ୍ଗଳବାର ସଂଧ୍ୟାରେ ଆତ୍ମହତ୍ୟା ଉଦ୍ୟମ । ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ମାଆ ଓ ଝିଅ । ପାରିବାରିକ କଳିରୁ ସାଲେପୁରରେ ଘଟିଥିବା ଏ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । କାହିଁକି ଏମିତି କଲୁ ବୋଲି ପ୍ରଶ୍ନ ପଚାରି ବାହୁନି ବାହୁନି କାନ୍ଦୁଛନ୍ତି ଆତ୍ମୀୟ ସ୍ବଜନ ।
ମଙ୍ଗଳବାର ସଂଧ୍ୟା ସମୟର ଘଟଣା । ସାଲେପୁର ବ୍ଲକ ଜଗତପୁର ଥାନା ଆତୋଡା ଗାଁରେ ଚାଞ୍ଚଲ୍ୟ ଖେଳିଗଲା । ଶୁଭରଞ୍ଜନ ଲେଙ୍କାଙ୍କ ପତ୍ନୀ ସୁଚିସ୍ମିତା ମହାନ୍ତି ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ଏକା ନଥିଲେ ସାଙ୍ଗରେ ଥିଲା ୪ ମାସର ନିଷ୍ପାପ ଶିଶୁ । ଭିତର ପଟୁ କବାଟ ବନ୍ଦ କରି ସୁଚିସ୍ମିତା ଏପରି କାଣ୍ଡ କରିଥିଲେ ।
ତାଙ୍କ ଚିତ୍କାର ଶୁଣି ପରିବାର ଓ ଗାଁ ଲୋକ ଉଭୟଙ୍କୁ ଜଳୁଥିବା ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଶିଶୁର ମୃତ୍ୟୁ ହୋଇଥିବାବେଳେ ଘରୋଇ ମେଡିକାଲରେ ମାଆ ମଧ୍ୟ ଆଖି ବୁଜି ଦେଇଛି ।
୨ ଦିନ ତଳେ ପରିବାର ଲୋକଙ୍କ ସହ ସୁଚିସ୍ମିତାଙ୍କର ଝଗଡା ହୋଇଥିଲା । ଏଥିରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଆଉ ଝିଅ ସହ ନିଜେ ଜୀବନ ହାରିବାର ନିଷ୍ପତ୍ତି ନେଇଥିଲେ । ଏପରି ଅଘଟଣ ପଛର ସତ କଣ ? ସ୍ବାମୀ ଶୁଭରଞ୍ଜନ ଲେଙ୍କାକୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ପୋଲିସ ।