ବ୍ୟାଟେଲ ଅଫ୍‌ ବେଗମ୍‌: ଜିଗିରି ଦୋସ୍ତରୁ ଜାନି ଦୁସମନ୍‌ ! ପଦ ପାଇଁ ଯୁଦ୍ଧ ବାଂଲାଦେଶରେ ଲଗାଇଛି ନିଆଁ

NEWS7
sambalpur-police-arrests-10-member-of-inter-state-looter-gang

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସମ୍ପର୍କ। ବଖାଣିଛି ଅନେକ ଇତିହାସ। ଆମେ ଦେଖିଛୁ ବାଂଲାଦେଶର ଭାରତ ପ୍ରତି ପ୍ରେମ। ଢ଼ାକା-ନୂଆଦିଲ୍ଲୀ ମଧ୍ୟରେ ଯୋଡିହୋଇଛି ଅନେକ ପୃଷ୍ଠା। ସମୟ ବଦଳିଛି । ଆଭିମୁଖ୍ୟ ବି ବଦଳିଛି। ପ୍ରେମରୁ ଏବେ ବାଂଲାଦେଶର ଘୃଣା ଦେଖୁଛି ଭାରତ। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ… ଭାରତକୁ ଧମକ…। ଆଉ ଏସବୁର ଉତ୍ପତ୍ତି ବ୍ୟାଟେଲ ଅଫ୍ ବେଗମ। 

ବାଂଲାଦେଶ ରାଜନୀତିରେ ଇତିହାସର ଦୁଇ ଟପ୍ ଲିଡର ହେଲେ ଦୁଇ ବେଗମ। ଶେଖ ହସିନା- ଖାଲିଦା ଜିଆ। ଦୁହେଁ ଥିଲେ ଜିଗିରି ଦୋସ୍ତ। ଏକାଠି ଖାଇବା… ଏକାଠି ବୁଲିବା…ଏକାଠି ଶୋଇବା। ହେଲେ ୧୯୮୧ ମସିହାର ଗୋଟିଏ ଅଶୁଭ ସମୟ ସତେ ଯେମିତି ଦୁଇ ବନ୍ଧୁଙ୍କ ଉପରେ ନଜର ଲଗାଇଦେଲା। ଶତ୍ରୁତା ଚରମସୀମାରେ ପହଞ୍ଚିଲା। ଦୁହିଁଙ୍କ ମଧ୍ୟରେ ଆକ୍ରୋଶ କେବଳ ଢାକାର ରାଜନୈତିକ ମୈଦାନରେ ସୀମିତ ହୋଇ ରହିଲାନି ବରଂ ସୀମା ପାର୍ ହୋଇ ଭାରତରେ ପଶିଲା। ଏମିତି କଣ ଘଟିଲା, ହେଲେ ବନ୍ଧୁରୁ ପାଲଟିଗଲେ ଚରମ ଶତ୍ରୁ। ବାଂଲାଦେଶରେ ସୃଷ୍ଟି କରିଥିଲା ନୂଆ ରାଜନୀତି। ଜାଣିବାକୁ ହେଲେ ଓଲଟାଇବା ଇତିହାସ ସେଇ ପୁରୁଣା ଫର୍ଦ୍ଦ।

ଶେଖ୍ ହସିନା ଏବଂ ଖାଲିଦା ଜିଆ। ଉଭୟଙ୍କ ରକ୍ତରେ ଥିଲା ରାଜନୀତି। ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ ମୁଜିବୁର ରେହମାନଙ୍କ ଝିଅ ଶେଖ ହସିନା। ସେହପରି ବାଂଲାଦେଶର ଷଷ୍ଠ ରାଷ୍ଟ୍ରପତି ଜିଆଉର ରେହମାନଙ୍କ ପତ୍ନୀ ଥିଲେ ଖାଲିଦା ଜିଆ। ଉଭୟେ ଉଭୟଙ୍କ ସବୁଠାରୁ ବଡ଼ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ। କିନ୍ତୁ ଦିନ ଥିଲା ଯେତେବେଳେ ଏମାନେ ରାସ୍ତାରେ କାନ୍ଧ ମିଳାଇ କରିଥିଲେ ପ୍ରତିବାଦ। ଯେଉଁ ଆନ୍ଦୋଳନରେ ବାଂଲାଦେଶ ସାମରିକ ଶାସନରୁ ମୁକ୍ତି ପାଇଁ ଗଣତନ୍ତ୍ର ଶାସନର ମୁଳଦୂଆ ପକାଇଥିଲା।

ଏକଛତ୍ରବାଦୀ ଶାସକ ହୁସେନ ମହମ୍ମଦ ଏରଶାଦଙ୍କ ବିରୋଧରେ ଏକାଠି ହୋଇଥିଲେ ହସିନା-ଖାଲିଦା। ଦୁହିଁଙ୍କ ଲକ୍ଷ୍ୟ ଥିଲା ଏକ। ବାଂଲାଦେଶରେ ଚାଲିବ ଗଣତନ୍ତ୍ର ଶାସନ । କିନ୍ତୁ ୧୯୮୧ ମସିହା ଖାଲିଦା ଜିଆଙ୍କ ଜୀବନରେ ଆଣିଦେଇଥିଲା ସବୁଠୁ ବଡ଼ ଦୁଃଖ। ଖାଲିଦାଙ୍କ ସ୍ୱାମୀ ତଥା ତତ୍କାଳୀନ ବାଂଲାଦେଶର ରାଷ୍ଟ୍ରପତି ଜିଆଉର ରହମାନଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଦାୟିତ୍ୱ ନେଇଥିଲେ ଖାଲିଦା ଜିଆ। ଆଉ ଏହିଠାରୁ ଖାଲିଦା ତାଙ୍କ ଲକ୍ଷ୍ୟ ସହ ଗାଦି ପ୍ରତି ଲୋଭ ବଢ଼ିଚାଲିଥିଲା। କିନ୍ତୁ ଏହାକୁ ନଜର ଅନ୍ଦାଜ କରିଥିଲେ ହସିନା।

ଏରଶାଦ ବିରୋଧରେ ଆନ୍ଦୋଳନ 1990 ମସିହାରେ ଶୀର୍ଷରେ ପହଞ୍ଚିଥିଲା। ଜୋରଦାର ପ୍ରତିବାଦ ଏବଂ ଛାତ୍ର ଆନ୍ଦୋଳନ ଦେଶକୁ ଏକ ସ୍ଥିରତା ଆଡ଼କୁ ନେଇଯାଇଥିଲା। ଶେଷରେ ୧୯୯୦ ଡିସେମ୍ବର ୬ରେ ଏରଶାଦଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ଏହା ବାଂଲାଦେଶର ରାଜନୈତିକ ଇତିହାସରେ ନେଇଥିଲା ନିର୍ଣ୍ଣାୟକ ମୋଡ଼। ଦୁଇ ବେଗମଙ୍କ ମଧ୍ୟରେ ଏହି ଏକତା ବାଂଲାଦେଶରେ ସାମରିକ ଶାସନର ଅନ୍ତ ଘଟାଇଥିଲା। ଗଣତନ୍ତ୍ର ପୁନରୁଦ୍ଧାର ପାଇଁ ଗୋଟିଏ ମଞ୍ଚରେ ଠିଆ ହୋଇଥିଲେ ଦୁଇ ବେଗମ । ସେହି ସମୟରେ କେହିବି କଳ୍ପନା କରିନଥିଲେ ଯେ ଏହି ଦୁଇ ମହିଳା ପରବର୍ତ୍ତୀ ସମୟରେ ବାଂଲାଦେଶର ରାଜନୀତିକୁ ଦୁଇଟି ଶିବିରରେ ବିଭକ୍ତ କରିବେ।

ଏରଶାଦଙ୍କ ପତନ ପରେ ଆରମ୍ଭ ହୋଇଥିଲା କ୍ଷମତା ସଂଘର୍ଷ। ୧୯୯୦ ଏବଂ ୨୦୦୦ ଦଶକର ପ୍ରାରମ୍ଭରେ ହସିନା-ଖାଲିଦାଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ପଦ ପାଇଁ ଯୁଦ୍ଧ। ସେମାନଙ୍କର ବନ୍ଧୁତା ଧୀରେ ଧୀରେ ଶତ୍ରୁତାରେ ପରିଣତ ହୋଇଥିଲା। ହସିନା ମଧ୍ୟରେ ଆରମ୍ଭ ହୋଇଥିଲା ଭୟଙ୍କର ପ୍ରତିଦ୍ୱନ୍ଦ୍ୱିତା। ପରବର୍ତ୍ତୀ ସମୟରେ ପ୍ରତିଶୋଧ ଏବଂ ମୁକାବିଲାର ରାଜନୀତି ଜୋର ଧରିଥିଲା। ଖାଲିଦା ଜିଆ ୧୯୯୧ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ବାଂଲାଦେଶକୁ ମିଳିଥିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜନୈତିକ ପ୍ରତିଶୋଧ ପଦକ୍ଷେପର ଅଭିଯୋଗ କରିଥିଲା ଶେଖ୍ ହସିନାଙ୍କ ଆୱାମୀ ଲିଗ। ଖାଲିଦା ଜିଆଙ୍କ ପ୍ରଧାନମନ୍ତ୍ରୀ ପଦ 1991-96 ପର୍ଯ୍ୟନ୍ତ ରହିଲେ। ପରବର୍ତ୍ତୀ ନିର୍ବାଚନରେ ପରାସ୍ତ ହେଲେ ଖାଲିଦା। ପ୍ରଧାନମନ୍ତ୍ରୀ ଗାଦିରେ ବସିଲେ ଶେଖ ହସିନା। 1996 ରୁ 2001 ପର୍ଯ୍ୟନ୍ତ ସେ ଥିଲେ ବାଂଲାର ପ୍ରଧାନମନ୍ତ୍ରୀ ହେଲେ। ଏହି ସମୟ ମଧ୍ୟରେ ବାଂଲାଦେଶ-ଭାରତ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥିଲା। ନୂଆଦିଲ୍ଲୀ-ଢାକା ମଧ୍ୟରେ କୂଟନୈତିକ ଡିଲ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ହସିନା। ଏପରିକି ସଂଖ୍ୟାଲଘୁଙ୍କ ପ୍ରତି ହସିନାଙ୍କ ଉଦାର ମନୋଭାବ ବାଂଲାଦେଶ ପରି ମୁସଲିମ ଦେଶରେ ନୂଆ ବିଚାରଧାରା ସୃଷ୍ଟି କରିଥିଲା।

ପରବର୍ତ୍ତୀ ନିର୍ବାଚନରେ ହସିନାଙ୍କ କଣ୍ଟା ସାଜିଥିଲେ ଖାଲିଦା। ୨୦୦୧-୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହେଲେ ଖାଲିଦା। କିନ୍ତୁ ତାଙ୍କର ଆଭିମୁଖ୍ୟ ଭାରତ ବିରୋଧୀ ବୋଲି ସ୍ପଷ୍ଟ ବାରି ହୋଇପଡୁଥିଲା। ତାଙ୍କ ଶାସନ କାଳରେ ଢାକାରେ ଦୃଢ଼ ଉପସ୍ଥିତି ଜାହିର କରିଥିଲା ISI ଏବଂ ଜାଗି ଉଠିଥିଲେ ଭାରତ ବିରୋଧୀ ତତ୍ତ୍ୱ । ତାଙ୍କର ରାଜନୀତି ଭାରତ ବିରୋଧୀ ରାଷ୍ଟ୍ରବାଦ ଉପରେ ଆଧାରିତ ଥିଲା। କାରଣ ଖାଲିଦାଙ୍କ ଭାବୁଥିଲେ- ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ବାଂଲାଦେଶର ହସିନା ସରକାରଙ୍କୁ ଅଧିକ ଗୁରୁତ୍ୱ ଦେଉଛି। ଏପରିକି 2004ରେ ହସିନାଙ୍କ ରାଲି ଉପରେ ଗ୍ରେନେଡ୍ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପାଇଁ ଖାଲିଦାଙ୍କ ସରକାରଙ୍କୁ ଦାୟୀ କରିଥିଲେ ହସିନା। ତାଙ୍କର ଋଢିବାଦୀ ଚିନ୍ତାଧାରା ଯୋଗୁଁ ପରବର୍ତ୍ତୀ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ ଖାଲିଦା ଜିଆ। ୨୦୦୮ ପରଠୁ ଦେଢ଼ ଦଶନ୍ଧି ଧରି ସମଗ୍ର ଦେଶରେ ଦବଦବା ବଜାୟ ରଖିଲେ ଶେଖ୍ ହସିନା। କ୍ଷମତାକୁ ଫେରିବା ପରେ ବିଏନପି ନେତାଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ଆଣିଲେ ଖାଲିଦା। ଉଭୟ ଦଳ ମଧ୍ୟରେ ଛକାପଞ୍ଝା ଲାଗିରହିଲା।

ପ୍ରତି ନିର୍ବାଚନ ସହିତ ବାଂଲାଦେଶର ରାଜନୈତିକ ଧ୍ରୁବୀକରଣ ଗଭୀର ହୋଇଥିଲା। ସଂସଦ ବର୍ଜନ, ଦେଶବ୍ୟାପୀ ଧର୍ମଘଟ, ରାସ୍ତାରେ ହିଂସା ଏବଂ ପ୍ରତିଷ୍ଠାନରେ ରାଜନୈତିକ ବ୍ୟବହାର ସାଧାରଣ ହୋଇଗଲା। ଏହି ସଂଘର୍ଷ ବାଂଲାଦେଶର ଗଣତାନ୍ତ୍ରିକ ଢାଞ୍ଚାକୁ ଦୁର୍ବଳ କରିଦେଲା ଏବଂ ଦେଶ ଦୀର୍ଘକାଳୀନ ଅସ୍ଥିରତାରେ ପୀଡିତ ହୋଇଗଲା। ସମୟ ସହିତ, ବାଂଲାଦେଶର ରାଜନୀତି ଆଦର୍ଶଗତ ବିତର୍କରୁ ବ୍ୟକ୍ତିଗତ ସଂଘର୍ଷର ରଣଭୂମିକୁ ଚାଲିଗଲା। ସଂସଦ, ରାସ୍ତା ଏବଂ କୋର୍ଟରେ ସବୁଠି ଦ୍ୱନ୍ଦ୍ୱ ଦେଖାଯାଉଥିଲା। ନୀତି ଅପେକ୍ଷା ବ୍ୟକ୍ତିବିଶେଷଙ୍କ ଚାରିପାଖରେ ରାଜନୀତି ଘୂରି ବୁଲିବା ଆରମ୍ଭ କରିଥିଲା। ହିଂସା ଜାଗି ଉଠିଲା। ଦେଶ ବିରୋଧୀ ମାଡ଼ିଆସିଲେ। ବିରୋଧୀଙ୍କ ଚାପରେ ଫସିଗଲେ ହସିନା। ଆଉ ଶେଷରେ ଦେଶ ଛାଡ଼ିବାକୁ ବାଧ୍ୟ ହେଲେ। ଆଉ ଏଇଠି ହିଁ ଶେଷ ହୋଇଥିଲା ଦୁଇ ବେଗମଙ୍କ ପଲିଟିକାଲ ଓ୍ୱାର।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ପରଲୋକ ଘଟିଛି। ସେପଟେ ଦେଶ ଛାଡି ଭାରତରେ ଶରଣ ନେଇଛନ୍ତି ଶେଖ ହସିନା। ଦୁଇ ନେତାଙ୍କ ମଧ୍ୟରେ ଯୁଦ୍ଧକୁ ବାଂଲାଦେଶୀ ରାଜନୀତିରେ କୁହାଯାଉଛି "ବେଗମଙ୍କ ଯୁଦ୍ଧ" ବା ବ୍ୟାଟେଲ ଅଫ୍ ବେଗମ । ଏହି ଦୁଇ ମହିଳା ଦଶନ୍ଧି ଦଶନ୍ଧି ଧରି ବାଂଲାଦେଶ ରାଜନୀତିର କେନ୍ଦ୍ରବିନ୍ଦୁ ହୋଇ ରହିଥିଲେ। ପଦ ନେଇ ମଣିଷ କେତେଦିନ ବା ତିଷ୍ଠି ରହିବ। ବନ୍ଧୁଙ୍କୁ ହରାଇବା ଖବର ଶୁଣି ଭାଙ୍ଗିପଡ଼ିଥିଲେ ହସିନା। ଦେଶ ପ୍ରତି ଖାଲିଦାଙ୍କ ଅବଦାନ ଅମୂଲ୍ୟ ବୋଲି କହିଛନ୍ତି ଶେଖ ହସିନା। ଗୋଟିଏ ପଟେ ଶେଖ୍ ହସିନାଙ୍କ ବହିଷ୍କାର ଏବଂ ଅନ୍ୟ ପଟେ ଖାଲିଦା ଜିଆଙ୍କ ମୃତ୍ୟୁ ସହିତ ବେଗମଙ୍କ ଯୁଦ୍ଧର ଅନ୍ତ ଘଟିଛି। ଉଭୟଙ୍କୁ ପ୍ରଧାନମନ୍ତ୍ରୀ ପଦ ଅମୃତ ପରି ଲାଗୁଥିଲା, ବ୍ୟକ୍ତିଗତ ଆକ୍ରୋଶ ଦେଶରେ ବିଷ ବୁଣି ଦେଇଛି।

ବ୍ୟକ୍ତିଗତ ଆକ୍ରୋଶରୁ ରାଜନୀତି କେତେ ଭୟଙ୍କର ହୋଇପାରେ, ତାହା ଏହି ବାଂଲାଦେଶରେ ପରିଲକ୍ଷିତ ହୋଇଛି। ଏବେ ବାଂଲାଦେଶରେ ନାହାନ୍ତି ଶେଖ ହସିନା କି ଖାଲିଦା ଜିଆ। ତଥାପି ଜଳୁଛି ବାଂଲାଦେଶ। ଚାରିଆଡେ ହିଂସାର ନିଆଁ। ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ହାତରେ ପାଓ୍ୱାର। ସତେ ଯେପରି ସବୁଠାରୁ ଅନ୍ଧକାରମୟ ସମୟ ଦେଇ ଗତି କରୁଛି ଢ଼ାକା। ଆସନ୍ତା ଫେବୃଆରୀରେ ବାଂଲାଦେଶରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଦୁଇ ବେଗମ ଅନୁପସ୍ଥିତିରେ କିଏ ହେବ ବାଂଲାଦେଶର ସର୍ବେସର୍ବା ? କେମିତି ରହିବ ରାଜନୈତିକ ପଟ୍ଟଚିତ୍ର, ଏବେ ଦେଖିବାକୁ ବାକି ରହିଲା।